ଭୋପାଳ: ଗୁରୁବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବେ। ମନ୍ତ୍ରୀ ତାଲିକାରେ କଂଗ୍ରେସ ବିଧାୟକ ଭାବେ ଇସ୍ତଫା ଦେଇ ବିଜେପିରେ ମିଶିଥିବା ନେତା ମଧ୍ୟ ସାମିଲ୍ ହୋଇପାରନ୍ତି। ମାର୍ଚ୍ଚ ମାସରେ ମଧ୍ୟପ୍ରଦେଶର 12ରୁ ଅଧିକ କଂଗ୍ରେସ ବିଧାୟକ ନିଜ ପଦବୀରୁ ଇସ୍ତଫା ଦେଇଥିଲେ।
କଂଗ୍ରେସର ଦଳୀୟ ବିଧାୟକ ଇସ୍ତଫା ଦେବା ପରେ କମଲନାଥ ସରକାର ଭାଙ୍ଗିଯାଇଥିଲା। ମାର୍ଚ୍ଚ ଅନ୍ତିମ ସପ୍ତାହରେ ବିଜେପି ଏଠାରେ ସରକାର ଗଢ଼ିଛି। ଏହାପରେ ଶିବରାଜ ସିଂହ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ପରେ ହାତ ଗଣତି କିଛି କ୍ୟାବିନେଟ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି। କରୋନା ମହାମାରୀ ପାଇଁ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ବିଳମ୍ୱ ହୋଇଛି।
କମଲନାଥ ସରକାର ଭାଙ୍ଗିବାର ମୂଳ କାରଣ ହେଲା ଜ୍ୟୋର୍ତିାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ମିଶିବା ପରେ ତାଙ୍କ ସମର୍ଥକ ବିଧାୟକ ଦଳରୁ ଇସ୍ତଫା ଦେଇଥିଲେ। ଏହାପରେ ମାର୍ଚ୍ଚ 23 ରେ ବିଜେପି ମଧ୍ୟପ୍ରଦେଶରେ ଚତୁର୍ଥ ଥର ପାଇଁ ସରକାର ଗଠନ କରିଛି। ଏବେ ମନ୍ତ୍ରିମଣ୍ଡଳରେ ସିନ୍ଧିଆଙ୍କ ସମର୍ଥକଙ୍କୁ ମନ୍ତ୍ରୀ ପଦବୀ ଦେବା ପାଇଁ ଦାବି ହେଉଥିବାରୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବାରେ ବିଳମ୍ୱ ହୋଇଥିବା ସୂଚନା ରହିଛି। ତେବେ ଜୁଲାଇ 2ରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ବୋଲି ଶିବରାଜ ସିଂହ ସୂଚନା ଦେଇଛନ୍ତି। ତେବେ କେତେ ଜଣ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ସେ ନେଇ ସୂଚନା ଦେଇ ନାହାନ୍ତି।
ସୂଚନାଯୋଗ୍ୟ, ମନ୍ତ୍ରିମଣ୍ଡଳ ଗଠନ ନେଇ ଦଳ ମଧ୍ୟରେ ଅଡ଼ୁଆ ସୃଷ୍ଟି ହେବା ପରେ ଗତ ରବିବାର ଶିବରାଜ ସିଂହ ଚୌହ୍ୱାନ ଦିଲ୍ଲୀ ଯାଇଥିଲେ। ସେଠାରେ ବିଜେପିର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିବା ସୂଚନା ରହିଛି।
ଅନ୍ୟପଟେ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜି ଟଣ୍ଡନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ତେଣୁ ତାଙ୍କ ସ୍ଥାନରେ ଅତିରିକ୍ତ ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିବା ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ନୂଆ ମନ୍ତ୍ରୀ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ବୋଲି ଜଣାପଡ଼ିଛି।
The post ଗୁରୁବାର ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ appeared first on Odisha Reporter.
from Odisha Reporter https://ift.tt/38mrgkU
No comments:
Post a Comment