ଯଦି ସୁନୀଲ ଗାଭାସ୍କରଙ୍କ ବାମ କାନରେ ନଥା’ନ୍ତା ସେହି ଛୋଟ ଜାଇ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 9, 2020

ଯଦି ସୁନୀଲ ଗାଭାସ୍କରଙ୍କ ବାମ କାନରେ ନଥା’ନ୍ତା ସେହି ଛୋଟ ଜାଇ…

ନୂଆଦିଲ୍ଲୀ: ଆଜି ହେଉଛି ସୁନୀଲ ଗାଭାସ୍କରଙ୍କ ଜନ୍ମଦିନ। ଆଜି ସେ ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୪୯ ମସିହାରେ ଆଜିର ଦିନରେ ସେ ମୁମ୍ବାଇ (ତତ୍‌କାଳୀନ ବମ୍ବେ)ରେ ଜନ୍ମ ଗ୍ରହଣ କରିଥିଲେ। ‘ସନ୍ନି’ ଓ ‘ଲିଟିଲ୍ ମାଷ୍ଟର’ ନାଁରେ ଜଣାଶୁଣା ଏହି ମହାନ ଖେଳାଳିଙ୍କ ପୂରା ନାଁ- ସୁନୀଲ ମନୋହର ଗାଭାସ୍କର। ତାଙ୍କୁ କ୍ରିକେଟର ‘ନେପୋଲିଅନ୍‌’ ବୋଲି ବି କୁହାଯାଉଥିଲା। ଯେତେବେଳେ କ୍ରିକେଟ୍‌ରେ ହେଲ୍‌ମେଟ୍‌ର ବ୍ୟବସ୍ଥା ନଥିଲା, ସେତେବେଳେ ଦୁର୍ଦ୍ଧର୍ଷ ଫାଷ୍ଟ୍‌ ବୋଲରମାନଙ୍କୁ କେମିତି ଖେଳିବାକୁ ହେବ, ତା’ର କୌଶଳ ସେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ମାନଙ୍କୁ ଶିଖାଇଥିଲେ।

ସଠିକ୍‌ ସନ୍ତୁଳନ, ଉନ୍ନତ ଟେକ୍‌ନିକ୍‌, ପ୍ରଚୁର ଲୟ ଓ ତତ୍‌କ୍ଷଣାତ୍ ବଢ଼ିଆ ନିଷ୍ପତ୍ତି ନେବାର ଦକ୍ଷତା ଯୋଗୁ ସେ ଅନେକ ରେକର୍ଡ ଭାଙ୍ଗି ଥିଲେ ଓ ନୂଆ ରେକର୍ଡ ତିଆରି କରିଥିଲେ। ପ୍ରଥମ କ୍ରିକେଟର ଭାବେ ସେ ଟେଷ୍ଟରେ ୧୦ ହଜାର ରନ୍ (୧୦,୧୨୨) ପୂରଣ କରିଥିଲେ। ସେ ୧୨୫ଟି ଟେଷ୍ଟରୁ ୫୧.୧୨ ହାରରେ ଏହି ରନ୍ ସଂଗ୍ରହ କରିଥିଲେ।  ଆଉ ଏବେ ଏହି ତାଲିକାରେ ସେ ୧୨ ନମ୍ବରରେ ଅଛନ୍ତି। ଟେଷ୍ଟରେ ସେ ୩୪ଟି ଶତକ ମାରିଥିଲେ, ଯାହା ୨୦ ବର୍ଷ ଧରି ଅତୁଟ ରହିଥିଲା। ୨୦୦୫ରେ ସଚିନ୍ ତେନ୍ଦୁଲକର ଏହି ରେକର୍ଡ ଭାଙ୍ଗିଥିଲେ। ସେହିଭଳି ସେ ତିନୋଟି ଟେଷ୍ଟରେ ଦୁଇଟି ଯାକ ଇଂନିସ୍‌ରେ ଶତକ ହାସଲ କରିବାର ରେକର୍ଡ ତାଙ୍କ ନାଁରେ ରହିଛି।

ଫାଷ୍ଟ୍‌ ବୋଲରଙ୍କ ବିପକ୍ଷରେ ଗାଭାସ୍କରଙ୍କ ବ୍ୟାଟିଂ ଅତି ଚମତ୍କାର ଥିଲା। ତାଙ୍କ ସମୟରେ ୱେଷ୍ଟଇଣ୍ଡିଜ୍‌ ଦଳରେ ଅନେକ ଦୁର୍ଦ୍ଧର୍ଷ ଫାଷ୍ଟ୍‌ ବୋଲର ଥିଲେ। ତେବେ ସେହି ଦଳ ବିପକ୍ଷରେ ସେ ୬୫.୪୫ ହାରରେ ରନ୍ ସଂଗ୍ରହ କରିଥିଲେ। ତେବେ ସେ ଜନ୍ମ ହେବା ପରେ ତାଙ୍କ ଦାଦା ଯଦି ସତର୍କ ହୋଇ ନଥା’ନ୍ତେ, ହୁଏତ ସେ ସୁନୀଲ ଗାଭାସ୍କର ହୋଇପାରି ନଥା’ନ୍ତେ। କାରଣ ଜନ୍ମ ହେବାର କେଇ ଘଣ୍ଟା ପରେ ତାଙ୍କୁ ଆଉ ଜଣେ ମହିଳାଙ୍କୁ ଦେଇ ଦିଆଯାଇଥିଲା। ସେ ମହିଳାଙ୍କର ମଧ୍ୟ ଏକ ପୁତ୍ର ଜନ୍ମ ହୋଇଥିଲା। ଆଉ କୌଣସି କାରଣ ବଶତଃ ତାଙ୍କୁ ଉକ୍ତ ମହିଳାଙ୍କ ପାଖରେ ଓ ଉକ୍ତ ମହିଳାଙ୍କ ପୁଅକୁ ତାଙ୍କ (ସୁନୀଲ ଗାଭାସ୍କରଙ୍କ) ମା’ଙ୍କ ପାଖରେ ରଖାଯାଇଥିଲା। କିନ୍ତୁ ଗାଭାସ୍କରଙ୍କ ଦାଦା ଏ କଥା ଧରିପାରିଥିଲେ। କାରଣ ଜନ୍ମ ପରେ ପରେ ସେ ସୁନୀଲଙ୍କ ବାମ କାନରେ ଏକ ଛୋଟ ଜାଇ ଥିବା ସେ ଲକ୍ଷ୍ୟ କରିଥିଲେ। ସେ ଏ କଥା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ତା’ପରେ ଘଟଣାର ଖୋଡ଼ତାଳ କରାଯାଇଥିଲା ଓ ସୁନୀଲଙ୍କୁ ତାଙ୍କ ମା’ଙ୍କୁ ହସ୍ତାନ୍ତର କରାଯାଇଥିଲା। ଭୁଲ୍‌ରେ ଜଣେ ନର୍ସ ସେମାନଙ୍କୁ ଅଦଳବଦଳ କରି ଦେଇଥିବା ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ‘ପଦ୍ମଶ୍ରୀ’ ଓ ’ପଦ୍ମ ଭୂଷଣ’ ଭଳି ସମ୍ମାନରେ ସମ୍ମାନିତ ଗାଭାସ୍କର ୧୯୭୧ ମସିହା ମାର୍ଚ୍ଚ ୬ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ୧୯୮୭ ମସିହା ମାର୍ଚ୍ଚ ୧୩ ତାରିଖରେ ସେ ପାକିସ୍ତାନ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେହିପରି ଅନ୍ତର୍ଜାତୀୟ ୧୦୮ଟି ଦିନିକିଆ ମ୍ୟାଚ୍ ଖେଳିଥିବା ଗାଭାସ୍କର ୧୯୭୪ରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ ମ୍ୟାଚ୍ ଖେଳିଥିଲେ। ୧୯୮୭ରେ ସେହି ଇଂଲଣ୍ଡ ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ। ଅନ୍ତର୍ଜାତୀୟ ଦିନିକିଆରେ ସେ ୩,୦୯୨ ରନ୍ ସଂଗ୍ରହ କରିଥିଲେ।

ପରିବାରରେ ଥିଲେ ଏକାଧିକ କ୍ରିକେଟର

ସୁନୀଲ ଗାଭାସ୍କର ତାଙ୍କ ପରିବାରର ଏକମାତ୍ର ବ୍ୟକ୍ତି ନଥିଲେ, ଯେଉଁମାନେ କ୍ରିକେଟ୍ ଖେଳୁଥିଲେ। ତାଙ୍କ ମାମୁ ମାଧବ ମନ୍ତ୍ରୀ ଭାରତ ପାଇଁ ୪ଟି ଟେଷ୍ଟ୍ ଖେଳିଥିଲେ। ତାଙ୍କ ପୁଅ ରୋହନ ଗାଭାସ୍କର ମଧ୍ୟ ଭାରତକୁ ୧୧ଟି ଦିନିକିଆ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଛନ୍ତି। ସେହିପରି ତାଙ୍କ ଶାଳକ ଜିଆର୍ ବିଶ୍ୱନାଥ ମଧ୍ୟ ଭାରତୀୟ ଦଳର ସଦସ୍ୟ ଥିଲେ। ସେ ଟିମ୍ ଇଣ୍ଡିଆ ପକ୍ଷରୁ ୯୧ଟି ଟେଷ୍ଟ୍ ଖେଳି ୬୦୦୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ। ଗାଭାସ୍କରଙ୍କ ଭଉଣୀ ନୂତନ ମୁମ୍ବାଇର ପ୍ରଥମ ମହିଳା କ୍ଲବ୍ ଅଲ୍‌ବିଜ୍ କ୍ରିକେଟ୍ କ୍ଲବ୍‌ ତରଫରୁ ଖେଳୁଥିଲେ।

ରୋହନ କହ୍ନାଇଙ୍କ ଫ୍ୟାନ୍ ଥିଲେ ଗାଭାସ୍କର

ୱେଷ୍ଟ୍‌ ଇଣ୍ଡିଜ୍ କ୍ରିକେଟର ରୋହନ ଭୋଲାଲାଲ୍‌ କହ୍ନାଇଙ୍କର ବଡ଼ ଫ୍ୟାନ୍ ହେଉଛନ୍ତି ସୁନୀଲ ଗାଭାସ୍କର। ସେଥିପାଇଁ ସେ ନିଜ ପୁଅ ନାଁ ରୋହନ ଗାଭାସ୍କର ରଖିଛନ୍ତି। ରୋହନ କହ୍ନାଇ ଜଣେ ଭାରତୀୟ ବଂଶଦ୍ଭୋବ। ସେ ୱେଷ୍ଟ୍ ଇଣ୍ଡିଜ୍ ତରଫରୁ ୭୯ ଟେଷ୍ଟ୍ ମ୍ୟାଚ୍ ଖେଳି ୬୨୨୯ ରନ୍ କରିଥିବା ବେଳେ ୭ଟି ଦିନିକିଆରୁ ୧୬୪ ରନ୍ କରିଥିଲେ।

ଅଭିନୟ କରିଥିଲେ, ଗୀତ ଗାଇ ଥିଲେ

ଗାଭାସ୍କର ଏକ ମରାଠୀ ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଥିଲେ। ଫିଲ୍ମଟିର ନାଁ- ସଭଲି ପ୍ରେମାଚି। ସେହିଭଳି ୧୯୮୮ ମସିହାରେ ନସୀରୁଦ୍ଦିନ ଶାହଙ୍କ ଫିଲ୍ମ ‘ମାଲାମାଲ୍‌’ରେ ସେ ଅତିଥି କଳାକାର ଭାବେ ଅଭିନୟ କରିଥିଲେ। ଗାଭାସ୍କର ‘ୟା ଦୁନିଆମଧ୍ୟେ ଥମ୍ବାୟାଲା ଭେଲ୍ କୋନାଲା’ ନାଁରେ ଏକ ମରାଠୀ ଗୀତ ବି ଗାଇଥିଲେ।

The post ଯଦି ସୁନୀଲ ଗାଭାସ୍କରଙ୍କ ବାମ କାନରେ ନଥା’ନ୍ତା ସେହି ଛୋଟ ଜାଇ… appeared first on Odisha Reporter.



from Odisha Reporter https://ift.tt/2ZhBC2V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages