କୋରାପୁଟ(ସୂର୍ଯ୍ୟ ପଣ୍ଡା): ସ୍ୱାବ ଟେଷ୍ଟିଂ ରିପୋର୍ଟକୁ ନେଇ ଦେଖାଦେଇଛି ବିବାଦ। ସ୍ୱାବ ଟେଷ୍ଟିଂ କରିଥିବା ଜଣେ ବ୍ୟକ୍ତିଙ୍କ ରିପୋର୍ଟ କେତେବେଳେ ନେଗେଟିଭ ତ କେତେବେଳେ ପଜିଟିଭ ଆସିଥିବା କହୁଛି ପ୍ରଶାସନ। ପ୍ରଥମେ ନେଗେଟିଭ ରିପୋର୍ଟ ଆସିଥିବା କହି ପ୍ରଶାସନ ଛାଡ଼ି ଦେବାରୁ ବ୍ୟକ୍ତିଜଣକ ନିଜ ଦୋକାନ ଖୋଲି ଜିନିଷ ବିକିଲେ। ଏବେ ତାଙ୍କ ଘର ଆଗରେ ଆମ୍ବୁଲାନ୍ସ ରଖି ରିପୋର୍ଟ ପଜିଟିଭ ଥିବା କହି ମେଡିକାଲ ଯିବାକୁ କହିବାରୁ ତାତି ଉଠିଛନ୍ତି ସ୍ଥାନୀୟ ଲୋକେ। ଏହାକୁ ନେଇ ଦେଖାଦେଇଛି ଦ୍ୱନ୍ଦ ଓ ତୀବ୍ର ଅସନ୍ତୋଷ। ଏଭଳି ଘଟଣା ଘଟିଛି ସୁନାବେଡା ଏଇଏଫ କଲୋନୀରେ।
ସୁନାବେଡା ଏଇଏଫ କଲୋନୀରେ ଏକ ଦୋକାନ ଖୋଲି ଜୀବିକା ନିର୍ବାହ କରୁଥିବା ବ୍ୟକ୍ତିଜଣକ ଗଞ୍ଜାମ ଜିଲ୍ଲାରୁ ଫେରିବା ପରେ ତାଙ୍କ ସ୍ୱାବ ନମୁନା ପରୀକ୍ଷା କରାଯାଇଥିଲା । ତେବେ ନମୁନାରେ କରୋନା ଲକ୍ଷଣ ନଥିବା କହି ତାଙ୍କୁ କର୍ତ୍ତୃପକ୍ଷ ଘରକୁ ଫେରିଯିବା ପାଇଁ କହିବା ପରେ ସେ ନିଜ ଦୋକାନ ଖୋଲି ବ୍ୟବସାୟ ଆରମ୍ଭ କରିଥିଲେ । ତେବେ ହଠାତ ଗତକାଲି ତାଙ୍କ ସ୍ୱାବ ନମୁନାରେ କରୋନା ସଂକ୍ରମଣ ଥିବା କହି ଘର ସାମନାରେ ଆମ୍ବୁଲାନ୍ସ ଆସି ଛିଡ଼ା ହୋଇଥିଲା। ଏହାପରେ ପରିସ୍ଥିତି ଅସମ୍ଭାଳ ହୋଇପଡିଲା ।
ଏପରି ଖବର ପ୍ରଚାରିତ ହେବା ପରେ ତାଙ୍କ ଦୋକାନକୁ ଆସି ଦୈନନ୍ଦିନ ଜିନିଷ କିଣିଥିବା ସାହି ବାସିନ୍ଦାଙ୍କ ମଧ୍ୟରେ କୋକୁଆ ଭୟ ଖେଳିଗଲା। ପ୍ରଶାସନର ଏପରି ଦାୟିତ୍ୱହୀନତାକୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରିଥିଲେ। ଏପରିକି ସ୍ୱାବ ରିପୋର୍ଟ ଦେଖାଇବା ପାଇଁ କହିଥିଲେ । କିନ୍ତୁ ଆମ୍ବୁଲାନ୍ସରେ ଆସିଥିବା କର୍ମଚାରୀ ଏ ସଂକ୍ରାନ୍ତରେ କୌଣସି ରିପୋର୍ଟ ଦେଖାଇ ନପାରିବାରୁ ଆମ୍ବୁଲାନ୍ସକୁ ସେଠାରୁ ଖାଲିହାତରେ ଫେରିବାକୁ ପଡିଛି ।
ପ୍ରଶାସନ ତରଫରୁ ରିପୋର୍ଟ ଠିକ୍ ଭାବେ ଦିଆଯାଉନଥିବା ଯୋଗୁଁ ବାରମ୍ବାର ଏହିପରି ଦ୍ଵନ୍ଦ ସୃଷ୍ଟି ହେଉଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି । ସରକାର କରୋନା ପଜିଟିଭ ବା ନେଗେଟିଭର ନିର୍ଣ୍ଣୟ ଠିକ ଭାବେ ନେଇ ଠିକ ସମୟରେ ରିପୋର୍ଟ ଦେବା ପାଇଁ ଜନସାଧାରଣ ଦାବି କରିଛନ୍ତି । ପ୍ରଶାସନର ଏପରି ଖାମଖିଆଲି ମନୋଭାବ ଓ ଦାୟିତ୍ୱହୀନତା ଯୋଗୁ ଆକ୍ରାନ୍ତ ବ୍ୟକ୍ତିଙ୍କ ସମେତ ତାଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ମଧ୍ୟ ବିପଦକୁ ଠେଲି ହୋଇଯାଉଛନ୍ତି।
ପ୍ରଶାସନ ରିପୋର୍ଟରେ ତାଳମେଳ ରହୁ ନ ଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର କୋଭିଡ 19 ନିୟମକୁ କିନ୍ତୁ ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁନାବେଡା ପୌର ଅଧିକାରୀ କହିଛନ୍ତି।
The post ସ୍ୱାବ ରିପୋର୍ଟରେ ରହୁନି ତାଳମେଳ; କେତେବେଳେ ନେଗେଟିଭ, ତ କେତେବେଳେ ପଜିଟିଭ କହୁଛି ପ୍ରଶାସନ appeared first on Odisha Reporter.
from Odisha Reporter https://ift.tt/3jTbXpo
No comments:
Post a Comment