କଟକ(ଓଡ଼ିଶା ରିପୋର୍ଟର): କଟକ ବଡ଼ ମେଡ଼ିକାଲରେ ଚିକିତ୍ସା ନ ପାଇ ହନ୍ତସନ୍ତ ହେଉଛନ୍ତି ଗୁରୁତର ରୋଗୀ। ଗତକାଲି ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି। ବିଷ ପିଇ କଟକ ମେଡିକାଲ ଆସିଥିବା ରୋଗୀଙ୍କର କରୋନା ପଜିଟିଭ ଆସିବା ପରେ ମେଡିକାଲ କାଜୁଆଲିଟିରେ ୧୨ ଘଣ୍ଟା ଧରି ପଡି ଛଟପଟ ହେଉଛନ୍ତି। ହେଲେ ନା ତାଙ୍କ ଚିକିତ୍ସା ଆରମ୍ଭ ହେଉଛି, ନା ତାଙ୍କ ପାଖକୁ କେହି ଯାଉଛନ୍ତି। ଫଳରେ ରୋଗୀଙ୍କ ଅବସ୍ଥା କ୍ରମଶଃ ସଙ୍କଟାପନ୍ନ ହେବାରେ ଲାଗିଛି।
ବାଲେଶ୍ଵର ଅଞ୍ଚଳର ଜଣେ ବ୍ୟକ୍ତି ବିଷ ପିଇ ଗୁରୁତର ହେବାରୁ ଗତ କାଲି ସନ୍ଧ୍ୟା ୬ଟାରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ କେବଳ ସାଲାଇନ ଓ ଇନଞ୍ଜେକସନ ଦେଇ କରୋନା ପରୀକ୍ଷା ପାଇଁ ପଠାଇବା ପରେ ରିପୋର୍ଟ ପଜିଟିଭ ଆସିଲା। ଏହାପରେ ରାତି ୯ଟାରୁ ସେ କାଜୁଆଲିଟିରେ ପଡ଼ି ରହିଛନ୍ତି। କିନ୍ତୁ କୌଣସି ୱାର୍ଡକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଆରମ୍ଭ କରାଯାଉ ନ ଥିବାରୁ ରୋଗୀ ଅବସ୍ଥା ଗୁରୁତର ହେବାରେ ଲାଗିଛି।
ଦୀର୍ଘ ୧୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ରୋଗୀ ବିନା ଚିକିତ୍ସାରେ ବେଡରେ ପଡ଼ି ରହି ଛଟପଟ ହେଉଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ସତ୍ତ୍ୱେ ସେମାନେ ଶୁଣୁ ନ ଥିବାରୁ ଭିଡିଓ ଜରିଆରେ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ଲୋକେ। ଗାଡ଼ି ଆସିଲେ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ କହି ମେଡିକାଲ କର୍ତ୍ତୃପକ୍ଷ ନିଜ ଦାୟିତ୍ୱ ସାରିଛନ୍ତି। କିନ୍ତୁ ରାତି ସାରା ଗାଡ଼ିର ଦେଖା ନାହିଁ। ତେଣୁ ରୋଗୀର ମୃତ୍ୟୁ ହେଲେ ଏଥିପାଇଁ କଟକ ବଡ ମେଡିକାଲ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ରୋଗୀଙ୍କ ପରିବାର ଲୋକେ କହିଛନ୍ତି।
ଅପରପକ୍ଷେ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
The post କଟକ ମେଡିକାଲରେ ଛଟପଟ କରୋନା ରୋଗୀ appeared first on Odisha Reporter.
from Odisha Reporter https://ift.tt/315ahjT
No comments:
Post a Comment