ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଚିନ୍ ପାଇଲଟ କଂଗ୍ରେସ ଛାଡ଼ିବା ପରେ ନେଇ ଦଳର ହାଇକମାଣ୍ଡଙ୍କ ପ୍ରତି ପ୍ରଦୀପ ମାଝୀ ଦେଇଥିବା ବୟାନକୁ ନେଇ ଦଳରେ ଆରମ୍ଭ ହୋଇଯାଇଛି ଝଡ଼ । ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅଙ୍ଗୁଳି ଉଠାଇ ସେ ଅନେକ କିଛି ଆଭାସ ଦେଇଥିବା ବେଳେ ଦଳୀୟ ନେତୃତ୍ୱଙ୍କ ହାବଭାବରେ ସେ ସନ୍ତୁଷ୍ଟ ନଥିବା ପରୋକ୍ଷରେ ଜଣାପଡ଼ୁଛି।
“ତୁଷ୍ଟିକରଣ ରାଜନୀତି ନ ଛାଡ଼ିଲେ ଦଳ ଆଗକୁ ଆହୁରି ବିପର୍ଯ୍ୟୟର ସାମ୍ନା କରିବ। ଲେନିନ, ଷ୍ଟାଲିନ୍ ଓ ନବୀନଙ୍କ ଭଳି ଅନୁଶାସନଭରା କଠୋର ଆଭିମୁଖ୍ୟ ଗ୍ରହଣ ନକଲେ କଂଗ୍ରେସ ହାଇ କମାଣ୍ଡଙ୍କ ପୂର୍ବ ପତିଆରା ରହିବ ନାହିଁ ଏବଂ ଦଳ ଏଥିପାଇଁ ବହୁ ମୂଲ୍ୟ ଦେବ। ଏହା ସହ ବ୍ୟାକ୍ଡୋର ଏଣ୍ଟ୍ରିକୁ ମଧ୍ୟ କଂଗ୍ରେସ ହାଇକମାଣ୍ଡ ବରଦାସ୍ତ କରିବା ଆଦୌ ଉଚିତ୍ ନୁହେଁ।” ରାଜସ୍ଥାନରେ ସଚିନ୍ ପାଇଲଟଙ୍କୁ ନେଇ ସୃଷ୍ଟି ପରିସ୍ଥିତି ସମ୍ପର୍କରେ ଷ୍ଟୁଡିଓ ଆଲୋଚନା ବେଳେ ଗଣମାଧ୍ୟମରେ ଏଭଳି ବକ୍ତବ୍ୟ ରଖିଥିଲେ ପୂର୍ବତନ ନବରଙ୍ଗପୁର ସାଂସଦ ତଥା ଓଡ଼ିଶା କଂଗ୍ରେସର ଟାଣୁଆ ଯୁବ ଚେହେରା ପ୍ରଦୀପ ମାଝୀ।
କଂଗ୍ରେସ ନେତୃତ୍ୱର ଭୁଲ ନିଷ୍ପତ୍ତି ଯୋଗୁ ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ଜାତୀୟସ୍ତରର ନେତା ଦଳ ଛାଡ଼ି ବିଜେପିରେ ମିଶିଲେ। ସେହି ନେତୃତ୍ୱର ସମାନ ନିଷ୍ପତ୍ତି ଯୋଗୁ ସଚିନ ପାଇଲଟ୍ ଦଳଠାରୁ ମୁହଁ ଫେରାଇ ନେଉଛନ୍ତି। ଏଥିପାଇଁ କଂଗ୍ରେସ ଜାତୀୟ ନେତୃତ୍ୱଙ୍କ ତୁଷ୍ଟିକରଣ ଦାୟୀ ଏବଂ ଏହି ଭୁଲକୁ ସ୍ୱୀକାର କରିବାରେ କୌଣସି କୁଣ୍ଠା ନାହିଁ ବୋଲି ଶ୍ରୀ ମାଝୀ କହିଥିଲେ।
ପ୍ରଦୀପଙ୍କ ଏପରି ବୟାନ ପରେ ତାଙ୍କ ବିରୋଧରେ ଗର୍ଜିଛନ୍ତି ବିଧାୟକ ତାରା ବାହିନୀପତି। ପ୍ରଦୀପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ, ଦଳରେ ବିଶୃଙ୍ଖଳା ବଢ଼ିବ ବୋଲି ଚେତାଇ ଦେଇଛନ୍ତି ତାରା। ତାରା କହିଛନ୍ତି, “ପ୍ରଦୀପ କଂଗ୍ରେସରେ ମିଶିବା ପରେ କଂଗ୍ରେସ ଦଳ ତାଙ୍କୁ ଜିଲ୍ଲା ପରିଷଦ ସଭାପତି କଲା, ଏମ୍ପି କଲା, ରାଜ୍ୟରେ ଯୁବ କଂଗ୍ରେସ ସଭାପତି, ଆଦିବାସୀ ସେଲ୍ ସଭାପତି, କେନ୍ଦ୍ରରେ ଯୁବ କଂଗ୍ରେସର ଜେନେରାଲ ସେକ୍ରେଟାରୀ ପଦବୀ ଦେଲା। ଗାନ୍ଧୀ ପରିବାରଠୁ ଏତେ ସବୁ ପଦବୀ ପାଇବା ସତ୍ତ୍ୱେ ସେ ଯାହା କହୁଛନ୍ତି ବିଚାର କରିବା ଦରକାର। ଏହାସତ୍ତ୍ୱେ ଗାନ୍ଧୀ ପରିବାର ଉପରେ ଆରୋପ ଲଗାଇବା ଦୁର୍ଭାଗ୍ୟଜନକ। ଯାହାର ଇଚ୍ଛା ଅଛି କଂଗ୍ରେସରେ ରହିବ, ନ ହେଲେ ଛାଡ଼ିବ ବୋଲି ଖୋଲାଖୋଲି କହିଛନ୍ତି ତାରା ।”
ଏହାବ୍ୟତୀତ ପ୍ରଦୀପ ଗଣମାଧ୍ୟମରେ ଲୋକଙ୍କୁ ଓ ଦଳର ହାଇକମାଣ୍ଡଙ୍କୁ ଭୁଲ୍ ମାଗନ୍ତୁ ବୋଲି କହିଛନ୍ତି ଦେବାଶିଷ ପଟ୍ଟନାୟକ। ତାଙ୍କୁ ଯଦି ଦଳ ଭଲଲାଗୁନି, ଅଲଗା ଦଳ ଦେଖନ୍ତୁ ବୋଲି ମଧ୍ୟ ସେ ପରାମର୍ଶ ଦେଇଛନ୍ତି।
The post ‘ଇଚ୍ଛା ହେଲେ କଂଗ୍ରେସରେ ରୁହ, ନ ହେଲେ ଦଳ ଛାଡ଼’ appeared first on Odisha Reporter.
from Odisha Reporter https://ift.tt/30mbu66
No comments:
Post a Comment