ଜୟପୁର: ରାଜସ୍ଥାନ କଂଗ୍ରେସରେ ସୃଷ୍ଟି ହୋଇଥିବା ଦଳୀୟ କନ୍ଦଳ ଏବେ ବିସ୍ଫୋରକ ସ୍ଥିତିରେ ପହଞ୍ଚି ଯାଇଛି। ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ବିଜେପିକୁ ଯିବା ନେଇ ଚର୍ଚ୍ଚା ଜୋର ଧରିଥିବାରୁ କଂଗ୍ରେସ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି।
ଆଜି ଦିନ ୧୦.୩୦ରେ କଂଗ୍ରେସର ବିଧାୟକ ଦଳ ବୈଠକ ବସିବ। ଏଥିରେ ସମସ୍ତ ବିଧାୟକଙ୍କୁ ଯୋଗଦେବାକୁ ହ୍ୱିପ ଜାରି କରାଯାଇଛି। ଯଦି ସଚିନ ପାଇଲଟ ଓ ତାଙ୍କ ସମର୍ଥନରେ ଥିବା ବିଧାୟକମାନେ ଏଥିରେ ଯୋଗଦେବେ ନାହିଁ, ତା’ହେଲେ କଂଗ୍ରେସ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛି।
ସଚିନ ପାଇଲଟ ବୈଠକରେ ଯୋଗ ନ ଦେଲେ, ତାଙ୍କୁ ରାଜସ୍ଥାନ କଂଗ୍ରେସ ମୁଖ୍ୟ ପଦରୁ ଦଳ ବିଦା କରିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ତାଙ୍କ ବଦଳରେ ରଘୁବୀର ମୀନା ରାଜସ୍ଥାନ କଂଗ୍ରେସର କମାଣ ଧରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ତେଣୁ ଆଜି ୧୦.୩୦ରେ ହେବାକୁ ଥିବା ବୈଠକ ଉପରେ ସମସ୍ତଙ୍କ ନଜର ରହିଛି।
ଗତକାଲି ବିଳମ୍ବିତ ରାତିରେ କଂଗ୍ରେସର ବିଧାୟକ ଦଳ ବୈଠକ ବସିଥିଲା। ରାତି ପ୍ରାୟ ୨.୩୦ରେ ବୈଠକ ଶେଷ ହୋଇଥିଲା। ବୈଠକ ପରେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଅଶୋକ ଗେହଲଟ ସରକାରଙ୍କ ସହ ୧୦୯ ଜଣ ବିଧାୟକ ରହିଛନ୍ତି। ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ କଂଗ୍ରେସର ହିଁ ସଂଖ୍ୟା ଗରିଷ୍ଠତା ରହିଛି ବୋଲି ଦଳ ଦାବି କରିଛି। ଏପରି କି ଦଳ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମର୍ଥନ କରୁଥିବା ୧୦୯ ବିଧାୟକଙ୍କ ଦସ୍ତଖତ ରଖିଥିବା କହିଛି।
The post ସଚିନ ଆଣ୍ଡ କୋଙ୍କୁ ବିଦା କରିବ କଂଗ୍ରେସ, ରଘୁବୀର ମୀନା ହେବେ ରାଜସ୍ଥାନ ମୁଖ୍ୟ! appeared first on Odisha Reporter.
from Odisha Reporter https://ift.tt/303qaXJ
No comments:
Post a Comment