- ଶୁଭମ ଶାଶ୍ୱତ ପୃଷ୍ଟି
ସେ ଦିନ ଥିଲା ୧୯୯୯ ମସିହା ଜୁଲାଇ ୨୬। କାରଗିଲର ବାଟଲିକ-ଡ୍ରାସ ସେକ୍ଟର ମଧ୍ୟବର୍ତ୍ତୀ ଅଞ୍ଚଳର ଥିବା ଟାଇଗର ହିଲର ଶୀର୍ଷଭାଗରେ ଭାରତୀୟ ସେନାର ଯବାନ ମାନେ ଉଡାଇ ଥିଲେ ବିଜୟୀ ଧ୍ୱଜା। ୩ମେ’ରୁ ଆରମ୍ଭ ହୋଇଥିବା ଅପରେସନ ବିଜୟ ଦୀର୍ଘ ୨ ମାସ ୩ ସପ୍ତାହ ୨ ଦିନ ପରେ ସମାପ୍ତ ହୋଇଥିଲା। ଯୁଦ୍ଧକ୍ଷେତ୍ରରେ ଭାରତୀୟ ସେନା ତାର ବୀରତ୍ୱର ପରାକାଷ୍ଠା ଦେଖାଇ ବିଶ୍ୱ ପଟଳରେ ନିଜର ସାହାସିକତା ପ୍ରଦର୍ଶନ କରିଥିଲା। ୧୪ ଜୁଲାଇରେ ଅପରେସନ ବିଜୟର ସଫଳତା ପରେ ଲେଫ୍ଟନାଣ୍ଟ ଜେନେରାଲ ଚନ୍ଦ୍ର ଶେଖର ସେତେବେଳର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସୂଚନା ଦେବା ପରେ ସେ ପାକିସ୍ତାନ ସହ କଥା ହେବା ପାଇଁ କିଛି ସର୍ତ୍ତ ଉପସ୍ଥାପନ କଲେ। ଆଉ ସେ ସର୍ତ୍ତଗୁଡ଼ିକର ଆଲୋଚନା ସରିବା ପରେ ଜୁଲାଇ ୨୬ରେ ଯୁଦ୍ଧ ପରିସମାପ୍ତି ଘୋଷଣା ହେବା ସହ ଭାରତ ବିଜୟ ହେଲା।
ତେବେ ୩ ମେ’ ରେ କିଛି ମେଣ୍ଢା ପାଳକ ଆତଙ୍କବାଦୀ ପ୍ରଵେଶ ନେଇ ସୂଚନା ଦେଇଥିଲେ। ୫ ମେ’ରେ ୫ ଜଣ ଯବାନ ସନ୍ଧାନରେ ଯାଇଥିବା ସମୟରେ ସେମାନଙ୍କୁ ଅକସ୍ମାତ ଆକ୍ରମଣ କରି ହତ୍ୟା କରାଯାଇଥିଲା। ୮ମେ’ ରେ ଭାରତୀୟ ସେନା ଯେତେବେଳେ ୨ ଆତଙ୍କିଙ୍କୁ ମାରିଲା ସେତେବେଳେ ସେମାନେ ପାକିସ୍ତାନ ସେନାର ବୋଲି ଜାଣିପାରିଲା। ୯ ମେ’ରେ ପାକିସ୍ଥାନ ପଟୁ ପ୍ରବଳ ଗୁଳି ଗୋଳ ବର୍ଷଣ ଆରମ୍ଭ ହୋଇଗଲା। ୧୦ ମେ’ରେ ଡ୍ରାସ, କାକସର୍, ମୁସ୍କୋନ ଅଞ୍ଚଳରେ ଅନୁପ୍ରବେଶକୁ ଦେଖି ରାଜପୁତାନା ରାଇଫଲସର ମେଜର ବିବେକ ଗୁପ୍ତା ପ୍ରତିରୋଧ କରିବା ପାଇଁ ଅଗ୍ରସର ହେଲେ। ଧୀରେ ଧୀରେ ଯୁଦ୍ଧର ସ୍ଥିତି ବଢ଼ୁଥିବା ଦେଖି ସେନାଧ୍ୟକ୍ଷ ଜେନେରାଲ ବେଦ ପ୍ରକାଶ ମଲ୍ଲିକ ୧୮ ଗ୍ରେନେଡିଅର୍ସ, ୧୩ ଜାମ୍ମୁ କାଶ୍ମୀର ରାଇଫଲ ଏବଂ ୨ ନାଗାର ଯବାନ ମାନଙ୍କୁ ମେ’ ୨୪ ତାରିଖରେ ଆଗକୁ ବଢ଼ିବାର ଆଦେଶ ଦେଲେ। ଏହାର ଠିକ ତିନିଦିନ ପରେ ଅର୍ଥାତ୍ ୨୭ ତାରିଖରେ ଭାରତୀୟ ବାୟୁ ସେନାର ଦୁଇ ବିମାନ ମିଗ୍-୨୧ ଏବଂ ମିଗ୍-୨୭କୁ ପାକିସ୍ତାନ ଟ୍ୟାଙ୍କ ଯୋଗେ ଧ୍ୱଂସ କରିଥିଲା। ଠିକ୍ ତା’ ପରଦିନ ୪ ବାୟୁସେନାର ଅଧିକାରୀଙ୍କୁ ପିଓକେ ଅଞ୍ଚଳରେ ଅତି ନିର୍ମମ ଭାବେ ଗୁଳିକରି ହତ୍ୟା କରାଯାଇଥିଲା। ତେବେ ୧ ଜୁନ୍ ଥିଲା ଭାରତୀୟଙ୍କ ପାଇଁ ସଂଘର୍ଷର ଦିନ। କାରଗିଲରୁ ଲେହ ଲଦାଖକୁ ଯୋଡୁଥିବା ଜାତୀୟ ରାଜପଥ-୧କୁ ଟ୍ୟାଙ୍କର ଗୋଳାରେ ପାକିସ୍ଥାନୀ ସେନା ନଷ୍ଟ କରିଦେଲା। ଏହାପରେ ୫ ଜୁନରୁ ୯ ଜୁନ ମଧ୍ୟରେ ବାଟାଲିକ ଅଞ୍ଚଳରେ ସେନାର ମେଜରମାନଙ୍କ ଭିତରେ ହେଲା ସମ୍ମିଳିତ ଆଲୋଚନା। ୧/୧୧ ଗୁରଖା ରାଇଫଲର କର୍ଣ୍ଣଲ ମେଜର ଲଳିତ ରାୟ ଟୋଲଲିଙ୍ଗ ଅଞ୍ଚଳରେ ଗରିଲା ଯୁଦ୍ଧ ପାଇଁ ଲେଫ୍ଟନାଣ୍ଟ ମନୋଜ ପାଣ୍ଡେଙ୍କୁ ଆଦେଶ ଦେଲେ। ଖୁବ ଉଚ୍ଚତାରେ ଥିବା ପାହାଡ଼ ଗୁଡିକରୁ ପାକିସ୍ଥାନ ସେନା ଭାରତୀୟ ସୈନ୍ୟ ବାହିନୀ ଉପରେ କଡ଼ା ନଜର ରଖିଥାଏ। ସେହିପରି ଡ୍ରାସର ଅପରପାର୍ଶ୍ଵ ଅଞ୍ଚଳରେ ୧୨ ବିହାର ରେଜିମେଣ୍ଟ ଏବଂ ୧୮ ଗ୍ରେନେଡିଅରର ଯବାନ ମାନେ ଧୀରେ ଧୀରେ ଆଗକୁ ଅଗ୍ରସର ହେଉଥିଲେ। ୧୧ ଜୁନରେ ଭାରତ ପ୍ରମାଣ ସହ ପାକିସ୍ଥାନ ସେନାଧ୍ୟକ୍ଷ ଜେନେରାଲ ପରଭେଜ ମୁସାରଫଙ୍କ ଗତିବିଧି ଉପରେ ପ୍ରଶ୍ନ ଉଠାଇଲା।
୧୩ ଜୁନ୍ରେ ଡ୍ରାସ ଅଞ୍ଚଳର ଟୋଲଲିଙ୍ଗ ସେକ୍ଟରକୁ ଭାରତୀୟ ସେନା କବଜା କରିବାରେ ସକ୍ଷମ ହେଲା।ଏହାକୁ ଦେଖି ୧୫ ଜୁନରେ ଆମେରିକାର ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ପାକିସ୍ଥାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ସେନା ପ୍ରତ୍ୟାହାର ପାଇଁ ଫୋନ ଯୋଗେ କହିଲେ। ଜୁନ ୧୯ ଲଦାଖ ସ୍କାଉଟ ଟାଇଗର ହିଲ୍ କବଜା କରିବାକୁ ଯାଇ ବହୁ ସୈନ୍ୟଙ୍କୁ ହରାଇଲା। ତେବେ ଏହା ଭିତରେ ୨୭ ରୁ ୨୯ ଜୁନ ମଧ୍ୟରେ ଟାଇଗର ହିଲରେ ପାକିସ୍ଥାନର ଗତିବିଧିକୁ ଲକ୍ଷ୍ୟ କରି ଭାରତୀୟ ଯବାନ ଆଗକୁ ବଢିଲେ। ୪ ଜୁଲାଇରେ ଭାରତୀୟ ସେନାକୁ ମିଳିଲା ଏକ ବଡ଼ ସଫଳତା। ଦୀର୍ଘ ୧୧ ଘଣ୍ଟାର ଲଢେ଼ଇ ପରେ ଟାଇଗର ହିଲକୁ କବଜା କଲା ଭାରତୀୟ ସେନା। ଏହାକୁ ଦେଖି ୫ ଜୁଲାଇରେ ପାକିସ୍ଥାନ ପ୍ରଧାନମନ୍ତ୍ରୀ ସୈନ୍ୟବାହିନୀ ପ୍ରତ୍ୟାହାର ହେବ ବୋଲି ଆମେରିକୀୟ ରାଷ୍ଟ୍ରପତିଙ୍କୁ ଜଣାଇଲେ। ହେଲେ କାପୁରୁଷତାର ଚରମ ସୀମାରେ ଥିବା ପାକିସ୍ଥାନ ଜେନେରାଲ ପରଭେଜ ମୁସାରଫ ସୈନ୍ୟ ପ୍ରତ୍ୟାର୍ପଣ ବଦଳରେ ଓଲଟା ଯୁଦ୍ଧକୁ ଜୋରଦାର କରିବା ପାଇଁ ମନସ୍ଥ କଲେ। ହେଲେ ଫଳାଫଳ ସମ୍ପୂର୍ଣ୍ଣ ଓଲଟା ହୋଇଗଲା। ବାଟଲିକ ଅଞ୍ଚଳରେ ଭାରତୀୟ ସେନାର ପରାକ୍ରମ ପାକିସ୍ଥାନୀ ସେନାକୁ ପଛକୁ ହଟାଇବାରେ ସକ୍ଷମ ହେଲା। ୭ ଜୁଲାଇରୁ ୧୧ ଜୁଲାଇ ମଧ୍ୟରେ ଯୁଦ୍ଧ ଜୋରଦାର ହେଲା ଏବଂ ପରିଶେଷରେ ପାକିସ୍ଥାନ ପଛକୁ ହଟିଲା। ପରମବୀର ଚକ୍ର ଲେଫ୍ଟନାଣ୍ଟ ମନୋଜ ପାଣ୍ଡେଙ୍କ ଶେଷ ପଦକୁ ସାଥୀ ଯବାନ ମାନେ ଯେତେବେଳେ ଆସି ଦୋହରାଇଲେ ସେତେବେଳେ ସମସ୍ତଙ୍କ ଛାତି ଗର୍ବରେ ଫୁଟିଉଠିଲା। ସେ କହିଥିଲେ” ଜୀବନ ଯେତିକି ଦିନ ହେଉ ନା କାହିଁକି, ସିଂହ ଭଳି ବଞ୍ଚିବାକୁ ହେବ। ମୋର ଶେଷ ନିଶ୍ଵାସ ଓ ଶେଷ ରକ୍ତ ବିନ୍ଦୁ ଥିଲା ପର୍ଯ୍ୟନ୍ତ ମୁଁ କାୟର ପାକିସ୍ତାନୀ ସେନାଙ୍କୁ ୧ ଇଞ୍ଚ ଭିତରକୁ ପ୍ରଵେଶ କରିବାକୁ ଦେବିନି। ଶେଷ ପର୍ଯ୍ୟନ୍ତ ଲଢେଇ କରିବି“।
ସେହିପରି ୧୮ ଗ୍ରେନେଡିଅରର କ୍ୟାପେଟନ ବିକ୍ରମ ବାର୍ତ୍ତା କହିଥିଲେ “ୟେ ଦିଲ ମାଙ୍ଗେ ମୋର” ଅର୍ଥାତ ତୁମେ ଆହୁରି ଯବାନ ପଠାଅ ମୁଁ ସମସ୍ତଙ୍କୁ ସଫା କରିଦେବି। କାରଗିଲର କାହାଣୀ ଶୁଣି ଆଜିବି ଭାରତୀୟ ସେନା ନିଜକୁ ଗର୍ଵ ଅନୁଭବ କରନ୍ତି। ଏମାନଙ୍କୁ ନେଇ ଆଜି ସାରା ଦେଶ ଗର୍ବିତ।
The post କାରଗିଲ ଦିବସ appeared first on Odisha Reporter.
from Odisha Reporter https://ift.tt/3g2RWdN
No comments:
Post a Comment