ନିଆରା ମଣିଷ ବାସୁଦେବ; ସଞ୍ଚିଥିଲେ ୧୪ ଲକ୍ଷ, ଜିଲ୍ଲାପାଳଙ୍କୁ କଲେ ନୋମିନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 27, 2020

ନିଆରା ମଣିଷ ବାସୁଦେବ; ସଞ୍ଚିଥିଲେ ୧୪ ଲକ୍ଷ, ଜିଲ୍ଲାପାଳଙ୍କୁ କଲେ ନୋମିନି

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ପିତା ମାତାଙ୍କ ଅନ୍ତେ ସେମାନଙ୍କ ସମ୍ପତ୍ତି ଭୋଗ କରିବାର ଅଧିକାର କେବଳ ସନ୍ତାନମାନଙ୍କ ନିକଟରେ ଥାଏ। ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏପରି ପ୍ରଥାରୁ ବାହାରି ଟିକେ ଭିନ୍ନ ପଦକ୍ଷେପ ନେଇଛନ୍ତି ଜଗତସିଂହପୁର ଜିଲ୍ଲା ସିପି ଗ୍ରାମର ଆଇନଜିବୀ ବାସୁଦେବ । ନିଜର ୨ ପୁଅ ଥିବା ସତ୍ତ୍ୱେ ନିଜ ନାମରେ ତଥା ପତ୍ନୀଙ୍କ ନାମରେ ଥିବା ୧୪ ଲକ୍ଷ ଟଙ୍କା ଜମାରାଶିର ନୋମିନି ଭାବେ ସେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ରଖି ଅନନ୍ୟ ଉଦାହାରଣ ସୃଷ୍ଟି କରିଛନ୍ତି। ସମାଜରୁ କେବଳ ନେବା ମନୋବୃତ୍ତି ଛାଡ଼ି କିଛି ଦେବା ପାଇଁ ଆହ୍ୱାନ ଜଣାଇଥିବା ଏହି ନିଆରା ମଣିଷଙ୍କ ଏପରି ପଦକ୍ଷେପକୁ ତାଙ୍କ ପରିବାରବର୍ଗ ମଧ୍ୟ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।

ଜଗତସିଂହପୁର ପୈାରାଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ୱର ୨୧ ର ସିପି ଗ୍ରାମରେ ଆଇନଜିବୀ ବାସୁଦେବଙ୍କ ଘର। କଲେଜରେ ପଢ଼ିବା ସମୟରୁ  ହିଁ ସମାଜ ପାଇଁ କିଛି କରିବାର ମନୋବୃତ୍ତି ତାଙ୍କୁ ଦେଇଛି ଭିନ୍ନ ପରିଚୟ। ପେଶାରେ ଜଣେ ଆଇନଜିବୀ ହୋଇଥିବା ବାସୁଦେବ ନିଜ ହକ‌୍‍ ପାଇଁ ଲଢୁଥିବା ସମାଜର ସବୁବର୍ଗର ଲୋକମାନଙ୍କ ଆନ୍ଦୋଳନରେ ନିଜକୁ ସାମିଲ କରି ଆସିଛନ୍ତି ।

ବାସୁଦେବ ନିଜ ନାମରେ ଥିବା ୧୨ ଲକ୍ଷ ଟଙ୍କା ଏବଂ ପତ୍ନୀଙ୍କ ନାମରେ ଥିବା ୨ ଲକ୍ଷ ଟଙ୍କାର ସ୍ଥାୟୀ ଜମାରାଶିର ନୋମିନି ଭାବେ ସେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ରଖିଛନ୍ତି। ଏଥିନିମନ୍ତେ ପ୍ରଥମେ ସେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିବା ପରେ ତାହା ତତ୍‌କ୍ଷଣାତ କାର୍ଯ୍ୟକାରୀ ମଧ୍ୟ ହୋଇଯାଇଛି। ବାସୁଦେବଙ୍କ ଏଭଳି ମହନୀୟ କାର୍ଯ୍ୟକୁ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ସବୁବର୍ଗର ଲୋକ  ସ୍ୱାଗତ କରିଛନ୍ତି।

ଏହା ବାସୁଦେବଙ୍କ ପ୍ରଥମ ଜନହିତକର କାମ ନୁହେଁ। ଏହାର ତାଲିକା ବହୁତ ଲମ୍ବା। ନିଜ ବଡ଼ ପୁଅଙ୍କ ବିବାହ କାର୍ଯ୍ୟ ନିରାଡମ୍ୱର ଭାବେ ପାଳନ କରି ସେଥିରୁ ସଞ୍ଚିତ ଅର୍ଥ ସେ ଭାରତର ପ୍ରତିରକ୍ଷା ପାଣ୍ଠିକୁ ଦାନ କରିଥିଲେ। ଏଥିପରେ ସାନ ପୁଅ ବିବାହ ଅର୍ଥରେ  ଏକ ମାନବ ଟ୍ରଷ୍ଟ ଗଠନ  କରି ଗ୍ରାମବାସୀଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ଏବେ ନିଜ ନାମରେ ତଥା ପତ୍ନୀ ବିଦ୍ୟୁତପ୍ରଭାଙ୍କ ନାମରେ ଥିବା  ଥିବା ଜମାରାଶିର ନୋମିନି ଭାବେ ଜିଲ୍ଲାପାଳଙ୍କୁ ରଖି ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ବାସୁଦେବ। ଏହି ଅର୍ଥ ସମାଜର ଅବହେଳିତ ଓ ନିଷ୍ପେଷିତ ଲୋକଙ୍କ ହିତରେ ଲାଗିବା ପାଇଁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ଭବିଷ୍ୟତରେ ମଧ୍ୟ ସେ ଏହିଭଳି ଅଧିକ ଅର୍ଥ ଦାନ କରିବାକୁ ମନସ୍ଥ କରିଥିବା ବେଳେ ସମାଜରୁ କେବଳ ନେବା ମନୋବୃତ୍ତି ଛାଡ଼ି କିଛି ଦେବା ପାଇଁ ଆହ୍ୱାନ ଦେଇଛନ୍ତି। ଏହି ମହତ କାର୍ଯ୍ୟରେ ତାଙ୍କ ପତ୍ନୀ ଓ ପୁଅ ମଧ୍ୟ ସହଯୋଗ କରିବା ସହିତ ନିଜକୁ ଗର୍ବିତ ମନେ କରିଛନ୍ତି।

ଏ ସମ୍ପର୍କରେ ବାସୁଦେବ କହିଛନ୍ତି, “ଆମେ ସମସ୍ତେ ସମାଜଠାରୁ ବହୁତ କିଛି ନେଇଛନ୍ତି। ତେଣୁ ସମାଜ ପ୍ରତି କିଛି କର୍ତ୍ତବ୍ୟ ମଧ୍ୟ ରହିବା ଜରୁରୀ। ଏହା ଭାବି ଏପରି ପଦକ୍ଷେପ ନେଇଛି। ମୃତ୍ୟୁ ପୂର୍ବରୁ ଅଧିକ ଦାନ କରିବାକୁ ଚେଷ୍ଟା କରିବି। ଏହା ସହ କିଛି ଜମି ବିକ୍ରି କରି ମଧ୍ୟ ଟଙ୍କା ସମାଜ କଲ୍ୟାଣ ପାଇଁ କିଛି ଅର୍ଥ ଦାନ କରିବି।”

ସ୍ୱାମୀଙ୍କ ଏପରି ପଦକ୍ଷେପରେ ବହୁତ  ଖୁସି ଥିବା ବାସୁଦେବଙ୍କ ସ୍ତ୍ରୀ ବିଦ୍ୟୁତ୍‌ପ୍ରଭା କହିଛନ୍ତି , “୩୫ ବର୍ଷ ହେବ ସ୍ୱାମୀଙ୍କ ହାତ ଧରି ବାଟ ଚାଲୁଥିବା ବେଳେ ତାଙ୍କର ସବୁ ନିଷ୍ପତ୍ତିକୁ ସମର୍ଥନ ଜଣାଇ ଆସିଛି। ସ୍ୱାମୀଙ୍କ ଏପରି ପଦକ୍ଷେପରେ ମଧ୍ୟ ମୁଁ ପୂରା ଗର୍ବିତ। ଯେଉଁମାନେ କିଛି ସୁବିଧା ପାଉ ନାହାନ୍ତି, ସେମାନଙ୍କ ପାଇଁ ଖର୍ଚ୍ଚ ହେଲେ ଖୁସି ହେବୁ ।”

ବାସୁଦେବଙ୍କ ପୁଅ ବିସ୍ମୟ କୁମାର ଷ୍ଟାଲିନ କହିଛନ୍ତି, “ବାପାଙ୍କ ଏପରି ପଦକ୍ଷେପରେ ମୁଁ ବହୁତ ଖୁସି। ନିଜ ଧନ ନିଜ ପରିବାର ବ୍ୟତୀତ କିପରି ସମାଜ ପାଇଁ ବିନିଯୋଗ ହୋଇପାରିବ, ସେ ବାର୍ତ୍ତା ଦେବ। ଏହା ସମସ୍ତଙ୍କ ପାଇଁ ଉଦାହାରଣ ସୃଷ୍ଟି କରିବ। ମୁଁ ମଧ୍ୟ ଏହାଦ୍ୱାରା ଅନୁପ୍ରାଣିତ ହୋଇ ଆଗକୁ ଏପରି କାର୍ଯ୍ୟ ଜାରି ରଖିଛି।”

ଏ ସମ୍ପର୍କରେ ଜଗତସିଂହପୁର ଜିଲ୍ଲାପାଳ କହିଛନ୍ତି, “ ବାସୁଦେବ ନିଜେ ଆସି ତାଙ୍କର ଏପରି ମନୋଭାବ ସମ୍ପର୍କରେ ଜଣାଇଲେ।  ଏହା ନିହାତି ଭାବେ ଏକ ସ୍ୱାଗତଯୋଗ ପଦକ୍ଷେପ। ଏ ପ୍ରକାର ଆଭିମୁଖ୍ୟ ବଡ଼ କଥା। ଏହା ଯୁବ ଗୋଷ୍ଠୀ ପାଇଁ ପ୍ରେରଣାଦାୟୀ ଖବର। ଏହା ଅନ୍ୟମାନଙ୍କୁ ଆଗେଇ ଆସିବାକୁ ପ୍ରେରଣା ଦେବ। ”

The post ନିଆରା ମଣିଷ ବାସୁଦେବ; ସଞ୍ଚିଥିଲେ ୧୪ ଲକ୍ଷ, ଜିଲ୍ଲାପାଳଙ୍କୁ କଲେ ନୋମିନି appeared first on Odisha Reporter.



from Odisha Reporter https://ift.tt/3jPWAya

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages