ନୂଆଦିଲ୍ଲୀ: ଦଳ ବିରୋଧରେ ବିଦ୍ରୋହ ଘୋଷଣା କରି ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସର ପ୍ରଦେଶ କମିଟି ମୁଖ୍ୟ ପଦରୁ ବରଖାସ୍ତ ହୋଇଥିବା ସଚିନ ପାଇଲଟ ଆଜି ମୁହଁ ଖୋଲିଛନ୍ତି। ଆଜି ୧୦ଟାରେ ସେ ସାମ୍ବାଦିକ ସମ୍ମିଳନୀ କରି ବଡ଼ ଘୋଷଣା କରିବାର ଥିଲା। ହେଲେ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରାଯାଇଛି।
ତେବେ କିଛି ଗଣମାଧ୍ୟମକୁ ଫୋନ ଯୋଗେ ସଚିନ ପାଇଲଟ ପୂରା ଘଟଣା ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। କଂଗ୍ରେସ ବିରୋଧରେ ବିଦ୍ରୋହ ଘୋଷଣା କରିଥିବାରୁ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏହି ଚର୍ଚ୍ଚାରେ ଶ୍ରୀ ପାଇଲଟ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।
ସେ କହିଛନ୍ତି, ମୁଁ କୌଣସି ପ୍ରକାରର ବିଜେପିରେ ମିଶିବି ନାହିଁ। ମୁଁ ୫ ବର୍ଷ ନିରବଚ୍ଛିନ୍ନ ଭାବେ କଂଗ୍ରେସ ପାଇଁ କାମ କରି ବିଜେପି ବିରୋଧରେ ଲଢ଼ିଛି। ରାଜସ୍ଥାନରେ ବିଜେପିକୁ ହଟାଇ କଂଗ୍ରେସ ସରକାର ଆଣିବା ପାଇଁ ଜୋରଦାର ଉଦ୍ୟମ କରିଥିଲି। ଯଦି କେହି କଂଗ୍ରେସ ଛାଡ଼ୁଛି, ତା’ହେଲେ ସେ ବିଜେପିରେ ଯୋଗଦେବ ବୋଲି ଭାବିବା ଭୁଲ।
ମୁଁ ବିଜେପିରେ ସାମିଲ ହେବାର ପ୍ରଶ୍ନ ଉଠୁନାହିଁ। ଯେଉଁମାନେ ମୁଁ ବିଜେପିରେ ଯୋଗଦେବି ବୋଲି କହୁଛନ୍ତି, ସେମାନେ କେବଳ ମୋ ଛବିକୁ ଖରାପ କରିବାକୁ ଚାହୁଁଛନ୍ତି। ମୋ ବିଷୟରେ ଅନେକ କିଛି କୁହାଯାଇଛି ଓ ମୋତେ ପଦରୁ ହଟାଇ ଦିଆଯାଇଛି। ତଥାପି ମୁଁ ଦଳ ବିରୋଧରେ ପଦୁଟିଏ ବି କହିନାହିଁ ବୋଲି ସଚିନ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମ୍ପର୍କରେ ସେ କହିଛନ୍ତି, “ରାହୁଲ ଗାନ୍ଧି ଆଉ କଂଗ୍ରେସର ଅଧ୍ୟକ୍ଷ ନାହାନ୍ତି। ରାହୁଲ ଗାନ୍ଧି ଗତବର୍ଷ ପଦ ଛାଡ଼ିବା ପରେ ଗେହଲଟଜୀ ଓ ତାଙ୍କ ସହଯୋଗୀମାନେ ମୋ ବିରୋଧରେ ଚକ୍ରାନ୍ତ ଆରମ୍ଭ କରିଥିଲେ। ଏଆଇସିସି ନିକଟରେ ମଧ୍ୟ ମୋ ବିରୋଧରେ ଫେରାଦ ହୋଇଥିଲେ। ସେବେଠାରୁ ମୁଁ ମୋର ଆତ୍ମସମ୍ମାନର ସୁରକ୍ଷା କରିବାରେ ଅନେକ କଷ୍ଟ କରିଆସୁଛି।
ମୁଁ ଗେହଲଟଜୀଙ୍କ ଉପରେ ଆଦୌ ରାଗୁନାହିଁ। ମୁଁ କୌଣସି ସ୍ୱତନ୍ତ୍ର କ୍ଷମତା କିମ୍ବା ସମ୍ମାନ ଚାହୁଁନାହିଁ। କଂଗ୍ରେସ ସରକାର ଗଠନ ହେବା ପୂର୍ବରୁ ରାଜସ୍ଥାନବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତା’କୁ ଦୃଷ୍ଟିରେ ରଖି କେମିତି କାର୍ଯ୍ୟ କରାଯିବ ମୁଁ ସେକଥା ଚାହୁଁଛି। ରାଜସ୍ଥାନର ବିକାଶ ପାଇଁ ଗେହଲଟଜୀ ମୋତେ କିମ୍ବା ମୋ ସହଯୋଗୀଙ୍କୁ ଉପଯୁକ୍ତ କାର୍ଯ୍ୟ କରିବାକୁ ଦେଉନାହାନ୍ତି।
ପ୍ରଶାସନିକ ଅଧିକାରୀଙ୍କୁ ମୋ କଥା ଶୁଣିବାକୁ ବାରଣ କରାଯାଇଛି, ମୋ ପାଖକୁ କୌଣସି ଫାଇଲ ପଠାଯାଉନାହିଁ, କ୍ୟାବିନେଟ ମିଟିଂ ଓ ବିଧାୟକ ଦଳ ଦୀର୍ଘ ଦିନ ହେଲା ଅନୁଷ୍ଠିତ ହେଉନାହିଁ। ମୁଁ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଯଦି ପୂରଣ କରିପାରିବି ନାହିଁ, ତା’ହେଲେ ମୁଁ କାହିଁକି ସରକାରରେ ରହିବି?
ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଓ ଗେହଲଟଜୀଙ୍କୁ ମୁଁ ଏ ବିଷୟରେ ଜଣାଇଥିଲି। ହେଲେ କେହି ବି ଏହାକୁ ଗୁରୁତ୍ୱର ସହ ନେଲେନାହିଁ।”
The post ସାମ୍ବାଦିକ ସମ୍ମିଳନୀ ରଦ୍ଦ କଲେ ସଚିନ ପାଇଲଟ, ବିଜେପିରେ ମିଶିବା ପ୍ରସଙ୍ଗରେ ମୁହଁ ଖୋଲିଲେ appeared first on Odisha Reporter.
from Odisha Reporter https://ift.tt/3eu5YU0
No comments:
Post a Comment