ନୂଆଦିଲ୍ଲୀ: ଗୁରୁବାର କରୋନା ଭୂତାଣୁକୁ ନେଇ କରାଯାଇଥିବା ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି। ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହା ଜାରି କରିଛନ୍ତି। ୨୯ ପ୍ରତିଶତ ଦିଲ୍ଲୀ ବାସିନ୍ଦାଙ୍କ ଶରୀରରେ ଆଣ୍ଟିବଡି ରହିଥିବା ରିପୋର୍ଟରୁ ଜଣାପଡ଼ିଛି। ଅର୍ଥାତ୍ ଦିଲ୍ଲୀରେ ପାଖାପାଖି ୫୮ ଲକ୍ଷ ଲୋକଙ୍କ ଶରୀରରେ କରୋନା ଭୂତାଣୁ ସହ ଲଢ଼ିବାକୁ ଆଣ୍ଟିବଡି ରହିଛି।
ସତ୍ୟେନ୍ଦ୍ର ଜୈନ୍ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦିଲ୍ଲୀରେ ଅଗଷ୍ଟ ୧ରୁ ୭ ତାରିଖ ମଧ୍ୟରେ ସେରୋ ସର୍ଭେ ପାଇଁ ନମୁନା ସଂଗ୍ରହ କରାଯାଇଥିଲା। ସର୍ଭେରୁ ୨୯.୧% ଲୋକଙ୍କ ଶରୀରରେ ଆଣ୍ଟିବଡି ଥିବା ଜଣାପଡ଼ିଛି। ତେବେ ଏହା ହେଉଛି ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ। ପ୍ରଥମ ପର୍ଯ୍ୟାୟରେ ୨୧,୩୮୭ ନମୁନା ପରୀକ୍ଷଣ କରାଯାଇଥିଲା। ଏଥର ୧୫୦୦୦ ଲୋକଙ୍କ ନମୁନା ନିଆଯାଇଥିଲା। ତେବେ ଦିଲ୍ଲୀରେ ପ୍ରାୟ ୨ କୋଟି ଲୋକ ବାସ କରନ୍ତି।
ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେରେ ୨୮.୩% ପୁରୁଷ ଏବଂ ୩୨.୨% ମହିଳାଙ୍କ ମଧ୍ୟରେ ଆଣ୍ଟିବଡି ଥିବା ଜଣାପଡ଼ିଛି। ସେହିପରି ୧୮ ବର୍ଷରୁ କମ୍ ବୟସର ୩୪% ଲୋକଙ୍କ ଶରୀରରେ ଆଣ୍ଟିବଡି ରହିଛି। ୨୮.୫% ୧୮ରୁ ୪୯ ବର୍ଷ ବୟସ୍କ ଏବଂ ୩୧.୨% ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ମଧ୍ୟରେ କରୋନା ଭୂତାଣୁ ସହ ଲଢ଼ିବାକୁ ଆଣ୍ଟିବଡି ଥିବା ଜଣାପଡ଼ିଛି। ତେବେ ଦକ୍ଷିଣ-ପୂର୍ବ ଦିଲ୍ଲୀରେ ସର୍ବାଧିକ ୩୩.୨% ଲୋକଙ୍କ ମଧ୍ୟରେ ଆଣ୍ଟିବଡି ରହିଛି। ସର୍ଭେ ଅନୁସାରେ, ଜୁଲାଇ ମାସରେ ୨୯.୧ ଲୋକଙ୍କ ଶରୀରରେ ଆଣ୍ଟିବଡି ମିଳିଛି। ଅର୍ଥାତ୍ ସର୍ବମୋଟ ୫.୬% ଲୋକଙ୍କ ମଧ୍ୟରେ ସଂକ୍ରମଣ ବଢ଼ିଛି, ଯାହା ଫଳରେ ଆଣ୍ଟିବଡି ତିଆରି ହୋଇଛି।
ସ୍ୱାସ୍ଥ୍ୟମନ୍ତ୍ରୀ ଜୈନ ଆହୁରି ମଧ୍ୟ କହିଛନ୍ତି, “ବର୍ତ୍ତମାନ ପରିସ୍ଥିତିରେ ଭଲ କଥା ହେଉଛି ଏତେ ସଂଖ୍ୟକ ଲୋକ ବର୍ତ୍ତମାନ ସୁସ୍ଥ ହୋଇସାରିଛନ୍ତି। ତଥାପି ଆମେ ହର୍ଡ ଇମ୍ୟୁନିଟି ସ୍ତରକୁ ପହଞ୍ଚିପାରି ନାହାନ୍ତି। ଏଣୁ ଯେତେକି ଲୋକ ଜୀବିତ ଅଛନ୍ତି, ସମସ୍ତଙ୍କୁ ସଂକ୍ରମଣର ଭୟ ରହିଛି। ଅର୍ଥାତ୍ ପ୍ରାୟ ୭୦% ଲୋକଙ୍କ ଶରୀରରେ ଆଣ୍ଟିବଡି ତିଆରି ହୋଇନାହିଁ। ଅତିକମରେ ଆମେ ଜାଣିପାରିଲେ ଯେ, କେତେ ଲୋକ ସଂକ୍ରମିତ ହୋଇ ସୁସ୍ଥ ହୋଇସାରିଛନ୍ତି। ଏହା ଏକ ଭଲ ବିଷୟ।”
The post ଆସିଲା ୨ୟ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ, କେତେ ରାଜଧାନୀବାସୀଙ୍କ ଶରୀରରେ ରହିଛି ଆଣ୍ଟିବଡି? appeared first on Odisha Reporter.
from Odisha Reporter https://ift.tt/2E0CnFO
No comments:
Post a Comment