ଆଠଗଡ଼( ନୀଳକଣ୍ଠ ଦୋରା ): କନିଆ ୧୨କୁ ବର ୧୫। ଖେଳକୁଦ ବୟସରେ ଝିଅ ଗୋଡ଼ରେ ବାନ୍ଧି ଦେଲେ ସଂସାର ବେଡ଼ି। ନିଜ ବାପାମା’ ସାଜିଲେ ବଇରି। ଅନିଚ୍ଛା ସତ୍ତ୍ୱେ ଜୋରଜବରଦସ୍ତି ଝିଅକୁ ବିବାହ ବେଦୀରେ ବସାଇ ହାତକୁ ଦି ହାତ କରିଦେଲେ। ହେଲେ ନିଜ ପ୍ରତି ହୋଇଥିବା ଏପରି ଅନ୍ୟାୟକୁ ବରଦାସ୍ତ କରି ପାରିଲାନି କୁନି ଝିଅ।
ଶାଶୁ ଘର ପରିବେଶ ସହିତ ନିଜକୁ ଖାପ ଖୁଆଇ ପାରୁ ନ ଥିବା ବେଳେ ସମସ୍ତଙ୍କ ଅଗୋଚରରେ ଦିନେ ୧୦୦କୁ ଫୋନ୍ କରି ନିଜ ଉପରେ ବିତିଥିବା ନିର୍ଯାତନା ସମ୍ପର୍କରେ ଜଣାଇଥିଲା । ଏହାପରେ ପୁଲିସ୍ ଚାଇଲ୍ଡ ଲାଇନ ସହାୟତାରେ ପହଞ୍ଚି ଉଭୟ ଝିଅ, ପୁଅଙ୍କୁ ଉଦ୍ଧାର କରିଛି ।
ଏପରି ଘଟଣା କୋଉ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ନୁହେଁ, ଘଟିଛି ଖୋଦ କଟକ ଜିଲ୍ଲା ଗୁରୁଡିଝାଟିଆ ଥାନା ଅଞ୍ଚଳରେ । ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ଜଣେ ନାବାଳିକାକୁ ତା’ ପରିବାର ଲୋକ ଗୁରୁଡିଝାଟିଆ ଅଞ୍ଚଳରେ ପ୍ରୟ ୧୫ ଦିନ ପୂର୍ବେ ବିବାହ କରାଇ ଦେଇଥିଲେ। ବିବାହ ପରେ କିଛି ଦିନ ହେବ ଝିଅଟି ଶାଶୁ ଘରେ ଥିଲେ ମଧ୍ୟ ନିଜକୁ ସୁରକ୍ଷିତ ମଣୁ ନ ଥିଲା।
ଏହାପରେ ସୁଯୋଗ ଦେଖି ଗତକାଲି ସନ୍ଧ୍ୟାରେ ୧୦୦କୁ ଡାଏଲ କରି ସବୁ କଥା କହି ଦେଇଥିଲା। ଖବର ପାଇ ଗୁରୁଡିଝାଟିଆ ପୁଲିସ୍ ତତ୍ପର ହୋଇ ଗତକାଲି ବିଳମ୍ବିତ ରାତିରେ ଚାଇଲ୍ଡ ଲାଇନ ଟିମ୍ ସହ ପହଞ୍ଚି ଉଭୟ ଝିଅ, ପୁଅକୁ ଉଦ୍ଧାର କରି ନେଇଯାଇଥିବା ଜଣାଯାଇଛି। ନାବାଳିକାଜଣକ ଚାଇଲ୍ଡ ଲାଇନ୍ ଟିମ୍ ହେପାଜତରେ ଥିବା ବେଳେ ନାବାଳକଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ତେବେ ଏନେଇ ଉଭୟଙ୍କ ପରିବାର ଲୋକ ତଥା ପୁଲିସ୍ର ପ୍ରତିକ୍ରିୟା ମିଳିପାରିନାହିଁ ।
ସୂଚନାଯୋଗ୍ୟ,ବାଲ୍ୟ ବିବାହ ରୋକିବାକୁ କଡ଼ାକଡ଼ି ଆଇନ ହୋଇଥିଲେ ମଧ୍ୟ ପ୍ରଶାସନର ଅଗୋଚରରେ ଏପରି ବହୁ ଘଟଣା ଘଟୁଥିବା ଅଭିଯୋଗ ହେଉଛି। ଖୋଦ କଟକ ଓ ଯାଜପୁର ଜିଲ୍ଲାରେ ଏପରି ଘଟଣା ଘଟୁଥିବା ବେଳେ ପ୍ରଶାସନ ଟେର ପାଇପାରୁ ନାହିଁ। ତେଣୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କେଉଁ ମାତ୍ରାରେ ବାଲ୍ୟ ବିବାହ ହେଉଥିବ, ତାହା ସହଜେ ଅନୁମେୟ।
The post କନିଆ ୧୨କୁ ବର ୧୫; ଖେଳକୁଦ ବୟସରେ ଝିଅ appeared first on Odisha Reporter.
from Odisha Reporter https://ift.tt/3hnONWJ
No comments:
Post a Comment