ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ ଦେବା ପାଇଁ ଏକାଧିକ ଟିକା ଏବେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ଯାଇଛି। କିଛି କରୋନା ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷା ଚାଲିଥିବା ବେଳେ ଆଉ କିଛି ଟିକାର ଉତ୍ପାଦନ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର କରୋନା ଟିକା କେମିତି କିଣାଯିବ ଓ ଏହା ଦେଶବାସୀଙ୍କୁ କେମିତି ବଣ୍ଟନ କରାଯିବ, ତା’ ଉପରେ ବିଚାରବିମର୍ଶ ଆରମ୍ଭ କରିଛନ୍ତି।
କରୋନା ଟିକା ବାହାରିଲେ ଏହାକୁ କେନ୍ଦ୍ର ସରକାର ହିଁ ପରିଚାଳନା କରିବେ। ରାଜ୍ୟ ସରକାରମାନେ କରୋନାକୁ ମାତ ଦେଇପାରୁଥିବା ଟିକାକୁ ନିଜ ଇଚ୍ଛାରେ କିଣିପାରିବେ ନାହିଁ। ଏହାର ଅର୍ଥ କରୋନା ଟିକା ଉପରେ କେନ୍ଦ୍ର ସରକାରଙ୍କ ସବୁ ଅଧିକାର ରହିବ। ଟିକା ଉତ୍ପାଦନ ହେଲେ ଏହାକୁ କେନ୍ଦ୍ର ସରକାର ହିଁ କିଣିବେ ବା ବିଦେଶରୁ ଆମଦାନୀ କରିବେ। ଏହାପରେ କେଉଁ ରାଜ୍ୟକୁ କେତେ ପରିମାଣର ଏହା ପ୍ରଦାନ କରାଯିବ, ତା’ର ନିଷ୍ପତ୍ତି ନେବେ। କରୋନା ଟିକାର ସାମୂହିକ ପ୍ରୟୋଗ କେନ୍ଦ୍ର ସରକାରଙ୍କ ତତ୍ତ୍ୱାବଧାନରେ ହିଁ ହେବ।
କରୋନା ଟିକାର କ୍ରୟ, ଉତ୍ପାଦନ ଓ ବଣ୍ଟନ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହେବ। ତେଣୁ ରାଜ୍ୟ ସରକାରମାନେ ଅଯଥା ଟିକା କିଣିବା ପାଇଁ ନିଜ ଇଚ୍ଛାରେ କୌଣସି ଅର୍ଡର କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।
କରୋନା ଟିକା ସଂକ୍ରାନ୍ତୀୟ ବିଷୟବସ୍ତୁ ଉପରେ ଆଲୋଚନା କରିବା ପାଇଁ ନୀତି ଆୟୋଗ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ବୈଠକର ଅଧ୍ୟକ୍ଷତା ନୀତି ଆୟୋଗ ସଦସ୍ୟ ଡା. ଭିକେ ପଲ କରିଥିଲେ।
ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତରେ ପ୍ରସ୍ତୁତ ହେଉଥିବା ଟିକାର ଉତ୍ପାଦନ ବୃଦ୍ଧି କରିବାକୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଉଛି। ଭାରତ ସରକାର କରୋନା ଟିକା ପାଇଁ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ସହ ମିଶି କାର୍ଯ୍ୟ କରୁଛନ୍ତି।
ତେବେ ଏହି ଟିକା କେବଳ ଭାରତରେ ବ୍ୟବହାର କରାଯିବ ନାହିଁ। ବରଂ ନିମ୍ନ ଓ ମଧ୍ୟମ ବର୍ଗର ଦେଶମାନଙ୍କୁ ମଧ୍ୟ ଦିଆଯିବ। ବୈଠକର ନିଷ୍ପତ୍ତି ଅନୁଯାୟୀ, କରୋନା ଟିକା ବଣ୍ଟନ ପାଇଁ ଡିଜିଟାଲ ଭିତ୍ତିଭୂମିର ବ୍ୟବସ୍ଥା କରାଯିବ। ରିୟଲ ଟାଇମ ଟ୍ରାକିଂ ପ୍ରକ୍ରିୟାକୁ ଅଧିକ ଗୁରୁତ୍ୱ ଦିଆଯାଇ ଟିକାକୁ ଆବଶ୍ୟକ ଅନୁଯାୟୀ ବଣ୍ଟନ କରାଯିବ। ବର୍ତ୍ତମାନ ଭାରତର ଦୁଇ କମ୍ପାନୀ ଭାରତ ବାଓଟେକ ଓ Zydus Caldia ପକ୍ଷରୁ ପ୍ରସ୍ତୁତ କରୋନା ଟିକାର ପରୀକ୍ଷଣ କରାଯାଉଛି।
ସେହିପରି ଅକ୍ସଫୋର୍ଡ-AstraZeneca ପକ୍ଷରୁ ତିଆରି କରାଯିଥିବା କରୋନା ଟିକାର ଫେଜ-୨ ଓ ୩ର ପରୀକ୍ଷଣ ମଧ୍ୟ ଭାରତରେ ଖୁବଶୀଘ୍ର ଆରମ୍ଭ ହେବ। ତେଣୁ ୨ରୁ ୩ ମାସ ମଧ୍ୟରେ ଭାରତରେ କରୋନା ଟିକା ଉପଲବ୍ଧ ହେବ ବୋଲି ଭାରତ ସରକାର ଆଶା କରିଛନ୍ତି।
The post କରୋନା ଟିକା ନିଜ ଇଚ୍ଛାରେ କିଣି ପାରିବେନି ରାଜ୍ୟ ସରକାର appeared first on Odisha Reporter.
from Odisha Reporter https://ift.tt/2XSBS7e
No comments:
Post a Comment