ଆଧୁନିକ ଭାରତୀୟ ରଙ୍ଗମଞ୍ଚର ପିତାମହ ଇବ୍ରାହିମ ଅଲକାଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 21, 2020

ଆଧୁନିକ ଭାରତୀୟ ରଙ୍ଗମଞ୍ଚର ପିତାମହ ଇବ୍ରାହିମ ଅଲକାଜି

  • ସରଳ କୁମାର ଦାସ

ଆଧୁନିକ ଭାରତୀୟ ରଙ୍ଗମଞ୍ଚର ବିନ୍ଧାଣୀ ଇବ୍ରାହିମ ଅଲକାଜିଙ୍କର ଅଗଷ୍ଟ ୪, ୨୦୨୦ରେ ୯୫ ବର୍ଷ ବୟସରେ ନିଧନ ପରେ ଏକ ସୁଦୀର୍ଘ ଘଟଣା ବହୁଳ ନାଟ୍ୟଯୁଗର ଅବସାନ ହେଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ନାଟ୍ୟ ପୁରୁଷଙ୍କ ନାଟ୍ୟ ଯାତ୍ରା ସହ ଆଧୁନିକ ଭାରତୀୟ ରଙ୍ଗମଞ୍ଚର ବିକାଶର ଜୟଯାତ୍ରା ଅନେକାଂଶରେ ଜଡିତ। ଆଧୁନିକ ଭାରତୀୟ ରଙ୍ଗମଞ୍ଚର ବିକାଶ ପାଇଁ ତାଙ୍କ ଅବଦାନ ଏତେ ଅଧିକ ଯେ ତାହା ଚିର ଦିନ ଲାଗି ସବୁ ନାଟ୍ୟାନୁରାଗୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।

ଇବ୍ରାହିମ ଅଲକାଜି ଅକ୍ଟୋବର ୧୮,୧୯୨୫ରେ ପୁନେ ସହରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ସାଉଦି ଆରବର ଜଣେ ବିତ୍ତଶାଳୀ ବେଦୁଇନ ବ୍ୟବସାୟୀ ହୋଇଥିବା ବେଳେ ମାଆ କୁଏତର ଥିଲେ। ତାଙ୍କର ପ୍ରାରମ୍ଭିକ ଶିକ୍ଷା ପୁନେରେ ହେବା ପରେ ସେ ବମ୍ୱେର ସେଣ୍ଟ ଜାଭିୟର କଲେଜରେ ଅଧ୍ୟୟନ କରିଥିଲେ। ଏହି ସମୟରେ ତାଙ୍କର ନାଟକ ପ୍ରତି ଆଗ୍ରହ ପ୍ରକାଶ ପାଇଲା ଓ ସେ ସୁଲତାନ ‘ବବି’ ପଦମସିଙ୍କ ଥିଏଟର ଗ୍ରୁପରେ ଯୋଗଦାନ କଲେ, ଯେଉଁଥିରେ ଇଂରାଜୀ ନାଟକ ମଞ୍ଚସ୍ଥ ହେଉଥିଲା। ତାଙ୍କର ଆଉ ୮ ଜଣ ଭାଇ ଭଉଣୀ ଥିଲେ ଓ ସ୍ୱାଧୀନତା ପରେ ତାଙ୍କ ପରିବାରର ଅଧିକାଂଶ ପାକିସ୍ତାନକୁ ଚାଲି ଯାଇଥିଲା ବେଳେ ସେ ଭାରତରେ ଅବସ୍ଥାନ କରିଥିଲେ।

ସେ ୧୯୪୮ ମସିହାରେ ୨୩ ବର୍ଷ ବୟସରେ ‘ରୟାଲ ଆକାଡେମୀ ଅଫ ଡ୍ରାମାଟିକ ଆର୍ଟସ’ (ରାଡା)ରେ ନାଟକ ଉପରେ ଉଚ୍ଚତର ତାଲିମ ଗ୍ରହଣ କରିବା ପାଇଁ ଇଂଲଣ୍ଡକୁ ଯାଇଥିଲେ। ତାଲିମ ସରିବା ପରେ ତାଙ୍କୁ ସେଠାକାର ଇଂଲିସ ଡ୍ରାମା ଲିଗ ଦ୍ୱାରା ସମ୍ମାନିତ କରା ଯାଇଥିଲା। ଏପରିକି ତାଙ୍କୁ ୧୯୫୦ରେ ବିବିସି ବ୍ରଡକାଷ୍ଟିଂ ଆଓ୍ୱାର୍ଡ ମିଳିବା ପରେ ତାଙ୍କୁ ସେଠାରେ କାମ କରିବାର ଅନେକ ସୁଯୋଗ ମଧ୍ୟ ମିଳିଥିଲା। ବିଦେଶରେ ବିଭିନ୍ନ ପ୍ରକାର ଥିଏଟର ସମ୍ପର୍କରେ ତାଙ୍କର ପ୍ରତ୍ୟକ୍ଷ ଅନୁଭୂତି ହୋଇ ସାରିଥିଲା। ତେଣୁ ସେ ପାଇଥିବା ତାଲିମକୁ ନିଜ ଦେଶରେ ଉପଯୋଗ କରିବା ପାଇଁ ସେ ନୂତନ ଉଦ୍ଦୀପନାର ସହିତ ୧୯୫୧ ମସିହାରେ ଭାରତକୁ ଫେରି ଆସି ବମ୍ୱେଠାରେ ତାଙ୍କର ପୁରୁଣା ଥିଏଟର ଗ୍ରୁପରେ ଯୋଗ ଦେଲେ। ସେଠାରେ ୧୯୫୪ ମସିହା ଯାଏଁ ରହିବା ପରେ ନିଜର ନୂଆ ଥିଏଟର ଗ୍ରୁପ ତିଆରି କରି ନାଟକ ମଞ୍ଚସ୍ଥ କରିବା ଆରମ୍ଭ କଲେ। ନିଜ ତାଲିମକୁ କାର୍ଯ୍ୟରେ ଲଗାଇ ସେ କରୁଥିବା ନାଟକଗୁଡିକରେ ଯେଉଁ ବୈଷୟିକ ଉତ୍କର୍ଷ ଦେଖିବାକୁ ମିଳିଲା ତାହା ଭାରତୀୟ ମଞ୍ଚରେ ନୂତନ ପ୍ରୟୋଗ ଥିବା ସହ ଦର୍ଶକମାନଙ୍କ ଆଦୃତି ଲାଭ କରିବାକୁ ଲାଗିଲା ଓ ଅଳ୍ପ ଦିନ ମଧ୍ୟରେ ସେ ବମ୍ୱେର ନାଟ୍ୟ ଜଗତରେ ଜଣେ ଆଗ ଧାଡିର ନାଟ୍ୟ ନିର୍ଦ୍ଦେଶକ ଭାବେ ଖ୍ୟାତି ଅର୍ଜନ କରିବାକୁ ଲାଗିଲେ।

୧୯୫୯ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଲ୍ଲୀଠାରେ ଥିବା ଏସିଆନ ଇନଷ୍ଟିଚ୍ୟୁଟ ଅଫ ଡ୍ରାମାର ପୁନର୍ଗଠନ କରାଯାଇ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ପ୍ରତିଷ୍ଠା କରା ଯାଇଥାଏ। ଏହାର ପରିଚାଳନା ତଥା ନେତୃତ୍ୱ ନେବା ପାଇଁ ଜଣେ ସୁଦକ୍ଷ ନାଟ୍ୟବ୍ୟକ୍ତିତ୍ୱଙ୍କ ଖୋଜା ପଡିଲା। ଶେଷରେ ଅଲକାଜିଙ୍କୁ ଏହି କାର୍ଯ୍ୟ ପାଇଁ ସୁଯୋଗ୍ୟ ବୋଲି ଅନୁଭବ କରି ତାଙ୍କ ଉପରେ ଦାୟିତ୍ୱ ଅର୍ପଣ ହେଲା। ସେ ୧୯୬୨ ମସିହାରେ ବମ୍ୱେରୁ ଦିଲ୍ଲୀକୁ ଆସି ନ୍ୟାସନାଲ ସ୍କୁଲ ଅଫ ଡ୍ରାମା (ଏନଏସଡି)ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଓ ସେହି ପଦରେ ଦୀର୍ଘ ୧୫ ବର୍ଷ ଧରି ୧୯୭୭ ଯାଏଁ ଥିଲେ। ଥିଏଟରରେ ତାଲିମର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉପଲବ୍ଧି କରି ସେ ନାଟ୍ୟ ତାଲିମ କ୍ଷେତ୍ରରେ ଉଚ୍ଚ ସ୍ତରର ବ୍ୟାବସାୟିକତା (ପ୍ରଫେସନାଲିଜମ) ଆଣିବା ପାଇଁ ରାଡା ଢାଞ୍ଚାରେ ଏନଏସଡିର ପାଠ୍ୟକ୍ରମକୁ ପ୍ରସ୍ତୁତ କରିବା ସହ ଛାତ୍ରଙ୍କୁ ଅନୁଶାସନବଦ୍ଧ କରିବାକୁ ଚେଷ୍ଟା କଲେ। ତାଙ୍କ ପ୍ରୟାସରେ, ନାଟ୍ୟ ପାଠ୍ୟକ୍ରମ ଯେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ଓ ତାକୁ ଅନ୍ୟ ଯେ କୌଣସି ପାଠ୍ୟକ୍ରମ ଭଳି ନିର୍ଦ୍ଧାରିତ ଢଙ୍ଗରେ ପଢି କୌଶଳ ଆହରଣ କରି ହେବ, ତାହା କ୍ରମଶଃ ସ୍ୱୀକୃତ ହେବାକୁ ଲାଗିଲା। ଚାହୁଁ ଚାହୁଁ ଏନଏସଡିରେ ପଢିବା ପାଇଁ ସାରା ଦେଶରେ ପିଲାଙ୍କ ମଧ୍ୟରେ ଆଗ୍ରହ ବଢିବା ସହ ଏଥିରେ ଆଡମିଶନ ମିଳିବା ଗୋଟିଏ ସମ୍ମାନର ପ୍ରଶ୍ନ ଭାବେ ବିବେଚିତ ହେବାକୁ ଲାଗିଲା। ତାଙ୍କ ନେତୃତ୍ୱରେ ଏନଏସଡି ପ୍ରକୃତ ପକ୍ଷେ ଏକ ସମ୍ମାନଜନକ ଜାତୀୟ ଅନୁଷ୍ଠାନରେ ପରିଣତ ହୋଇ ପାରିଥିଲା।

ସେ ଛାତ୍ରମାନଙ୍କୁ କେବଳ ନାଟ୍ୟ ତାଲିମ ପ୍ରଦାନ କରୁ ନ ଥିଲେ। ଛାତ୍ରଟିଏ ନିଜ ଅହଙ୍କାରକୁ ତ୍ୟାଗ କରି ନ ପାରିଲେ ସେ କିଛି ଶିଖି ପାରିବ ନାହିଁ ବୋଲି ତାଙ୍କର ବିଶ୍ୱାସ ଥିବାରୁ ସେ ପ୍ରଥମେ ସେହି କାମଟିକୁ ହିଁ କରୁଥିଲେ। ସେମାନଙ୍କଠାରେ ବିଭିନ୍ନ ପ୍ରକାର କଳାକୁ ପ୍ରଶଂସା କରିବାର ଦକ୍ଷତା ବୃଦ୍ଧି ସହ, ସେମାନଙ୍କୁ ଶାସ୍ତ୍ରୀୟ ସଙ୍ଗୀତ, କଳାତ୍ମକ ସିନେମା, ଚୀନ, ଜାପାନର ଥିଏଟରଠାରୁ ଆରମ୍ଭ କରି ଲୋକନାଟ୍ୟ ଯାଏଁ ବିଭିନ୍ନ ପ୍ରକାର ଥିଏଟର ଫର୍ମ ସମ୍ପର୍କରେ ଜଣାଇ ସେମାନଙ୍କ କଳ୍ପନାଶକ୍ତିକୁ ସମ୍ପ୍ରସାରିତ କରିବାକୁ ଚେଷ୍ଟା କରୁଥିଲେ। ଛାତ୍ରମାନେ ବିଭିନ୍ନ ବିଷୟରେ ଜାଣିବା ପାଇଁ ବହି ପଢିବା ଉପରେ ସେ ଜୋର ଦେଉଥିଲେ। ଏପରିକି ଚା’ ତିଆରିଠାରୁ ଆରମ୍ଭ କରି ବେଶପୋଷାକ ଇସ୍ତ୍ରୀ କରିବା, ମଞ୍ଚକୁ ଝାଡୁ ମାରି ପରିଷ୍କାର କରିବା, ଗ୍ରୀନରୁମକୁ ବ୍ୟବସ୍ଥିତ କରି ରଖିବା, ଟଏଲେଟ ପରିଷ୍କାର କରିବା ଭଳି କୌଣସି କାମକୁ ସେ ଛୋଟ ବା କମ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରୁ ନ ଥିଲେ। ତାଙ୍କ ମତରେ ଜଣେ ନାଟ୍ୟ କଳାକାର ପାଇଁ ନିଜ ଚରିତ୍ରକୁ ବୁଝିବା ଓ ଅନୁଶୀଳନ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସେ ଉପରୋକ୍ତ କାମଗୁଡିକୁ ବିନା ଦ୍ୱିଧାରେ ସୁଚାରୁ ରୂପେ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ତେଣୁ ସେ ନିଜେ ଏ ସବୁ କାମ କରିବା ସହ ଏଗୁଡିକୁ ତାଲିମର ଅଂଶ ବିଶେଷ କରି ଛାତ୍ରମାନଙ୍କୁ ଅନୁଶାସନବଦ୍ଧ କରିବାକୁ ଚେଷ୍ଟା କରୁଥିଲେ। କୁହାଯାଏ, ଥରେ ଅଲକାଜି ତାଙ୍କର କିଛି ଛାତ୍ରଙ୍କ ଦ୍ୱାରା ମଞ୍ଚସ୍ଥ ହେବାକୁ ଯାଉଥିବା ନାଟକର ରିହର୍ସଲ ଦେଖିବାକୁ ଦିଲ୍ଲୀର ରବୀନ୍ଦ୍ର ଭବନକୁ ଯାଇଥିଲେ। ରିହର୍ସଲ ଚାଲିଥିବା ଅବସ୍ଥାରେ ସେ ହଠାତ୍ ଉଠି ଯାଇ ବଜାରରୁ ଜୋତା ବ୍ରଶ ଓ ପଲିସ ଧରି ଫେରିଲେ। ଛାତ୍ରମାନଙ୍କ ଆଜାଣତରେ ସେମାନେ ରଖିଥିବା ଜୋତାଗୁଡିକ ନିକଟକୁ ଯାଇ ଜଣେ ଛାତ୍ରର ଅପରିଷ୍କାର ଜୋତାଟିକୁ ନିଜେ ପଲିସ କରି ରଖି ଦେଇଥିଲେ। ପରେ ଏହା ଜାଣି ପାରି ଛାତ୍ରଜଣକ ଲଜ୍ଜିତ ହୋଇଥିଲେ ଓ ଛାତ୍ରଟି ଉପରେ ତାର ଯଥେଷ୍ଟ ପ୍ରଭାବ ପଡିଥିଲା। ଛାତ୍ରଜଣକ ଥିଲେ ଏବର ଖ୍ୟାତନାମା ଅଭିନେତା ବିଜୟ କଶ୍ୟପ। ଏଥିରୁ ସେ ଯେ କେତେ ଛାତ୍ର ବତ୍ସଳ ଥିଲେ ଓ ସେମାନଙ୍କ ଛୋଟ ଛୋଟ ଅଥଚ ଗୁରୁତ୍ୱପୂର୍ଣ୍ଣ କଥା ଓ ଆଚରଣ ଉପରେ କେତେ ଅଧିକ ଧ୍ୟାନ ଦେଉଥିଲେ, ତାହା ସହଜରେ ଅନୁମେୟ। ପ୍ରକୃତ ପକ୍ଷେ ସେ ତାଙ୍କ ଛାତ୍ରମାନଙ୍କ ହାତ ଧରି ସେମାନଙ୍କୁ ନାଟକ ଚାଲିବା ଶିଖାଇଥିଲେ, ନାଟକ ଜୀଇଁବା ଶିଖାଇଥିଲେ।

ନିଜ ନିଜ ପ୍ରତିଭାକୁ ନିର୍ଦ୍ଦିଷ୍ଟ ସୀମା ଭିତରେ ଆବଦ୍ଧ ନ ରଖି ବ୍ୟାପକ କରିବାକୁ ଚେଷ୍ଟା କରିବାକୁ ସେ ତାଙ୍କ ଛାତ୍ରମାନଙ୍କୁ ସବୁବେଳେ ଅନୁପ୍ରାଣିତ କରି ଆସୁଥିଲେ। ନାଟକକୁ କେବଳ ଭଲ ପାଇବା ନୁହେଁ ବରଂ ତାକୁ ଆବେଗରେ ପରିବର୍ତ୍ତନ କରିବାର ଶିକ୍ଷା ଦେଉଥିଲେ ସେ ଛାତ୍ରମାନଙ୍କୁ। ଫଳରେ ପରବର୍ତ୍ତୀ ସମୟରେ ତାଙ୍କର ଅନେକ ଛାତ୍ର ଜାତୀୟ ସ୍ତରରେ ଅଭିନେତା ଓ ନିର୍ଦ୍ଦେଶକ ଭାବେ ପ୍ରସିଦ୍ଧି ଲାଭ କରି ପାରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବିଜୟା ମେହଟା, ବି.ଭି.କରନ୍ଥ, ଓମ ଶିବପୁରୀ, ସୁଧା ଶିବପୁରୀ, ହରପାଲ ତିଓ୍ୱାନା, ଓମ ପୁରୀ, ନାସିରୁଦ୍ଦିନ ସାହ, ନଦିରା ବବର, ଉତ୍ତରା ବାଓକର, ମନୋହର ସିଂହ, ରୋହିଣୀ ହାତାଙ୍ଗଡି, ପଙ୍କଜ କପୁର ଆଦିଙ୍କ ସହ ଆହୁରି ଅନେକ, ଯେଉଁମାନଙ୍କ ଭିତରୁ ଅନେକେ ମଞ୍ଚ, ସିନେମା ଓ ଟେଲିଭିଜନ ଦୁନିଆରେ ନିଜ ନୈପୁଣ୍ୟ ପ୍ରଦର୍ଶନ କରି ସାରିଛନ୍ତି। ଓଡିଶାର ବିଜୟ ମହାନ୍ତି, ଅଜିତ ଦାସ, ଦୋଳଗୋବିନ୍ଦ ରଥ ପ୍ରମୁଖ ତାଙ୍କର ଛାତ୍ର ଥିଲେ। ଅଲକାଜିଙ୍କ ପ୍ରୟାସରେ ଛାତ୍ରମାନଙ୍କ ପ୍ରତିଭାକୁ ଦର୍ଶକଙ୍କ ସମ୍ମୁଖରେ ପ୍ରଦର୍ଶନ କରିବା ପାଇଁ ୧୯୬୪ରେ ଏନଏସଡିରେ ଏକ ‘ରିପୋର୍ଟରୀ କମ୍ପାନୀ’ର ପ୍ରତିଷ୍ଠା କରା ହେଲା, ଯାହା ମାଧ୍ୟମରେ ନାଟକକୁ ବ୍ୟାବସାୟିକ ଭିତ୍ତିରେ ପ୍ରଦର୍ଶନ କରାଯିବା ଆରମ୍ଭ ହେଲା।

ଦିଲ୍ଲୀ ମଞ୍ଚରେ ତାଙ୍କ ଆବିର୍ଭାବ ପୂର୍ବରୁ ସାଂସ୍କୃତିକ ଦୃଷ୍ଟିରୁ ଦିଲ୍ଲୀ ଏକ ମରୁଭୂମି ସଦୃଶ ଥିଲା ବୋଲି କୁହାଯାଏ। କାଁ ଭାଁ ହବିବ ତନଓ୍ୱିର ବା ଅନ୍ୟ କାହାର ନାଟକଟିଏ ମଞ୍ଚସ୍ଥ ହେଉଥିଲା। ସେ ଆସିବା ପରେ ଦିଲ୍ଲୀରେ ଥିଏଟର ଦୁନିଆ କ୍ରମଶଃ ଚଳଚଞ୍ଚଳ ହେବାକୁ ଲାଗିଲା। ଏନଏସଡିରେ ଯୋଗ ଦେବା ପରେ ସେ ବୁଝି ପାରିଥିଲେ ଯେ ଦିଲ୍ଲୀରେ କେବଳ ଇଂରାଜୀ ଭାଷାର ନାଟକ କଲେ ହୁଏତ ତାହା ସେତେଟା ଆଦୃତ ହୋଇ ନ ପାରେ। ତେଣୁ ସେ ଓ୍ୱାଦିପସ ରେକ୍ସ (୧୯୬୪), କିଙ୍ଗ ଲିଅର (୧୯୬୪), ମଲିଅରଙ୍କ ମାଇଜର (୧୯୬୫) ଆଦି ୟୁରୋପୀୟ ନାଟକଗୁଡିକୁ ହିନ୍ଦୀରେ ମଞ୍ଚସ୍ଥ କରିବା ଆରମ୍ଭ କଲେ। ଏହି ନାଟକଗୁଡିକ ୟୁରୋପୀୟ ନାଟକ ପରି ବେଶ ଜାକଜମକ ଓ ପରିପୁଷ୍ଟ ଭାବେ ମଞ୍ଚସ୍ଥ ହେବାକୁ ଲାଗିଲା। ଏହା ପରେ ହିନ୍ଦୀ ନାଟକ ମଧ୍ୟ ସମୃଦ୍ଧ ଭାବେ ମଞ୍ଚସ୍ଥ ହେବା ପ୍ରକ୍ରିୟା ଆରମ୍ଭ ହୋଇଗଲା। ସେତେବେଳ ଯାଏଁ ନାଟକ କେବଳ ଆବଦ୍ଧ ମଞ୍ଚ (ପ୍ରସେନିୟମ)ରେ ହିଁ ମଞ୍ଚାୟନ ହେଉଥିଲା। ଅଲକାଜି ପ୍ରଥମ ଥର ଲାଗି ସେଗୁଡିକୁ ମୁକ୍ତ ମଞ୍ଚରେ କରିବା ଆରମ୍ଭ କଲେ। ତାଙ୍କର ‘ତୁଗଲକ’, ‘ସୁଲତାନ ରେଜିୟା’, ‘ଅନ୍ଧାୟୁଗ’ ଭଳି କେତେକ ନାଟକ ଫିରୋଜ ସାହ କୋଟଲାର ପୁରାନା କିଲ୍ଲାରେ ମଞ୍ଚସ୍ଥ ହୋଇ ବେଶ ପ୍ରଶଂସିତ ହୋଇଥିଲା। ଏହି ଐତିହାସିକ ନାଟକଗୁଡିକୁ ମଞ୍ଚସ୍ଥ କରିବା ପୂର୍ବରୁ ସେ ବେଶ ପୋଷାକ, ସଙ୍ଗୀତ, ସାହିତ୍ୟ ଓ ସେହି ସମୟର ସାମାଜିକ ଓ ସାଂସ୍କୃତିକ ଚଳଣିକୁ ବୁଝିବା ପାଇଁ ଯଥେଷ୍ଟ ଗବେଷଣା କରୁଥିଲେ। ଇବ୍ରାହିମ ଅଲକାଜିଙ୍କ ଧର୍ମପତ୍ନୀ ରୋଶନ ଅଲକାଜି ଆରମ୍ଭରୁ ତାଙ୍କର ସବୁ ନାଟକରେ କଷ୍ଟ୍ୟୁମ ଡିଜାଇନିଂ କରୁଥିଲେ। ସେ ଜାପାନର କାବୁକୀ ନାଟ୍ୟ ଶୈଳୀକୁ ‘ଅନ୍ଧାୟୁଗ’ ନାଟକରେ ପ୍ରୟୋଗ କରିଥିଲେ ଓ ସେହି ନାଟକଟିକୁ ଦେଖିବା ପାଇଁ ତତକାଳୀନ ପ୍ରଧାନମନ୍ତ୍ରୀ ନେହରୁ ସ୍ୱୟଂ ପୁରାନା କିଲାରେ ଉପସ୍ଥିତ ଥିଲେ।

ନାଟ୍ୟଜଗତରେ ସକ୍ରିୟ ଥିବା ପର୍ଯ୍ୟନ୍ତ ଅଲକାଜି ୫୦ଟିରୁ ଅଧିକ ନାଟକର ନିର୍ଦ୍ଦେଶନା ଦେଇଥିଲେ। ଏଥିରୁ କେତେଗୁଡିଏ ସେକସପିଅର ଓ ମଲିଅରଙ୍କ ଭଳି ୟୁରୋପୀୟ ନାଟ୍ୟକାରଙ୍କ ନାଟକର ହିନ୍ଦୀ ରୂପାନ୍ତରଣ ହୋଇଥିବା ବେଳେ ସେ ମୋହନ ରାକେଶ, ଧରମବୀର ଭାରତୀ, ଗିରିଶ କନ୍ନଡ, ମହେଶ ଏଲକୁଞ୍ଚଓ୍ୱରଙ୍କ ଭଳି ପ୍ରତିଷ୍ଠିତ ନାଟ୍ୟକାରଙ୍କ ନାଟକରେ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କ ନିର୍ଦ୍ଦେଶିତ ବହୁ ଚର୍ଚ୍ଚିତ ନାଟକଗୁଡିକ ମଧ୍ୟରେ ରହିଛି ସାମୁଏଲ ବ୍ୟାକେଟଙ୍କର ‘ଓ୍ୱେଟିଂ ଫର ଗୋଦୋ’, ଧରମବୀର ଭାରତୀଙ୍କ ‘ଅନ୍ଧାୟୁଗ’, ମୋହନ ରାକେଶଙ୍କର ‘ଆଷାଢ କା ଏକ ଦିନ’, ଗିରିଶ କନ୍ନଡଙ୍କ ‘ତୁଗଲକ’ ଇତ୍ୟାଦି। ଏତଦଭିନ୍ନ ସେ ସଂସ୍କୃତ ନାଟକ ‘ମୃଚ୍ଛକଟିକମ’ର ହିନ୍ଦୀ ରୂପାନ୍ତରଣକୁ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କଠାରୁ ଏନଏସଡି ଓ ଭାରତୀୟ ରଙ୍ଗମଞ୍ଚ ଯେତେବେଳେ ଆହୁରି ଅନେକ କିଛି ଆଶା କରୁଥିଲା ଠିକ ସେତେବେଳେ ଏକ ଅପ୍ରୀତିକର ଘଟଣାଚକ୍ରରେ ସେ ମାତ୍ର ୫୨ ବର୍ଷ ବୟସରେ ୧୯୭୭ ମସିହାରେ ଏନଏସଡିର ନିର୍ଦ୍ଦେଶକ ପଦରୁ ଅବ୍ୟାହତି ନେଇଥିଲେ। କେବଳ ସେତିକି ନୁହେଁ ପରବର୍ତ୍ତୀ ପ୍ରାୟ ଦେଢ ଦଶନ୍ଧି ଯାଏଁ ରଙ୍ଗମଞ୍ଚଠାରୁ ମଧ୍ୟ ଦୂରେଇ ରହିଥିଲେ। ତେବେ ୯୦ ଦଶକରେ ସେ ପୁଣି ରଙ୍ଗମଞ୍ଚକୁ ଫେରି ନିଜ ନାଟ୍ୟାନୁଷ୍ଠାନ ‘ଦ ଲିଭିଂ ଥିଏଟର’ (ଏଲଟିଜି)ର ସ୍ଥାପନା କରି ନିର୍ଦ୍ଦେଶନା ଦେବା ଆରମ୍ଭ କଲେ। ଏହି ସମୟରେ ତାଙ୍କ ନିର୍ଦ୍ଦେଶିତ ନାଟକ ଭିତରେ ଥିଲା, ‘ଜୁଲିଅସ ସିଜର’, ‘ଦିନ କେ ଅନ୍ଧେରେ ମେଁ’ ଓ ଗିରୀଶ କନ୍ନଡଙ୍କ ଲିଖିତ ‘ରକ୍ତ କଲ୍ୟାଣ’ ଆଦି।

ଏନଏସଡିରୁ ଅବ୍ୟାହତି ନେବା ପରେ ୧୯୭୭ରେ ସେ ସହଧର୍ମିଣୀ ରୋଶନଙ୍କ ସହ ମିଶି ଦିଲ୍ଲୀଠାରେ ଏକ ଆର୍ଟ ହେରିଟେଜ ଗ୍ୟାଲେରୀ ପ୍ରତିଷ୍ଠା କରି ତାଙ୍କ ଧ୍ୟାନ ଆର୍ଟ ଓ ପ୍ୟାଣ୍ଟିଂର ପ୍ରୋତ୍ସାହନ ଉପରେ କେନ୍ଦ୍ରିତ କରିଥିଲେ। ନାଟ୍ୟ କ୍ଷେତ୍ରରେ ଅନବଦ୍ୟ ଅବଦାନ ପାଇଁ ଇବ୍ରାହିମ ଆଲକାଜିଙ୍କୁ ସଙ୍ଗୀତ ନାଟକ ଏକାଡେମୀ ତରଫରୁ ୧୯୬୨ ମସିହାରେ ନାଟ୍ୟ ନିର୍ଦ୍ଦେଶନା ପାଇଁ ପୁରସ୍କୃତ କରା ଯାଇଥିଲା। ତାଙ୍କୁ ୧୯୬୭ ମସିହାରେ ସଙ୍ଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ’ ଓ ୧୯୮୬-୮୭ରେ ‘କାଳିଦାସ ସମ୍ମାନ’ ମଧ୍ୟ ପ୍ରଦାନ କରା ଯାଇଥିଲା। ସେ ୧୯୬୬ରେ ‘ପଦ୍ମଶ୍ରୀ’ ସମ୍ମାନ ପାଇଥିବା ବେଳେ ତାଙ୍କୁ ୧୯୯୧ରେ ‘ପଦ୍ମଭୂଷଣ’ ଓ ୨୦୧୦ରେ ‘ପଦ୍ମବିଭୂଷଣ’ ସମ୍ମାନରେ ଭୂଷିତ କରାଯାଇଥିଲା। ଏତଦଭିନ୍ନ ୨୦୦୪ ମସିହାରେ ତାଙ୍କୁ ‘ତନଓ୍ୱିର ଆଓ୍ୱାର୍ଡ’ ମଧ୍ୟ ପ୍ରଦାନ କରା ଯାଇଥିଲା।

ସମସାମୟିକ ଭାରତୀୟ ନାଟକ ବିଶ୍ୱ ସ୍ତରର ହେଉ ବୋଲି ଅଲକାଜି ଚାହୁଁଥିଲେ ଓ ସେ ଦିଗରେ ଅହରହ ପ୍ରୟାସ କରଥିଲେ ମଧ୍ୟ। ଭାରତୀୟ ନାଟକର ମଞ୍ଚାୟନର ଭାଷାକୁ ପରିବର୍ତ୍ତନ କରିଥିବା ଅଲକାଜି ନିଜେ ଜଣେ ଅସାଧାରଣ ନାଟ୍ୟ ନିର୍ଦ୍ଦେଶକ ଓ ନାଟ୍ୟ ଦ୍ରଷ୍ଟା (ଡିଜାଇନର) ଥିଲେ। ଆଧୁନିକ ଭାରତୀୟ ରଙ୍ଗମଞ୍ଚରେ ଆହୁରି ବି ଅନେକ ପ୍ରତିଭାବାନ ନାଟ୍ୟବ୍ୟକ୍ତିତ୍ୱଙ୍କର ଆବିର୍ଭାବ ହୋଇଛି। ହେଲେ ସେ ଥିଲେ ଅନନ୍ୟ, କାରଣ ସେ ଥିଲେ ଜଣେ ଅନୁଷ୍ଠାନ ନିର୍ମାତା। ଏପରିକି ସେ ନିଜେ ଜଣେ ଅନୁଷ୍ଠାନ ଥିଲେ ବୋଲି ଅନେକେ କହିଥାଆନ୍ତି। ବାସ୍ତବରେ ତାଙ୍କ ଦ୍ୱାରା ସୃଷ୍ଟ ଛାତ୍ରମାନେ ଦେଶବିଦେଶର ବିଭିନ୍ନ ସ୍ଥାନରେ କେବଳ ନିଜ ପ୍ରତିଭାର ପ୍ରଦର୍ଶନ କରି ପ୍ରଶଂସିତ ହୋଇଛନ୍ତି ତାହା ନୁହେଁ, ସେମାନଙ୍କ ମଧ୍ୟରୁ କେତେକ ଅନୁଷ୍ଠାନ ନିର୍ମାଣରେ ବ୍ରତୀ ହୋଇ ମଞ୍ଚ ନାଟକକୁ ଅଧିକ ସମୃଦ୍ଧ କରି ପାରିଛନ୍ତି। ଏହି ଅନନ୍ୟ ନାଟ୍ୟଗୁରୁଙ୍କୁ ଆଧୁନିକ ଭାରତୀୟ ରଙ୍ଗମଞ୍ଚର ପିତାମହ କହିଲେ ଅତ୍ୟୁକ୍ତି ହେବନାହିଁ।

 

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

The post ଆଧୁନିକ ଭାରତୀୟ ରଙ୍ଗମଞ୍ଚର ପିତାମହ ଇବ୍ରାହିମ ଅଲକାଜି appeared first on Odisha Reporter.



from Odisha Reporter https://ift.tt/32aoTPH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages