କେନ୍ଦୁଝର(ପ୍ରଣୟ ପାଣି): – ଓମଫେଡ କ୍ଷୀର ପ୍ୟାକେଟରୁ ବାହାରୁଥିବା କ୍ଷୀରର ରଙ୍ଗ ଧଳା ପରିବର୍ତ୍ତେ ଦେଖାଯାଉଛି ମାଟିଆ ରଙ୍ଗ। ପ୍ୟାକେଟରୁ ବାହାର କରି କିଛି ସମୟ ବାହାରେ ରଖିବା ପରେ ପାତ୍ର ତଳେ ମାଟିଆ ରଙ୍ଗର ଏକ ଆସ୍ତରଣ ବସିଯିବା ପରି ଦେଖିବାକୁ ମିଳୁଛି। ସମଗ୍ର ରାଜ୍ୟରେ ଉନ୍ନତ ମାନର କ୍ଷୀର ଯୋଗାଇବା ସହ ନିଜ ଗୁଣବତ୍ତା ବଜାୟ ରଖି ଆସିଥିବା ଓମଫେଡ ପ୍ୟାକେଟରୁ ଏପରି ନିମ୍ନ ମାନର କ୍ଷୀର ବାହାରୁଥିବା କେନ୍ଦୁଝର ଜିଲ୍ଲା ଉପଭୋକ୍ତା ଅଭିଯୋଗ କରିଛନ୍ତି। ଲୋକଙ୍କୁ କ୍ଷୀର ନୁହେଁ, କ୍ଷୀର ନାମରେ ଜହର ଦିଆଯାଉଥିବା ଗ୍ରାହକ ତଥା ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।
କେନ୍ଦୁଝର ଜିଲ୍ଲାସ୍ଥିତ ଓମଫେଡ ପ୍ଲାଣ୍ଟରୁ ଏପରି ନିମ୍ନମାନର କ୍ଷୀର ବାହାରୁଥିବା ଅଭିଯୋଗ ହେଉଛି। ଗତ ଦୁଇ ତିନି ଦିନ ଧରି ଏହି ଭଳି କ୍ଷୀର ଯୋଗାଣ ହେଉଥିବା ଗ୍ରାହକ କହୁଛନ୍ତି । କ୍ଷୀରକୁ ପ୍ୟାକେଟକୁ କାଟି ୧୦ରୁ ୧୫ମିନିଟ ଏକ ପାତ୍ରରେ ରଖିଦେଲେ ତଳେ ମାଟିଆ ରଙ୍ଗର ଆସ୍ତରଣ ଜମି ଯାଉଛି। ଏହାକୁ ଛୋଟ ପିଲା ତଥା ରୋଗୀମାନେ ପିଉଥିବା ବେଳେ ଏହାର ଗୁଣବତ୍ତା ପ୍ରତି ସରକାର ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ଅପରପକ୍ଷେ ଏହି କ୍ଷୀରରୁ ପ୍ରସ୍ତୁତ ହେଉଥିବା ଦହି ,ଛେନା ଓ ଅନ୍ୟାନ୍ୟ ସାମଗ୍ରୀ କଥା ନ କହିବା ଭଲ ।
ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଆଲୋକ ମିଶ୍ର ଏହି ଘଟଣାରେ ସରକାରଙ୍କ ଉପରେ ଗର୍ଜି କହିଛନ୍ତି, ପ୍ୟାକେଟ ଭିତର ନାଲି ଓ ମାଟିଆ ରଙ୍ଗ ଦେଖାଯାଉଛି। ସରକାର ଏହା ଉପରେ ପ୍ରଚୁର ଟ୍ୟାକ୍ସ ଦେଉଛନ୍ତି। କିନ୍ତୁ ଲୋକଙ୍କୁ ଜହର ବଣ୍ଟା ଯାଉଛି। ସରକାର ଏହାର ବିଧିବଦ୍ଧ ତଦନ୍ତ କରି ଓମଫେଡ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଏଣୁ ମହାମାରୀ କରୋନା ସମୟରେ କେନ୍ଦୁଝର ଲୋକଙ୍କୁ ଏହିପରି ଅପମିଶ୍ରିତ କ୍ଷୀର ନ ଦିଆଯାଉ ଓ ଏହି କ୍ଷୀର ଏଭଳି କିପରି ହେଲା ତାର ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି। ଏହି ଘଟଣା ସଂକ୍ରାନ୍ତରେ ଓମଫେଡ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରି ନାହିଁ। ଏ ସଂକ୍ରାନ୍ତରେ ବହୁ ଉପଭୋକ୍ତା ଗତକାଲି ଜିଲ୍ଲାପାଳଙ୍କ ନିକଟରେ ଏକ ଅଭିଯୋଗପତ୍ର ଦେଇଛନ୍ତି।
ଏ ସମ୍ପର୍କରେ କେନ୍ଦୁଝର ଗସ୍ତରେ ଥିବା ମନ୍ତ୍ରୀ ଅରୁଣ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏପରି ଅଭିଯୋଗ ମୋ ନଜରକୁ ଆସିଲା, ମୁଁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବି ବୋଲି କହିଛନ୍ତି।
The post ଧଳା ନୁହେଁ ଓମଫେଡ ପ୍ୟାକେଟରୁ ବାହାରୁଛି ମାଟିଆ ରଙ୍ଗର କ୍ଷୀର appeared first on Odisha Reporter.
from Odisha Reporter https://ift.tt/2PT8Kbs
No comments:
Post a Comment