ହିଞ୍ଜିଳିରେ ଉତ୍ତେଜନା, ପୁଲିସ୍‌ର ଲାଠିଚାର୍ଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 23, 2020

ହିଞ୍ଜିଳିରେ ଉତ୍ତେଜନା, ପୁଲିସ୍‌ର ଲାଠିଚାର୍ଜ

ଆସିକା (ମନୋଜ ମୁନି): ବାଲି ଚୋରା ଚାଲାଣକୁ ପ୍ରତିବାଦ କରି ଗଞ୍ଜାମ ଜିଲ୍ଲା କୋଳିଦାସପୁରରେ ହୋଇଥିବା ଗାଡ଼ି ଜଳାପୋଡ଼ା ଘଟଣା ବିସ୍ଫୋରକ ରୂପ ନେଇଛି। ବାଲି ବୋଝେଇ ଟ୍ରକ୍ ଓ ଟ୍ରାକ୍ଟର ଆଦି ପୋଡ଼ିବା ଅଭିଯୋଗରେ ପୁଲିସ୍ ଗାଁର କିଛି ଲୋକଙ୍କୁ ଅଟକ ରଖିଥିବା ବେଳେ ସେମାନଙ୍କୁ ମୁକ୍ତ କରିବା ପାଇଁ ଆଜି ଗ୍ରାମବାସୀମାନେ ହିଞ୍ଜିଳି ଥାନା ସମ୍ମୁଖରେ ଧାରଣା ଦେଇଥିବା ବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଆନ୍ଦୋଳନକାରୀମାନେ ପୁଲିସ୍ ଉପରକୁ ଢେଲା, ପଥର ମାଡ଼ କରିଥିବା ବେଳେ ପୁଲିସ୍ ସେମାନଙ୍କ ଉପରେ ଲାଠିଚାର୍ଜ କରିଥିଲା। ଲାଠିଚାର୍ଜ ପରେ ଆନ୍ଦୋଳନକାରୀମାନେ ସେଠାରୁ ଚାଲି ଯାଇଥିଲେ। ତେବେ ସେମାନଙ୍କ ମଧ୍ୟରେ ଥିବା ଅସନ୍ତୋଷ ଥମି ନଥିବାରୁ ଚାପା ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ଅଧିକ ପୁଲିସ୍ ମୁତୟନ କରାଯାଇଥିବା ବେଳେ ଆସିକା ଏସ୍‌ଡିପିଓ ନିଜେ ସ୍ଥିତି ଉପରେ ନଜର ରଖିଛନ୍ତି। ଅନ୍ୟପକ୍ଷରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଜିଲ୍ଲା ପରିଷଦ ସଭ୍ୟଙ୍କ ଜିମାରେ ୫ ଅଟକଙ୍କୁ ଛଡ଼ାଯାଇଛି।

କୋଳିଦାସପୁରରେ ନଦୀରୁ ବେଆଇନ ଭାବେ ୬ ମାସରୁ ଅଧିକ ଦିନ ହେଲା ବାଲି ଚାଲାଣ ହୋଇଆସୁଥିବା ବେଳେ ସ୍ଥାନୀୟ ଲୋକେ ଏନେଇ ପୁଲିସ୍ ଠାରୁ ଆରମ୍ଭ କରି ତହସିଲ୍‌ଦାରଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ। କିନ୍ତୁ କିଛି ସୁଫଳ ମିଳି ନଥିଲା। ତେବେ ଗତ ୨୧ ତାରିଖ ରାତିରେ ବାଲି ଚାଲାଣ ବେଳେ କିଛି ଲୋକ କିଛି ବାଲି ବୋଝେଇ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଯେହେତୁ ନଦୀରୁ ବାଲି ଚାଲାଣ ନେଇ କୋଳିଦାସପୁର ଗ୍ରାମବାସୀ ପ୍ରତିବାଦ କରି ଆସୁଥିଲେ, ତେଣୁ ସେମାନଙ୍କ ମଧ୍ୟରୁ କେହି ଗାଡ଼ି ପୋଡ଼ିଥିବେ ବୋଲି ପୁଲିସ୍ ସନ୍ଦେହ କରିଥିଲା। ଫଳସ୍ୱରୂପ ୧୦ ଗ୍ରାମବାସୀଙ୍କୁ ନେଇ ଥାନାରେ ଅଟକ ରଖିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ସେମାନଙ୍କୁ ଛାଡ଼ିଦେବା ଦାବିରେ ହିଞ୍ଜିଳି ଥାନାରେ ଆଗରେ ଆଜି ଧାରଣା ଦେଇଥିଲେ। ଗ୍ରାମବାସୀମାନେ କହିଥିଲେ ଯେ ଉକ୍ତ ୧୦ ଜଣଙ୍କୁ ପୁଲିସ୍ ଛାଡ଼ି ଦେଉ ନହେଲେ ସେମାନଙ୍କୁ ସମସ୍ତଙ୍କୁ ନେଇ ଥାନାରେ ରଖୁ। ତେବେ ପରେ ଲୋକଙ୍କୁ ହଟାଇବାକୁ ପୁଲିସ୍‌ ଲାଠିଚାର୍ଜ କରିଥିଲା।

ଏ ଘଟଣା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ ସେ ଏସ୍‌ପିଙ୍କ ସହିତ କଥା ହୋଇଛନ୍ତି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୁଲିସ୍ ଷ୍ଟାଫ୍‌ କି ଆଉ ଯେ କେହି ଏଥିରେ ସମ୍ପୃକ୍ତ ଥିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଗଞ୍ଜାମ ଜିଲ୍ଲାରେ ବେଆଇନ ବାଲି ଚାଲାଣକୁ ପ୍ରଶୟ ଦିଆଯିବ ନାହିଁ। ବେଆଇନ ବାଲି ଚାଲାଣ ହେଲେ ଲୋକେ ପୁଲିସ୍‌କୁ ଜଣାଇପାରିବେ।

The post ହିଞ୍ଜିଳିରେ ଉତ୍ତେଜନା, ପୁଲିସ୍‌ର ଲାଠିଚାର୍ଜ appeared first on Odisha Reporter.



from Odisha Reporter https://ift.tt/3gkAyQX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages