ନୂଆଦିଲ୍ଲୀ: ଦୀର୍ଘ ୭ ଘଣ୍ଟାର ମାରାଥନ ବୈଠକ ପରେ ସୋନିଆ ଗାନ୍ଧି ହିଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ରହିବେ ବୋଲି ଗତକାଲି କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା ୫ରୁ ୬ ମାସ ମଧ୍ୟରେ କଂଗ୍ରେସର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ହେବା ପର୍ଯ୍ୟନ୍ତ ସୋନିଆ ଅନ୍ତରୀଣ ମଙ୍ଗୁଆଳ ଭାବେ ପାଇଁ କାମ କରିବେ।
ତେବେ ଗତକାଲି ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ନିଷ୍ପତ୍ତି ଅନୁଯାୟୀ, ସୋନିଆ କଂଗ୍ରେସ ମୁଖ୍ୟ ଭାବେ କାର୍ଯ୍ୟ କରିବାକୁ ଥିଲେ ହେଁ ତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ସହଯୋଗ କରିବା ପାଇଁ ୪ ଜଣିଆ କମିଟି ଗଠନ କରାଯିବ। ଉକ୍ତ କମିଟିର ପରାମର୍ଶ ଓ ପ୍ରସ୍ତାବକୁ ନଜରେ ରଖି ସୋନିଆ କଂଗ୍ରେସର ବୁଡ଼ି ଯାଉଥିବା ଜାହଜକୁ ଆଗକୁ ବଢ଼ାଇବେ।
ଏପରି କି ଗାନ୍ଧି ପରିବାର ପାଖରେ କଂଗ୍ରେସ ସୀମିତ ନାହିଁ ବୋଲି ସୋନିଆ ପ୍ରମାଣିତ କରିବାକୁ ଚାହୁଁଛନ୍ତି। କମିଟିର ସଦସ୍ୟମାନେ ଯାହା ବି ନିଷ୍ପତ୍ତି ନେବେ, ତଦନୁଯାୟୀ ଦଳ କାର୍ଯ୍ୟ କରିବ। ଏହାର ଅର୍ଥ କଂଗ୍ରେସରେ ଗଣତନ୍ତ୍ରକୁ ଗୁରୁତ୍ୱ ଦିଆଉ ଯାଉଛି ବୋଲି ଏକ ବାର୍ତ୍ତା ଦଳ ଲୋକଙ୍କୁ ଦେବାକୁ ଚାହୁଁଛି। ଏଥିପାଇଁ ୪ ଜଣିଆ କମିଟି ଗଠନ କରାଯାଉଛି ବୋଲି ରାଜନୀତିକ ପଣ୍ଡିତମାନେ ମତ ଦେଇଛନ୍ତି।
୪ ଜଣିଆ କମିଟିର ମୁଖ୍ୟ କଂଗ୍ରେସ ସଭାପତିଙ୍କ ଡେପୁଟି ଭାବେ କାର୍ଯ୍ୟ କରିବେ। ଦଳର ଅଧ୍ୟକ୍ଷ ହିଁ କମିଟିରେ କେଉଁମାନେ ରହିବେ ସେମାନଙ୍କୁ ଚୟନ କରିବେ। କମିଟିର ସଦସ୍ୟମାନେ ସଭାପତିଙ୍କ କାର୍ଯ୍ୟପନ୍ଥା କ’ଣ ରହିବ, ସେକଥା ସ୍ଥିର କରିବେ।
ପ୍ରଥମଥର ଯେ କଂଗ୍ରେସ ସଭାପତିଙ୍କୁ ସହଯୋଗ କରିବାକୁ ୪ ଜଣିଆ କମିଟି ଗଠନ କରାଯାଉଛି, ତାହା ନୁହେଁ ୨୦୧୨ରେ ସୋନିଆ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା ବେଳେ ତାଙ୍କୁ ସହଯୋଗ କରିବା ପାଇଁ ଗୋଟିଏ ସବ ଗ୍ରୁପ୍ ଗଠନ କରାଯାଇଥିଲା। ରାଜ୍ୟସଭା ସାଂସଦ ଅହମଦ ପଟେଲ ଓ ଏକେ ଆଣ୍ଟୋନିଙ୍କ ସହ ତତ୍କାଳୀନ ସାଧାରଣ ସମ୍ପାଦକ ଜନାର୍ଦ୍ଦନ ଦ୍ୱିବେଦୀ ଏହି କମିଟିର ସଦସ୍ୟ ରହିଥିଲେ।
ଗତକାଲି ଅନୁଷ୍ଠିତ ବୈଠକର ନିଷ୍ପତ୍ତି ଅନୁଯାୟୀ, ସଦସ୍ୟ ସଂଗ୍ରହ ଅଭିଯାନକୁ କଂଗ୍ରେସ ତ୍ୱରାନ୍ୱିତ କରିବ। ଆଗକୁ ଅଧ୍ୟକ୍ଷ ନିର୍ବାଚନ ହେବ। ତେଣୁ ଅଧିକରୁ ଅଧିକ ଲୋକଙ୍କୁ କଂଗ୍ରେସରେ ସାମିଲ କରିବାକୁ ଦଳ ଲକ୍ଷ୍ୟ ରଖିଛି। କରୋନା ସଂକ୍ରମଣ ହ୍ରାସ ପାଇବା ମାତ୍ରେ ଦଳୀୟ ନିର୍ବାଚନ କରିବାକୁ କଂଗ୍ରେସ ନଜର ରଖିଛି।
The post କଂଗ୍ରେସରେ ନେତୃତ୍ୱ ସଙ୍କଟ: ସୋନିଆଙ୍କୁ ସହଯୋଗ କରିବେ ୪ ଜଣିଆ କମିଟି appeared first on Odisha Reporter.
from Odisha Reporter https://ift.tt/3glB7tS
No comments:
Post a Comment