ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡ଼େଇଙ୍କୁ ବିବାହ କରିବା ପରେ ନିଜ ବୈବାହିକ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଛନ୍ତି। ବିବାହର କିଛିଦିନ ପରେ ଶ୍ୱଶୁର ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ଝିଲିକ୍ଙ୍କୁ ଓଡ଼ିଆ ଶିଖାଉଥିବାର ଦେଖିବାକୁ ମିଳିଥିଲା। ସୋଶାଲ ମିଡିଆରେ ଝିଲିକଙ୍କ ହାତରେ ଛବିଳ ମଧୁବର୍ଣ୍ଣବୋଧ ବହି ସହିତ ପାଖରେ ପ୍ରଫୁଲ୍ଲ ଘଡ଼େଇ ବସିଥିବା ଫଟୋ ଭାଇରାଲ୍ ହୋଇଥିଲା।
ସେହିପରି ଅନ୍ୟ ଏକ ଭିଡିଓ ଝିଲିକ୍ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ପ୍ରଫୁଲ୍ଲ ଘଡ଼େଇ ତାଙ୍କୁ ମା’ର ଅର୍ଥ କ’ଣ ଅତି ସୁନ୍ଦର ଭାବରେ ବୁଝାଉଛନ୍ତି। ଏହି ଭିଡିଓରେ ଝିଲିକଙ୍କ ତାଙ୍କୁ ପ୍ରଶ୍ନ କରିଛନ୍ତି, ‘ବାବା ‘ବୋଉ’ ଆମ ପାଇଁ କ’ଣ ? ’
ଏହାର ଉତ୍ତରରେ ପ୍ରଫୁଲ୍ଲ କହିଛନ୍ତି, ‘ଭଗବାନଙ୍କ ଦୁନିଆରେ ମା’ ଏକ ଶ୍ରେଷ୍ଠ ସୃଷ୍ଟି। ମା’ ହେଉଛି ଧରିତ୍ରୀ। ମା’ ପ୍ରେମମୟୀ, ମା’ ମମତାମୟୀ। ମାତୃଶକ୍ତି ବିନା ଏ ସମାଜର ବିକାଶ ଅସମ୍ଭବ। ମାତୃଶକ୍ତି ଯୋଗୁଁ ଏ ସମାଜ ଜାଗ୍ରତ। ମାତୃଶକ୍ତିର ଇଚ୍ଛାରେ ଏହି ଦୁନିଆ ଚାଲେ। ମଣିଷ କିମ୍ୱା ଦେବତାଙ୍କ ଭିତରେ ନାରୀ ସବୁବେଳେ ଶ୍ରେଷ୍ଠ ସ୍ଥାନ ଗ୍ରହଣ କରିଆସିଛି। ମା’ ଅନେକ ସମୟରେ ଆଦର୍ଶ ସ୍ଥାନ ଗ୍ରହଣ କରିଛି। ମା’ ତା’ର ସନ୍ତାନକୁ ୧୦ ମାସ ଗର୍ଭରେ ଧାରଣ କରି ବହୁ କଷ୍ଟ ଯନ୍ତ୍ରଣା ପାଇ ତାକୁ ଜନ୍ମ କରେ ଏବଂ ତା’ର ଲାଳନପାଳନ କରେ। କେତେ କଷ୍ଟ ସେ ନପାଏ। ଜନ୍ମ ଦେଇ ବଡ଼ କରେ। ସେ ମଣିଷ ବଡ଼ ହେଲା ପରେ ସେ ମମତାମୟୀ ମା’ର ଅବଦାନକୁ କଦାପି ଭୁଲିଯିବା ଉଚିତ ନୁହେଁ। ମା’କୁ ଅସମ୍ମାନ କରିବା ଅର୍ଥ ନିଜକୁ ଅସମ୍ମାନ କରିବା ଓ ନିଜ ଜନ୍ମକୁ ଅସମ୍ମାନ କରିବା।
ଝିଲିକ୍ଙ୍କର ଏହି ପୋଷ୍ଟରେ ପ୍ରଶଂସକଙ୍କ କମେଣ୍ଟ ମିଳିବାରେ ଲାଗିଛି। ୨ ମିନିଟ୍ ୨୩ ସେକେଣ୍ଡର ଏହି ଭିଡିଓଟିକୁ ଏପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି।
ସୂଚନାଯୋଗ୍ୟ, ‘ଓଲେ ଓଲେ ଦିଲ୍ ବୋଲେ’, ‘ତମକୁ ଦେଖିଲା ପରେ’, ‘ଜବରଦସ୍ତ ପ୍ରେମିକ’, ‘ଅଗସ୍ତ୍ୟ’, ‘ଲଭ୍ ୟୁ ହମେସା’, ‘ଜଗା ହାତରେ ପଘା’ ଆଦି ଫିଲ୍ମରେ କାମ କରିଛନ୍ତି ଝିଲିକ୍। ଚଳିତ ବର୍ଷ ମାର୍ଚ୍ଚ ୧୧ ତାରିଖରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ଝିଲିକ୍ ବିବାହ କରିଥିଲେ।
The post ବୋହୂକୁ ମା’ର ଅର୍ଥ ବୁଝାଇଲେ ପ୍ରଫୁଲ୍ଲ ଘଡ଼େଇ appeared first on Odisha Reporter.
from Odisha Reporter https://ift.tt/3h4IG9k
No comments:
Post a Comment