ମୁମ୍ୱାଇ: କରୋନାରୁ ସୁସ୍ଥ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ଜେନେଲିଆ ଡି’ସୌଜା। ଗତ ତିନି ସପ୍ତାହ ଧରି ସେ କରୋନାରେ ଆକ୍ରାନ୍ତ ଥିଲେ। କରୋନାରୁ ସୁସ୍ଥ ହେବା ନେଇ ଜେନେଲିଆ ନିଜେ ସୋଶାଲ ମିଡିଆ ଯୋଗେ ସୂଚନା ଦେଇଛନ୍ତି। ଏହା ସହିତ ଗତ ୨୧ ଦିନ ଧରି କରୋନା ସହିତ ସେ କିପରି ଲଢ଼େଇ କରୁଥିଲେ, ତାହା ମଧ୍ୟ ଜଣାଇଛନ୍ତି।
ଜେନେଲିଆ ଲେଖିଛନ୍ତି, ‘ତିନି ସପ୍ତାହ ପୂର୍ବରୁ ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଗତ ୨୧ ଦିନ ଧରି ମୋ ଶରୀରରେ କୌଣସି କରୋନା ଲକ୍ଷଣ ଦେଖାଯାଉ ନଥିଲେ ମଧ୍ୟ ରିପୋର୍ଟ ପଜିଟିଭ୍ ଥିଲା। ଭଗବାନଙ୍କ ଆଶୀର୍ବାଦରୁ ଏବେ ମୋ କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ସମସ୍ତଙ୍କ ଆଶୀର୍ବାଦ ଓ ଭଲପାଇବା ପାଇଁ ଏହି ରୋଗ ସହିତ ଲଢ଼େଇ କରିବା ସହଜ ହୋଇଥିଲା। ହେଲେ ୨୧ ଦିନ ଆଇସୋଲେସନ୍ରେ ରହିବା ମୋ ପାଇଁ ବହୁତ କଷ୍ଟକର ଥିଲା।’
— Genelia Deshmukh (@geneliad) August 29, 2020
ଜେନେଲିଆ ଆହୁରି ମଧ୍ୟ ଲେଖିଛନ୍ତି, ‘ଆପଣ ଡିଜିଟାଲ ମାଧ୍ୟମରେ କାହା ସହିତ ଯେତେ ଯୋଗାଯୋଗରେ ରୁହନ୍ତୁ ନା କାହିଁକି ଏକେଲାପଣକୁ ଶେଷ କରିପାରିବେ ନାହିଁ। ନିଜ ପରିବାର ଓ ଆତ୍ମୀୟସ୍ୱଜନଙ୍କ ପାଖକୁ ଫେରି ଆସି ମୁଁ ବହୁତ ଖୁସି ଅଛି। ଯେଉଁମାନେ ଆପଣଙ୍କୁ ଭଲ ପାଉଛନ୍ତି, ସେମାନଙ୍କ ପାଖରେ ହିଁ ରୁହନ୍ତୁ। ଏମାନେ ହିଁ ଆପଣଙ୍କର ସବୁଠାରୁ ବଡ଼ ଶକ୍ତି। ଖୁବ୍ ଶୀଘ୍ର କରୋନା ଟେଷ୍ଟ କରାନ୍ତୁ। ଭଲ ଖାଆନ୍ତୁ। ସୁସ୍ଥ ରୁହନ୍ତୁ। କରୋନା ରାକ୍ଷସ ସହିତ ଲଢ଼ିବା ପାଇଁ ଏହା ହିଁ ଭଲ ଉପାୟ।’
ସୂଚନାଯୋଗ୍ୟ, ବଲିଉଡ୍ ଅଭିନେତ୍ରୀ ଜେନେଲିଆ ଡି’ସୌଜା ଲମ୍ୱା ସମୟ ଧରି ସିଲଭର୍ ସ୍କ୍ରିନଠାରୁ ଦୂରେଇ ରହିଛନ୍ତି। ବର୍ତ୍ତମାନ ସେ ସ୍ୱାମୀ ରିତେଶ ଦେଶମୁଖ ଓ ଦୁଇ ପିଲାଙ୍କ ସହିତ ସମୟ ଅତିବାହିତ କରୁଛନ୍ତି।
The post କରୋନାରୁ ସୁସ୍ଥ ହେଲେ ଜେନେଲିଆ, ଜଣାଇଲେ ଏହା ସହ ଲଢ଼ିବାର ଭଲ ଉପାୟ appeared first on Odisha Reporter.
from Odisha Reporter https://ift.tt/2YPbwn7
No comments:
Post a Comment