ରାଜୀବଙ୍କ ସହାୟତା, ସୋନିଆଙ୍କ ଫୋନ୍ କଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 16, 2020

ରାଜୀବଙ୍କ ସହାୟତା, ସୋନିଆଙ୍କ ଫୋନ୍ କଲ୍

ନୂଆଦିଲ୍ଲୀ: ଭାରତୀୟ ରାଜନୀତିର ‘ଅଜାତଶତ୍ରୁ’ ଥିଲେ ଅଟଳ ବିହାରୀ ବାଜପେୟୀ। ଯଦିଓ ସେ ବିଜେପି ଦଳରୁ ରାଜନୀତି କରି ପ୍ରଧାନମନ୍ତ୍ରୀ ହୋଇଥିଲେ, ତାଙ୍କ ନିଆରା ବ୍ୟକ୍ତିତ୍ୱ ତାଙ୍କୁ ଦଳୀୟ ସଂକୀର୍ଣ୍ଣତାରୁ ଉପରେ ରଖିଥିଲା। ତାଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ଓ ନିର୍ମଳ ଭାବମୂର୍ତ୍ତିକୁ ବିଭେଦ କିମ୍ବା ବିବାଦର କଳାଦାଗ ଛୁଇଁପାରି ନଥିଲା।

ଅଟଳ ବିହାରୀ ବାଜପେୟୀ ଏମିତି ଜଣେ ନେତା, ଯିଏ ଦଳୀୟ ରାଜନୀତି ତ କରୁଥିଲେ କିନ୍ତୁ ବିଭିନ୍ନ ସମୟରେ ବିରୋଧୀଙ୍କୁ ପ୍ରଶଂସା କରିବାରେ କୌଣସି ଦ୍ୱିଧା କରୁ ନଥିଲେ। ଖାସ୍‌ ଏଥିପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧି ତାଙ୍କୁ କରିଥିବା ସହାୟତା କଥା ସେ ବିନା ଦ୍ୱିଧାରେ ସାଧାରଣରେ ପ୍ରକାଶ କରିଥିଲେ।
୧୯୮୭ରେ ଅଟଳ ବିହାରୀ ବାଜପେୟୀ କିଡ୍‌ନୀ ସଂକ୍ରମଣ ରୋଗରେ ପୀଡ଼ିତ ଥିଲେ। ଆଉ ସେତେବେଳେ ତାଙ୍କ ଚିକିତ୍ସା କେବଳ ଆମେରିକାରେ ହିଁ ସମ୍ଭବ ଥିଲା। କିନ୍ତୁ ଆର୍ଥିକ କାରଣରୁ ଆମେରିକା ଯିବା ବାଜପେୟୀଙ୍କ ପାଇଁ ସହଜ ନଥିଲା।

ଏହି ସମୟରେ ବାଜପେୟୀଙ୍କ ସମସ୍ୟା ବିଷୟରେ ଜାଣିବାକୁ ପାଇଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି। ଆଉ ବାଜପେୟୀଙ୍କୁ ନିଜ ପାଖକୁ ଡକାଇ ପଠାଇ ଏକ ପ୍ରସ୍ତାବ ମଧ୍ୟ ଦେଇଥିଲେ।

ରାଜୀବ ଗାନ୍ଧୀ କହିଥିଲେ ଯେ ଆମେରିକାର ନ୍ୟୁୟର୍କ ଯିବାକୁ ଥିବା ଭାରତୀୟ ପ୍ରତିନିଧିମଣ୍ଡଳରେ ସେ ତାଙ୍କୁ ସାମିଲ କରିଦେବେ। ଏହି ସୁଯୋଗରେ ସେ ସେଠାରେ ତାଙ୍କ ଚିକିତ୍ସା କରାଇବାକୁ ବାଜପେୟୀଙ୍କୁ ରାଜୀବ ପ୍ରସ୍ତାବ ଦେଇଥିଲେ।

ରାଜୀବ ଗାନ୍ଧିଙ୍କ ଏହି ପ୍ରସ୍ତାବରେ ରାଜି ହୋଇ ବାଜପେୟୀ ଆମେରିକା ଯାଇ ସେଠାରେ ଚିକିତ୍ସିତ ହୋଇଥିଲେ। ଜଣାଶୁଣା ସାମ୍ବାଦିକ କରଣ ଥାପ୍ପର ତାଙ୍କ ‘ଡେଭିଲ୍‌ସ ଆଡ୍‌ଭୋକେଟ୍’ ବହିରେ ଏହି କଥା ଉଲ୍ଲେଖ କରିଛନ୍ତି।

ଥାପ୍ପର ଲେଖିଛନ୍ତି ଯେ, ୧୯୯୧ରେ ରାଜୀବ ଗାନ୍ଧିଙ୍କ ହତ୍ୟା ପରେ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କୁ ବେଶ୍ ଝୁରିଥିଲେ। ସେତେବେଳେ ତାଙ୍କ ପ୍ରତି ରାଜୀବ ଗାନ୍ଧି କରିଥିବା ସହାୟତା ଓ ସହାନୁଭୂତିକୁ ଅଟଳଜୀ ସାର୍ବଜନୀନ କରିଥିଲେ।

ବାଜପେୟୀ ସେତେବେଳେ କରଣ ଥାପ୍ପରଙ୍କୁ କହିଥିଲେ ଯେ, “ରାଜୀବଙ୍କ ପାଇଁ ମୁଁ ନ୍ୟୁୟର୍କ ଯାଇଥିଲି ଏବଂ ଆଉ ସେହି କାରଣରୁ ହିଁ ମୁଁ ଆଜି ବଞ୍ଚିଛି।”
ସେହିଭଳି ୨୦୧୮ ଅଗଷ୍ଟ ୧୬ରେ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ପରେ ଏକ ଇଂରାଜୀ ଖବର କାଗଜରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କର ଏକ ଲେଖା ପ୍ରକାଶିତ ହୋଇଥିଲା। ଏଥିରେ ସେ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଚାରଣ କରିଥିଲେ ଓ ସେ କିପରି ସମସ୍ତଙ୍କୁ ନେଇ କାମ କରିବାକୁ ଭଲ ପାଉଥିଲେ ସେ ବିଷୟରେ ବର୍ଣ୍ଣନା କରିଥିଲେ।

ଏଥିରେ ସେ ଏକ ଘଟଣା ସମ୍ପର୍କରେ ଲେଖିଥିଲେ। ୨୦୦୧ ମସିହା ଡିସେମ୍ବର ୧୩ ତାରିଖରେ ସଂସଦ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣ ବେଳେ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସଂସଦ ଭବନରେ ଉପସ୍ଥିତ ନ ଥିଲେ। ପରେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଫୋନ୍ କରିଥିଲେ ଓ ସେ ଠିକ୍ ଅଛନ୍ତି କି ନାହିଁ ବୋଲି ପଚାରି ବୁଝିଥିଲେ।

ପ୍ରଣବ ଲେଖିଥିଲେ, ସୋନିଆ ଗାନ୍ଧୀଙ୍କ ଏହି ଫୋନ୍ କଲ୍‌ କଥା ଅଟଳ ବିହାରୀ ବାଜପେୟୀ ଗୃହରେ ମଧ୍ୟ ଉଠାଇଥିଲେ। ଏହାର ଉଦାହରଣ ଦେଇ ବାଜପେୟୀ କହିଥିଲେ ଯେ ବିପଦ ବେଳେ ବିରୋଧୀ ଦଳର ନେତା ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କରି ଠିକ୍ ଅଛନ୍ତି କି ନାହିଁ ପଚାରି ବୁଝିବା ଅର୍ଥ ଭାରତୀୟ ଗଣତନ୍ତ୍ର ସୁରକ୍ଷିତ ରହିଛି।

ଅଟଳ ବିହାରୀ ବାଜପେୟୀ ଗଣତନ୍ତ୍ରର ଜଣେ ପ୍ରକୃତ ପ୍ରବକ୍ତା ଥିଲେ ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ଲେଖିଥିଲେ।

The post ରାଜୀବଙ୍କ ସହାୟତା, ସୋନିଆଙ୍କ ଫୋନ୍ କଲ୍ appeared first on Odisha Reporter.



from Odisha Reporter https://ift.tt/2Q9WjZj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages