ମୁମ୍ବାଇ: ଦିବଂଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଗୁଡ଼ିକର ଫୋରେନ୍ସିକ୍ ଅଡିଟ୍ ରିପୋର୍ଟ ଆସିଯାଇଛି। ମଙ୍ଗଳବାର ମୁମ୍ବାଇ ପୁଲିସ୍ ଏହି ରିପୋର୍ଟ ପାଇଛି। ମୁମ୍ବାଇ ପୁଲିସ୍ର ଜଣେ ବରିଷ୍ଠ ଅଧିକାରୀଙ୍କ ଠାରୁ ଏହି ସୂଚନା ମିଳିଛି।
ଗ୍ରାଣ୍ଟ ଥ୍ରୋଣ୍ଟୋନ୍ ନାମକ ଏକ ଆକାଉଣ୍ଟିଂ ଓ ଆଡ୍ଭାଇଜରୀ ଫାର୍ମକୁ ଏହି ମାମଲାରେ ଫୋରେନ୍ସିକ୍ ଅଡିଟର ଭାବେ ନିଯୁକ୍ତି ଦିଆଯାଇଥିଲା। ଏହି ଫାର୍ମ ସୁଶାନ୍ତ ସିଂହ ରାଜପୁତଙ୍କ ଗତ ୫ ବର୍ଷର ବ୍ୟାଙ୍କ୍ ଟ୍ରାଞ୍ଜାକ୍ସନକୁ ଯାଞ୍ଚ କରିଥିଲା। ଏହି ଯାଞ୍ଚ ପରେ ଜଣାପଡ଼ିଛି ଯେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକରୁ ରିୟା ଚକ୍ରବର୍ତ୍ତୀଙ୍କ ଆକାଉଣ୍ଟ ଗୁଡ଼ିକୁ ଟଙ୍କା ଟ୍ରାନ୍ସଫର ହୋଇନାହିଁ।
ମୁମ୍ବାଇ ପୁଲିସ୍ର ଏହି ଅଧିକାରୀ ଜଣଙ୍କ କହିଛନ୍ତି ଯେ ସୁଶାନ୍ତଙ୍କ ଆର୍ଥିକ ସ୍ଥିତି ବେଶ୍ ସ୍ୱଚ୍ଛଳ ଥିଲା ଓ ସେ ତାଙ୍କ କର୍ମଚାରୀମାନଙ୍କର ଭଲଭାବେ ଯତ୍ନ ନେଉଥିଲେ।
ସେ ଆହୁରି କହିଛନ୍ତି ଯେ ଏ ସମ୍ବନ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଆବଶ୍ୟକ କାଗଜପତ୍ର ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ଇଡି ଏବେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମନି ଲଣ୍ଡରିଂ ଦିଗଟିକୁ ଯାଞ୍ଚ କରୁଛି।
ସୁଶାନ୍ତଙ୍କ ମୃତ୍ୟୁ ପରେ ଜୁଲାଇ ୨୫ ତାରିଖରେ ତାଙ୍କ ବାପା କେ.କେ ସିଂହ ପାଟନା ପୁଲିସ୍ ନିକଟରେ ରିୟା ଚକ୍ରବର୍ତ୍ତୀ, ତାଙ୍କ ପରିବାର ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ଏତଲା ଦେଇଥିଲେ। ଏଥିରେ ସେ ଅନେକ ଅଭିଯୋଗ ଆଣିଥିଲେ। ଏଥିରେ ସେ ଦାବି କରିଥିଲେ ଯେ ତାଙ୍କ ପୁଅ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଫଡ଼ପ କରାଯାଇଛି। ଏହା ପରେ ପାଟନା ପୁଲିସ୍ ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଓ ଅନ୍ୟ ୫ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା। ଅବଶ୍ୟ ବିହାର ସରକାର ମାମଲାଟିକୁ ସିବିଆଇକୁ ହସ୍ତାନ୍ତର କରି ଦେଇଛନ୍ତି। କିନ୍ତୁ ମହାରାଷ୍ଟ୍ର ସରକାର ଏଯାବତ ମାମଲାର ସିବିଆଇ ତଦନ୍ତ ନିମନ୍ତେ ଅନୁମତି ଦେଇ ନାହାନ୍ତି।
ସୂଚନାଯୋଗ୍ୟ, ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଆପାର୍ଟମେଣ୍ଟରୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରଦେଶରେ ବାହାର ରାଜ୍ୟର ଲୋକଙ୍କୁ ମିଳିବନି ଚାକିରି।
The post ଆସିଲା ସୁଶାନ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟର ଅଡିଟ୍ ରିପୋର୍ଟ appeared first on Odisha Reporter.
from Odisha Reporter https://ift.tt/2EcmStY
No comments:
Post a Comment