କାମାକ୍ଷାନଗର(ବିଦ୍ୟାଧର ବରାଳ): ଏକ ସେତୁ କାମରେ ନିୟୋଜିତ ଥିଲେ ୩ ଶ୍ରମିକ। ତେବେ ଦେଖୁ ଦେଖୁ ହଠାତ୍ ମାଡ଼ି ଆସିଲା ବନ୍ୟା ପାଣି। ଚାରି ପଟ ଜଳମଗ୍ନ ହୋଇଗଲା। ଏହା ଦେଖି ଭୟଭୀତ ହୋଇ ଉକ୍ତ ଶ୍ରମିକମାନେ ପାଖରେ ଥିବା ଏକ କ୍ରେନ୍ ଉପରକୁ ଚଢ଼ିଗଲେ। ମାତ୍ର ତାହା ମଧ୍ୟ କ୍ରମଶଃ ପାଣିରେ ବୁଡ଼ିବାକୁ ଲାଗିଲା। ମୃତ୍ୟୁକୁ ପାଖରୁ ଦେଖି ଏହି ଶ୍ରମିକମାନେ ଭୟଭୀତ ହୋଇ ପଡ଼ିଥିବା ବେଳେ ଦେବଦୂତ ସାଜି ସେଠାରେ ପହଞ୍ଚିଲେ ଅଗ୍ନିଶମ ବାହିନୀ କର୍ମଚାରୀ। ଆଉ ସେମାନେ ତତ୍କ୍ଷଣାତ ଉକ୍ତ ୩ ଶ୍ରମିକଙ୍କୁ ପାଣି ଘେରରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଥିବା ଜଣାଯାଇଛି। ଏପରି ଘଟଣା ଘଟି ଯାଇଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତରେ।
ବାଲିବୋ ପଞ୍ଚାୟତ ଅଧୀନ ଦଧିସିଙ୍ଗା ଗାଁ ନିକଟ ପାଣ୍ଡରା ନାଳରେ ନିର୍ମାଣଧୀନ ସେତୁ କାମରେ ଏକ ଘରୋଇ ନିର୍ମାଣ ସଂସ୍ଥାର ୩ ଶ୍ରମିକ ନିୟୋଜିତ ଥିଲେ। ତେବେ ବର୍ଷା ବଢ଼ିବା ପରେ ଜଳସ୍ତର ବି ବଢ଼ି ଯାଇଥିଲା । ଫଳରେ ଏହି ଶ୍ରମିକମାନେ ବନ୍ୟା ପାଣିରେ ଫସି ରହିଥିଲେ। ପାଣି ବଢ଼ିବା ଦେଖି ପାଖରେ ଥିବା କ୍ରେନ ଉପରକୁ ସେମାନେ ଚଢ଼ି ଯାଇଥିବା ବେଳେ ତାହା ମଧ୍ୟ ବୁଡ଼ିବା ଅବସ୍ଥାକୁ ଚାଲିଗଲା। ଏହା ଦେଖି ଶ୍ରମିକମାନେ ଛାନିଆ ହୋଇ ଯାଇଥିବା ବେଳେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଥିଲା।
ସୂଚନାଯୋଗ୍ୟ, ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ଢେଙ୍କାନାଳ ଜିଲ୍ଲା । ଭୁବନ ବ୍ଳକରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବହୁ ଅଞ୍ଚଳ ଜଳମଗ୍ନ ହୋଇ ପଡ଼ିଛି।
The post ସେତୁ କାମ କରୁଥିଲେ ୩ ଶ୍ରମିକ, ହଠାତ୍ ମାଡ଼ି ଆସିଲା ପାଣି appeared first on Odisha Reporter.
from Odisha Reporter https://ift.tt/2E7wS7T
No comments:
Post a Comment