ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ଜାତିପ୍ରଥାର ଯାତନା କେତେ ହୃଦୟ ବିଦାରକ ହୁଏ ତାହା ସମ୍ୱଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ ଦେଖିବାକୁ ମିଳିଛି। ଅନ୍ୟ ଜାତିରେ ଦ୍ୱିତୀୟ ବିହାହ କରିଥିବାରୁ ଜଣେ ବ୍ୟକ୍ତିଙ୍କ ଶବକୁ ଗ୍ରହଣ କଲେନି ପରିବାର ଓ ଆତ୍ମୀୟ ଲୋକେ। ଶେଷରେ ବାଧ୍ୟ ହୋଇ ତାଙ୍କ ଦ୍ୱିତୀୟ ପତ୍ନୀ ସମାଜସେବୀଙ୍କ ସହାୟତାରେ ୬ ଘଣ୍ଟା ପରେ ଶବ ସତ୍କାର କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ଅଭିରାମ ବେହେରା (୬୫)। ତାଙ୍କ ଘର ରେଢାଖୋଲ ବ୍ଲକ ଶିଶୁପନ୍ନ ଗାଁରେ।
ଅଭିରାମଙ୍କର ପ୍ରଥମ ସ୍ତ୍ରୀ ଓ ତିନି ପୁଅ, ଝିଅଙ୍କ ସହ କୌଣସି କାରଣରୁ ମତାନ୍ତର ହୋଇଥିଲା। ତେଣୁ ପ୍ରାୟ ୨୦ ବର୍ଷ ତଳେ ଅନ୍ୟ ଏକ ଜାତିର ମହିଳା ପୂନ୍ୟ ମିର୍ଦ୍ଦାକୁ ସେ ବିବାହ କରିଥିଲେ। ଆଉ ତାଙ୍କ ଗାଁ ପାଖ ଲଇଣ୍ଡାମାଲରେ ରହୁଥିଲେ। ତେବେ ଅଭିରାମଙ୍କ ଗୋଡ଼ରେ ଏକ ଘା’ ହୋଇଥିଲା। ହେଲେ ୫ ଦିନ ତଳେ ଅବସ୍ଥା ଗୁରୁତର ହେବାରୁ ଦ୍ୱିତୀୟ ପତ୍ନୀ ପୂନ୍ୟ ତାଙ୍କୁ ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗତକାଲି ସକାଳ ପ୍ରାୟ ୮ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଡାକ୍ତରଖାନା ପକ୍ଷରୁ ଶବବାହାକ ଗାଡି ଦିଆଗଲା।
ପୁନ୍ୟ ଗାଡିରେ ଶବକୁ ଧରି ପ୍ରଥମେ ଅଭିରାମଙ୍କ ପୈତୃକ ଘର ଶିଶୁପନ୍ନ ଗାଁକୁ ଯାଇଥିଲେ। ହେଲେ ସେଠାରେ ମୃତଦେହ ଗ୍ରହଣ କରିବାକୁ ତାଙ୍କ ପରିବାର ଲୋକେ ସିଧାସଳଖ ମନା କରିଥିଲେ। ଏହାପରେ ଅଭିରାମଙ୍କ ପ୍ରଥମ ସ୍ତ୍ରୀଙ୍କ ପରିବାର ରହୁଥିବା ବଡକୁଢା ଗାଁକୁ ମଧ୍ୟ ଯାଇଥିଲେ। ସେଠି ମଧ୍ୟ ସମାନ ସ୍ଥିତି ଦେଖାଦେଲା। ସବୁଠି ନିରାଶ ହେବା ପରେ ମୃତଦେହ ଧରି ଏକ ଗଛମୂଳରେ ପଡିରହିଲେ ପୁନ୍ୟ। ଘଟଣା ସମ୍ପର୍କରେ ଖବର ପାଇ ରେଢାଖୋଲ ପୁଲିସ୍, ତହସିଲଦାର ଯାଇ ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ରାଜି ହୋଇ ନଥିଲେ। ପରେ କିଛି ସମାଜସେବୀଙ୍କ ସହଯୋଗରେ ମୃତଦେହକୁ ରେଢାଖୋଲ ଅଣାଯାଇ ସମ୍ମାନ ସହ ସତ୍କାର କରାଯାଇଥିଲା।
The post ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ମଲା ପରେ ଦଣ୍ଡ ଦେଲେ ଆତ୍ମୀୟ ! appeared first on Odisha Reporter.
from Odisha Reporter https://ift.tt/2DkA7bZ
No comments:
Post a Comment