ନୂଆଦିଲ୍ଲୀ: ଜିଲ୍ଲା ସଦର ମହକୁମାର ସମସ୍ତ ଥାନାରେ ଖବର ପହଞ୍ଚିଲା- ଜଣେ ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟ୍ ହୋଇଛି। ଦୁଇ ଜଣ ଲୁଟେରା ଏହି ଲୁଟ୍ କରିଛନ୍ତି। ସେମାନେ ଗୋଟିଏ ଆପାଚି ବାଇକ୍ରେ ଆସିଥିଲେ ଓ ହେଲ୍ମେଟ୍ ପିନ୍ଧିଥିଲେ। ସେମାନଙ୍କୁ ତୁରନ୍ତ ଧରାଯାଉ। ସହରର ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିବା ପୁଲିସ୍ କର୍ମଚାରୀଙ୍କୁ ମଧ୍ୟ ଏ ସଂପର୍କରେ ସୂଚନା ଦିଆଯାଇଥିଲା ଓ ସମସ୍ତେ ସତର୍କ ହୋଇଯାଇଥିଲେ।
ଲୁଟ୍ ଖବର ପାଇବା ପରେ ସହରର ବିଭିନ୍ନ ସ୍ଥାନରେ ଚେକିଂ ଆରମ୍ଭ ହୋଇଗଲା। କିଛି ସମୟ ପରେ ସହରର ଏକ ସ୍ଥାନରେ କିଛି ପୁଲିସ୍ କର୍ମଚାରୀ ଆପାଚି ବାଇକ୍ରେ ଦୁଇ ଜଣ ବ୍ୟକ୍ତି ହେଲ୍ମେଟ୍ ପିନ୍ଧି ଆସୁଥିବା ଲକ୍ଷ୍ୟ କରିଥିଲେ। ସେମାନେ ଦୁଇ ବାଇକ୍ ଆରୋହୀଙ୍କୁ ସନ୍ଦେହରେ ଅଟକାଇ ଥିଲେ। କିନ୍ତୁ ଦୁଇ ବାଇକ୍ ଆରୋହୀ ଅଟକି ନଥିଲେ। ସେମାନେ ସେଠାରୁ ଖସି ପଳାଇବା ପାଇଁ ବାଇକ୍ର ବେଗ ବଢ଼ାଇ ଦେଇଥିଲେ।
ଏହା ଦେଖି ଜଣେ ପୁଲିସ୍ କର୍ମଚାରୀ ଦୌଡ଼ି ଯାଇ ସେମାନଙ୍କ ଆଗରେ ଛିଡ଼ା ହୋଇଯାଇଥିଲେ। ଏହା ପରେ ବାଇକ୍ ଚାଳକ ଗାଡ଼ିକୁ ଡାହାଣ ପଟକୁ ମୋଡ଼ି ଚାଲିଯିବାକୁ ପ୍ରୟାସ କରିଥିଲେ। କିନ୍ତୁ ଉକ୍ତ ପୁଲିସ୍ କର୍ମଚାରୀ ତାଙ୍କ ବାଡ଼ିକୁ ବାଇକ୍ ଚକାରେ ଭର୍ତ୍ତି କରି ଦେଇଥିଲେ। ଫଳରେ ସେମାନେ ଫେରାର ହୋଇପାରି ନଥିଲେ। ସେତେବେଳକୁ ଅନ୍ୟ ପୁଲିସ୍ କର୍ମଚାରୀମାନେ ସେମାନଙ୍କୁ ଘେରି ଯାଇଥିଲେ। ଏହା ପରେ ବାଇକ୍ ଚାଳକ ଓ ତାଙ୍କ ପଛରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ହେଲ୍ମେଟ୍ ଖୋଲିଥିଲେ ଏବଂ ଉପସ୍ଥିତ ସମସ୍ତ ପୁଲିସ୍ କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। କାରଣ ସେ ଦୁହେଁ ଥିଲେ ପୁଲିସ୍ ଅଧିକାରୀ। ବାଇକ୍ ପଛରେ ବସିଥିଲେ ଖୋଦ୍ ଜିଲ୍ଲା ଏସ୍ପି।
ଘଟଣାଟି ଉତ୍ତର ପ୍ରଦେଶର ଲଖୀମପୁର ଖିରି ଜିଲ୍ଲାର। ବାସ୍ତବ କଥା ହେଲା ସହରରେ ସେଦିନ କୌଣସି ଲୁଟ୍ ହୋଇ ନଥିଲା। ଏହି ଲୁଟ୍ କାହାଣୀ ରଚନା କରିଥିଲେ ଖୋଦ୍ ଏସ୍ପି ସତ୍ୟେନ୍ଦ୍ର କୁମାର। ସେ ତାଙ୍କ ସହଯୋଗୀମାନଙ୍କ ଦକ୍ଷତା ମାପିବାକୁ ଏ କାହାଣୀ ରଚିଥିଲେ। କିଛି ଲୁଟ୍ ସୂଚନା ଆସିଲେ ତାଙ୍କ ସହଯୋଗୀମାନେ ଲୁଟେରାଙ୍କୁ ଧରିବା ପାଇଁ କେତେ ତତ୍ପର ହେଉଛନ୍ତି, ତାହା ଜାଣିବା ପାଇଁ ଏସ୍ପି ଏମିତି କରିଥିଲେ। ତାଙ୍କ ନିର୍ଦ୍ଦେଶରେ ଲୁଟେରାଙ୍କୁ ଧରିବା ପାଇଁ ସହରର ସମସ୍ତ ପୁଲିସ୍ କର୍ମଚାରୀଙ୍କୁ ଆଲର୍ଟ କରାଯାଇଥିଲା। ଆଉ ଫଳାଫଳରେ ସେ ବେଶ୍ ଖୁସି ହୋଇଥିଲେ। ତାଙ୍କୁ ଧରିଥିବା ପୁଲିସ୍ କର୍ମଚାରୀ ଜଣଙ୍କୁ ପୁରସ୍କୃତ କରାଯିବ ବୋଲି ସେ ସଙ୍ଗେ ସଙ୍ଗେ ଘୋଷଣା କରିଥିଲେ। ତାଙ୍କୁ ଆଉ ଏକ ସ୍ଥାନରେ ବି ପୁଲିସ୍ କର୍ମଚାରୀମାନେ ଅଟକାଇବାକୁ ପ୍ରୟାସ କରିଥିବା ଏସ୍ପି କହିଥିଲେ।
The post ଲୁଟେରାଙ୍କୁ ଧରିବାକୁ ବିଛା ଯାଇଥିଲା ଜାଲ, ଧରାପଡ଼ିଲେ ଏସ୍ପି! appeared first on Odisha Reporter.
from Odisha Reporter https://ift.tt/3l5ehKI
No comments:
Post a Comment