ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପ୍ରସବ ପାଇଁ ଆସିଥିବା ଜଣେ ମହିଳାଙ୍କୁ ଏଠାରୁ କଟକ ରେଫର କରାଯାଇଥିଲା। ସେ ଚାଲି ଚାଲି ଡାକ୍ତରଖାନାରୁ ଫେରି ଯାଉଥିବା ବେଳେ ନିଜ ସନ୍ତାନକୁ ପ୍ରସବ କରିଥିଲେ। ଆଉ ଛୁଆଟି ତଳେ ପଡ଼ି ପ୍ରାଣ ହରାଇଥିଲା। ଡାକ୍ତରଙ୍କ ଅବହେଳାରୁ ଏପରି ଘଟିଥିବା ମହିଳାଙ୍କ ସ୍ୱାମୀ ପ୍ରଶାନ୍ତ ଦେହୁରୀ ଅଭିଯୋଗ କରିଛନ୍ତି। ପ୍ରଶାନ୍ତଙ୍କ ଘର ଜିଲ୍ଲାର ଗଁଦିଆ ଥାନା ଅନ୍ତର୍ଗତ କାବେରା ଗାଁରେ।
ପ୍ରଶାନ୍ତ କହିଛନ୍ତି, “ଡାକ୍ତର କହିଲେ ଏଠି ଡେଲିଭରି ହୋଇପାରିବ ନାହିଁ। କଟକ କିମ୍ବା କୌଣସି ଘରୋଇ ହସ୍ପିଟାଲ୍କୁ ନେଇ ଯାଆନ୍ତୁ। ଆମେ ତାଙ୍କୁ ସେଠାରୁ ଅନ୍ୟତ୍ର ନେବାକୁ ବ୍ୟବସ୍ଥା କରିବା ପୂର୍ବରୁ ସେମାନେ ତାଙ୍କୁ ଷ୍ଟ୍ରେଚରରୁ ଓହ୍ଲାଇ ଲେବର ରୁମ୍ରୁ ବାହାର କରି ଦେଇଥିଲେ। ଆଉ ବାରଣ୍ଡାରେ ସେ ପ୍ରସବ କରିଥିଲେ। ଛୁଆଟି ତଳେ ପଡ଼ିଯାଇଥିଲା।
ଡାକ୍ତର କହିଥିଲେ ଏଠାରେ ଆଦୌ ଡେଲିଭରି ହୋଇପାରିବ ନାହିଁ। କିନ୍ତୁ ୧୦ ମିନିଟ୍ ଭିତରେ କେମିତି ନର୍ମାଲ୍ ଡେଲିଭରି ହେଲା। ଏଣୁ ଏହା ଡାକ୍ତରଙ୍କ ଭୁଲ୍। ତାଙ୍କ ଅବହେଳା ଯୋଗୁ ବାହାଘରର ୧୦ ବର୍ଷ ପରେ ପ୍ରଥମ ଥର ପାଇଁ ଆମେ ସନ୍ତାନଟିଏ ପାଇଥିଲେ ବି ତାକୁ ହରାଇଲୁ।”
ଏ ଘଟଣା ନେଇ ସିଡିଏମ୍ଓ ସୁଜାତାରାଣୀ ମିଶ୍ର କହିଛନ୍ତି, “ସେମାନେ ପ୍ରଥମରୁ ଡାକ୍ତରଙ୍କୁ ଦେଖାଇ ନଥିଲେ। ଆଶା କର୍ମୀ ତାଙ୍କୁ ବାରମ୍ବାର ଚେକ୍ ଅପ୍ ଓ ଅଲ୍ଟ୍ରାସାଉଣ୍ଡ ଆଦି କରାଇନେବାକୁ କହିଥିଲେ। କିନ୍ତୁ ସେମାନେ କିଛି ବି କରାଇ ନଥିଲେ।
ମହିଳା ଜଣଙ୍କ ଡାକ୍ତରଖାନା ଆସିବା ବେଳେ ତାଙ୍କ ଦେହହାତ ଫୁଲି ଯାଇଥିଲା। ରକ୍ତର ଅଭାବ ଥିଲା। ବ୍ଲଡ୍ପ୍ରେସର ବଢ଼ିଯାଇଥିଲା। ତାଙ୍କ ଜୀବନ ପ୍ରତି ବିପଦ ଆସିବ ମନେ କରି ଡାକ୍ତର ତାଙ୍କୁ କଟକ ରେଫର କରିଥିଲେ।” ତଥାପି ମେଡିକାଲ୍ ପକ୍ଷରୁ କେଉଁଠି ନା କେଉଁଠି ତ୍ରୁଟି ରହିଗଲା ବୋଲି ସିଡିଏମ୍ଓ ସ୍ୱୀକାର କରିଛନ୍ତି।
The post ବାହାଘରର ୧୦ ବର୍ଷ ପରେ ବାପାମା’ ହୋଇଥିଲେ, ହେଲେ… appeared first on Odisha Reporter.
from Odisha Reporter https://ift.tt/2QgPtRu
No comments:
Post a Comment