ଆସିକା(ମନୋଜ ମୁନି): ରାତାରାତି କୋଟିପତି ହେବା ଆଶାରେ ଜଣେ ବାର ବର୍ଷର ନାବାଳିକାକୁ ବଳିଦେବା ପାଇଁ ଅପହରଣ ଉଦ୍ୟମ କରି ଗିରଫ ହୋଇଛନ୍ତି ୩ ଅଭିଯୁକ୍ତ। ଏହି ଘଟଣାରେ ସଂପୃକ୍ତ ଥିବା କିଛି ଅଭିଯୁକ୍ତ ଓ ତାନ୍ତ୍ରିକ ଫେରାର ହୋଇଯାଇଥିବା ବେଳେ ୩ ଜଣଙ୍କୁ ଗିରଫ କରି ଗୋଟିଏ ବାଇକ୍ ଓ ଦୁଇଟି ଖଣ୍ଡା ଜବତ କରିଛି ପୁଲିସ୍। ଏପରି ଚାଞ୍ଚଲ୍ୟକର ଘଟଣା ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଚଷା ପିତ୍ତଳ ଗାଁରେ ଘଟିଛି।
ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ପ୍ରାୟ ୧୦ ଦିନ ପୂର୍ବରୁ ପ୍ରଥମେ ସଂପୃକ୍ତ ନାବାଳିକାଙ୍କ ଭାଇକୁ ପ୍ରବର୍ତ୍ତାଇ ୩୦ହଜାର ଟଙ୍କାରେ ନାବାଳିକାଙ୍କୁ କିଣି ନେବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ବିଫଳ ହେବା ପରେ ତାଙ୍କ ଭାଇକୁ ଧମକ ଚମକ ଦେଇ ନାବାଳିକାଙ୍କୁ ଅପହରଣ ଉଦ୍ୟମ କରିଥିଲେ। ମାତ୍ର ତାଙ୍କ ଭାଇଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ପହଞ୍ଚିଯାଇ ନାବାଳିକାଙ୍କୁ ଉଦ୍ଧାର ସହ ୩ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲେ।
ଏନେଇ ସମ୍ପୃକ୍ତ ନାବାଳିକାଙ୍କ ଭାଇ ପୁଲିସ୍ରେ ଅଭିଯୋଗ କରିବା ଫଳରେ ପୁଲିସ୍ ତୁରନ୍ତ ପହଞ୍ଚି ୩ ଜଣଙ୍କୁ ଗିରଫ କରିପାରିଛି। ଏହି ଘଟଣାରେ ଅନ୍ୟ ୫ଜଣ ଫେରାର ହୋଇଯାଇଛନ୍ତି।
ଅଭିଯୁକ୍ତମାନେ ନାବାଳିକାଙ୍କୁ ଅପହରଣ କରିନେବା ପରେ ହିଂଜିଳି ନିକଟରେ କେଉଁ ମନ୍ଦିରରେ ବଳି ଦେବାକୁ ଯୋଜନା କରିଥିଲେ। ବଳି ଦେଇଥିଲେ କୁଆଡେ ଟଙ୍କାର ବର୍ଷା ହୋଇଥାନ୍ତା ବୋଲି ଅଭିଯୁକ୍ତଙ୍କ ବୟାନକୁ ଆଧାର ଥାନା ଅଧିକାରୀ ପ୍ରଶାନ୍ତ ସାହୁ ପ୍ରକାଶ କରିଛନ୍ତି।
The post ନାବାଳିକାଙ୍କୁ ବଳି ଦେବା ଲାଗି ଅପହରଣ ଉଦ୍ୟମ appeared first on Odisha Reporter.
from Odisha Reporter https://ift.tt/35cBlld
No comments:
Post a Comment