ଚୀନ ନଜରରେ ନବୀନ ପଟ୍ଟନାୟକ, ଜୟ ପଣ୍ଡା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 14, 2020

ଚୀନ ନଜରରେ ନବୀନ ପଟ୍ଟନାୟକ, ଜୟ ପଣ୍ଡା!

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) : ଭାରତ ବିରୋଧରେ ହାଇବ୍ରିଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଛି ଚୀନ। ଏଥିପାଇଁ ଭାରତର ପ୍ରାୟ ୧୦ ହଜାର ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ନଜର ରଖିଛି ଚୀନ। ଜେନ୍‌ହୁଆ ଡାଟା ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି କମ୍ପାନୀ ଲିମିଟେଡ୍‌ ନାମକ ଏକ କମ୍ପାନୀ ଏହି କାର୍ଯ୍ୟରେ ନିୟୋଜିତ ଅଛି। ଏହି କମ୍ପାନୀ ଓଭର୍‌ସିଜ୍‌ କି ଇନ୍‌ଫର୍ମେସନ୍‌ ଡାଟାବେସ୍‌ ନାମରେ ଏକ ତଥ୍ୟବ୍ୟାଙ୍କ ସୃଷ୍ଟି କରିଛି। ଏହି ତଥ୍ୟବ୍ୟାଙ୍କରେ ଭାରତର ରାଷ୍ଟ୍ରପତି, ପୂର୍ବତନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ, ବହୁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ପ୍ରଧାନ ବିଚାରପତି, ପୂର୍ବତନ ପ୍ରଧାନ ବିଚାରପତି, ସେନାମୁଖ୍ୟ, ପୂର୍ବତନ ସେନାମୁଖ୍ୟ, ଉଚ୍ଚ ପଦସ୍ଥ ଅମଲା ଏବଂ ବିଭିନ୍ନ ଦଳର ପ୍ରମୁଖ ରାଜନେତାମାନଙ୍କ ସଂପର୍କରେ ତଥ୍ୟ ସଂକଳନ କରାଯାଇଛି। ଏ ସଂପର୍କରେ ଏକ ଚାଞ୍ଚଲ୍ୟକର ଖବର ଜାତୀୟ ସ୍ତରରର ଏକ ଇଂରାଜୀ ଦୈନିକ ଖବରକାଗଜରେ ପ୍ରକାଶ ପାଇଛି। ଏହି ଡାଟାବେସ୍‌ରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ମୁଖ୍ୟ ନବୀନ ପଟ୍ଟନାୟକ, କଂପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଗିରୀଶ ଚନ୍ଦ୍ର ମୁର୍ମୁ ଏବଂ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ନାମ ରହିଥିବା ଜଣାପଡ଼ିଛି।

ପ୍ରକାଶିତ ବିବରଣୀ ଅନୁସାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ହେମନ୍ତ ସୋରେନ, ମନୀଷ ଶିଶୋଦିଆ, କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ରବିଶଙ୍କର ପ୍ରସାଦ, ନିର୍ମଳା ସୀତାରମଣ, ପୀୟୂଷ ଗୋଏଲ, ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଜେନେରାଲ ବିପିନ ରାୱତ, ପ୍ରାୟ ୧୫ ଜଣ ପୂର୍ବତନ ସ୍ଥଳସେନା, ନୌସେନା ଓ ବାୟୁସେନା ମୁଖ୍ୟ, ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଶରଦ ବୋବଡ଼େ, ସୁପ୍ରିମ କୋର୍ଟ ବିଚାରପତି ଏଏମ ଖାନୱାଲିକର, କଂପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଶିରୀଶ ଚନ୍ଦ୍ର ମୁର୍ମୁ, ଶିଳ୍ପପତି ରତନ ଟାଟା ଓ ଗୌତମ ଆଦାନୀ ପ୍ରମୁଖଙ୍କ ନାମ ରହିଛି। ଚୀନର ଗୁଇନ୍ଦା, ସେନା ଓ ନିରାପତ୍ତା ଆଦି ସଂସ୍ଥା ସହିତ ମିଳିମିଶି କାମ କରୁଛି ବୋଲି ଦାବି କରୁଥିବା ଜେନ୍‌ହୁଆ ଡାଟାବେସ୍‌ରେ ଭାରତବର୍ଷର ଅନେକ ବୈଜ୍ଞାନିକ, ଅଧ୍ୟାପକ, ଗବେଷକ, ସାମ୍ବାଦିକ, କ୍ରୀଡ଼ାବିତ୍‌, ଲେଖକ, କଳାକାର ଏପରିକି ଅନେକ ଅପରାଧୀ ଓ ଆତଙ୍କବାଦୀଙ୍କ ତଥ୍ୟ ମଧ୍ୟ ରହିଛି।

ଏମାନଙ୍କ ବ୍ୟତିତ ଛତିଗଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟା, ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ, ବିଦେଶ ସଚିବ ହର୍ଷବର୍ଦ୍ଧନ ସିଙ୍ଗଲା, ନିତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତିଭା କଣ୍ଠ, ପ୍ରାୟ ୨୩ ଜଣ ପୂର୍ବତନ ତଥା ବର୍ତ୍ତମାନର ମୁଖ୍ୟ ଶାସନ ସଚିବ, ବହୁ ପୂର୍ବତନ ଓ ବର୍ତ୍ତମାନର ରାଜ୍ୟ ପୁଲିସ ମୁଖ୍ୟ, ହିନ୍ଦୁ ଗୋଷ୍ଠୀର ଅଧ୍ୟ ଏନ. ରବି, ଜି ନ୍ୟୁଜ ସଂପାଦକ ସୁଧୀର ଚୌଧୁରୀ, ଇଣ୍ଡିଆ ଟୁଡେ ଗୋଷ୍ଠୀର ସଂପାଦକ ରାଜଦୀପ ସାରଦେସାଇ, ଇଣ୍ଡିଆନ ଏକ୍ସପ୍ରେସ ମୁଖ୍ୟ ରାଜ କମଲ ଝା, ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ଗଣମାଧ୍ୟମ ଉପଦେଷ୍ଟା ସଞ୍ଜୟ ବରୁ, ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ଚଳଚିତ୍ର ନିର୍ଦ୍ଦେଶକ ଶ୍ୟାମ ବେନେଗାଲ, ଓଡ଼ିଶା ନୃତ୍ୟାଙ୍ଗନା ସୋନାଲ ମାନସିଂହ, ଅଖଲ ତାଖତ ଜାଠେଦାର ଗୁରୁଚରଣ ସିଂହ, ଏସଜିପିସିର ବିବି ଜାଗିର କୌର, ନିରଙ୍କାରୀ ମୁଖ୍ୟ ହରଦେବ ସିଂହ, ବହୁ ଆର୍କବିଶପଙ୍କ ନାମ ମଧ୍ୟ ଏହି ଡାଟାବେସ୍‌ରେ ରହିଥିବା ଜଣାପଡ଼ିଛି।

ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଡାଟାବେସ୍‌ରେ ଭାରତର ଅନ୍ୟୁନ ୭୦୦ ରାଜନେତା, ସେମାନଙ୍କର ୪୬୦ ସଂପର୍କୀୟ, ୧୦୦ ରାଜନେତାଙ୍କ ପରିବାର, ୩୫୦ ସାଂସଦଙ୍କ ସଂପର୍କରେ ତଥ୍ୟ ରହିଛି। ସେହିପରି ଭାରତୀୟ ଜନତା ପାର୍ଟି, କଂଗ୍ରେସ, ଆରଜେଡି, ଜେଏମଏମ, ଡିଏମକେ, ବିଜେଡି, ବିଏସପି, ଏସପି, ଏନସିପି ଆଦି ବହୁ ରାଜନୀତିକ ଦଳ ଓ ସେମାନଙ୍କର ପ୍ରମୁଖମାନଙ୍କ ସଂପର୍କରେ ମଧ୍ୟ ଚୀନର ଏହି ସଂସ୍ଥା ତଥ୍ୟ ଏକାଠି କରିଛି। ଏଥିରେ ଓଡ଼ିଶାର ନବୀନ ପଟ୍ଟନାୟକ, ବୈଜୟନ୍ତ ପଣ୍ଡା ଓ ଗିରୀଶ ମୁର୍ମୁଙ୍କ ନାମ ରହିଛି। ଚିତ୍ର ତାରକା ଅନୁପମ ଖେର, ପରେଶ ରାୱଲ, ହେମା ମାଳିନୀ, ମୁନମୁନ ସେନ ଓ ବିନୋଦ ଖାନ୍ନା ପ୍ରମୁଖଙ୍କ ନାମ ରହିଛି।

ସଂପ୍ରତି ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଉତ୍କଟ ରୂପ ଧାରଣ କରିଥିବା ସମୟରେ ଏହି ତଥ୍ୟ ପଦାକୁ ଆସିଛି। ଚୀନ-ରିଭାଇଭାଲ.କମ୍‌ ନାମକ ଏକ ୱେବସାଇଟ୍‌ରେ ଜେନ୍‌ହୁଆ ଡାଟା ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି କମ୍ପାନୀ ସଂପର୍କରେ ବିସ୍ତୃତ ତଥ୍ୟ ଦିଆଯାଇଥିଲା। ଅନୁସନ୍ଧାନକାରୀ ସାମ୍ବାଦିକ ଏ ବିଷୟରେ ଅବଗତ ହୋଇ ସେହି ୱେବସାଇଟ୍‌କୁ ବିସ୍ତୃତ ତଥ୍ୟ ପାଇଁ ପ୍ରଶ୍ନ ପଠାଇଥିଲେ। ଏହା ପରେ ସେପ୍ଟେମ୍ବର ୯ ତାରିଖରୁ ଏହି ୱେବସାଇଟ୍‌କୁ ବନ୍ଦ କରି ଦିଆଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ହାଇବ୍ରିଡ଼ ଯୁଦ୍ଧ ହେଉଛି ଆଧୁନିକ ଯୁଦ୍ଧର ଏକ ଗୁରୁତ୍ୱପୂର୍ଣ୍ଣ କୌଶଳ। ରାଜନେତା, ଗଣମାଧ୍ୟମ, କଳାକାର, ବୁଦ୍ଧିଜୀବୀ, ଅଧ୍ୟାପକ, ବୈଜ୍ଞାନିକ, ପ୍ରଶାସକ, ଇଂଜିନିଅର ଓ ଡାକ୍ତର ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନଙ୍କ ଜରିଆରେ ମିଥ୍ୟା ଓ ଗୁଜବ ଆଦି ପ୍ରସାରଣ, ଆଇନ ଯୁଦ୍ଧ, ସାଇବର ଯୁଦ୍ଧ ଓ ଜନମତକୁ ପ୍ରଭାବିତ କରିବା ହେଉଛି ହାଇବ୍ରିଡ଼ ଯୁଦ୍ଧର ଅଂଶବିଶେଷ। ସାମରିକ ଯୁଦ୍ଧ ଘଟୁ ବା ନଘଟୁ ଏବରି ହାଇବ୍ରିଡ଼ ଯୁଦ୍ଧ ଜରିଆରେ ଗୋଟିଏ ଦେଶକୁ ଦୁର୍ବଳ କରିଦିଆଯାଇପାରେ। ଆଜିକାଲି ଅନେକ ଦେଶ ଏହି କୌଶଳ ଅବଲମ୍ବନ କରୁଛନ୍ତି।

The post ଚୀନ ନଜରରେ ନବୀନ ପଟ୍ଟନାୟକ, ଜୟ ପଣ୍ଡା! appeared first on Odisha Reporter.



from Odisha Reporter https://ift.tt/2FhVL1F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages