ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଗଠନ ହୋଇଥିବା ପିଏମ କେୟାର୍ସ ଫଣ୍ଡକୁ ନେଇ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ପାଣ୍ଠି ଗଠନ କରାଯିବା ପରେ ମାତ୍ର ୫ ଦିନ ମଧ୍ୟରେ ୩,୦୭୬ କୋଟି ଟଙ୍କା ଆସିଥିଲା। ଏହି ଟଙ୍କା ଉଭୟ ଦେଶ ଏବଂ ଦେଶ ବାହାରୁ ଦାନ ସ୍ୱରୂପ ଆସିଥିଲା। ତେବେ ଏହାପରେ ଅର୍ଥାତ ମାର୍ଚ୍ଚ ୩୧ ପରେ କେତେ ଟଙ୍କା ଆସିଛି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।
ଏସବୁ ଭିତରେ ଆଜି ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ପିଏମ କେୟାସ ଗଠନ କରାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ପକେଟରୁ ମଧ୍ୟ ପାଣ୍ଠି ପାଇଁ ୨.୨୫ ଲକ୍ଷ ଟଙ୍କା ଦାନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ପାଣ୍ଠି ଗଠନ ହେବାର ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ପ୍ରଧାନମନ୍ତ୍ରୀ ମୋଦି ନିଜ ପକେଟରୁ ୨.୨୫ ଲକ୍ଷ ଟଙ୍କା ଦାନ କରିଥିଲେ। ଏହାପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ସମାଜ ସେବା ପାଇଁ ଅନେକ ଅର୍ଥ ଦାନ କରିବାର ନଜିର ରହିଛି। ଶିଶୁକନ୍ୟାଙ୍କ ଶିକ୍ଷା ଠାରୁ ଆରମ୍ଭ କରି ଗଙ୍ଗା ସଫେଇ ଓ ଅବହେଳିତ ଲୋକଙ୍କ ସେବା ପାଇଁ ସେ ଅର୍ଥ ଦାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଜନକଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ୧୦୩ କୋଟି ଟଙ୍କା ଦାନ କରି ସାରିଲେଣି।
ଗତବର୍ଷ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ କୁମ୍ଭମେଳା ବେଳେ ସଫେଇ କର୍ମଚାରୀଙ୍କ ପାଇଁ ଗଠିତ ପାଣ୍ଠି ପାଇଁ ମୋଦି ନିଜ ସେଭିଂସରୁ ୨୧ ଲକ୍ଷ ଟଙ୍କା ଦାନ କରିଥିଲେ। ଦକ୍ଷିଣ କୋରିଆରେ ମୋଦିଙ୍କୁ ସିଓଲ ଶାନ୍ତି ପୁରସ୍କାର ମିଳିଥିଲା। ଏହି ପୁରସ୍କାର ବାବଦରେ ସେ ୧.୩ କୋଟି ଟଙ୍କା ଗ୍ରହଣ କରିଥିଲେ। ତେବେ ସେ ଏହି ଅର୍ଥକୁ ଗଙ୍ଗା ସଫେଇ ପାଇଁ ଦେଇଥିଲେ। ମୋଦି ୨୦୧୫ରେ ତାଙ୍କୁ ମିଳିଥିବା ଉପହାର ସବୁକୁ ନିଲାମ କରି ୮.୩୫ କୋଟି ଟଙ୍କା ପାଇଥିଲେ। ଏହାକୁ ମଧ୍ୟ ସେ ନମାମୀ ଗଙ୍ଗା ମିଶନକୁ ଦାନ କରିଥିଲେ।
ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳ ଶେଷ କରିବା ପରେ ମୋଦି ରାଜ୍ୟର ଜଣେ ସରକାରୀ କର୍ମଚାରୀଙ୍କ ଝିଅର ପାଠପଢ଼ା ପାଇଁ ନିଜ ଆକାଉଣ୍ଟରୁ ୨୧ ଲକ୍ଷ ଟଙ୍କା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଥିବା ବେଳେ ମୋଦିଙ୍କୁ ଅନେକ ଉପହାର ମିଳିଥିଲା। ସେଗୁଡ଼ିକୁ ସେ ନିଲାମ କରି ପ୍ରାୟ ୮୯.୯୬ କୋଟି ଟଙ୍କା ସଂଗ୍ରହ କରିଥିଲେ। ଏହି ଅର୍ଥକୁ ସେ ଶିଶୁକନ୍ୟାଙ୍କୁ ମାଗଣା ଶିକ୍ଷା ପ୍ରଦାନ ପାଇଁ ଗଠିତ ପାଣ୍ଠିକୁ ଦାନ କରିଥିଲେ।
The post ପିଏମ କେୟାର୍ସକୁ ନିଜ ପକେଟରୁ ୨.୨୫ ଲକ୍ଷ ଦେଇଛନ୍ତି ମୋଦି appeared first on Odisha Reporter.
from Odisha Reporter https://ift.tt/3gTLntu
No comments:
Post a Comment