ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ରାତି ଅଧରେ ଘରେ ପଶି ପୁଲିସ୍ ବାବୁଙ୍କ ଦବଙ୍ଗଗିରି । ନିଜକୁ ସିଂଘମ ବୋଲି ପରିଚୟ ଦେଇ ଜଣେ ବ୍ୟକ୍ତିଙ୍କୁ ପିଟିବା ସହ ତାଙ୍କ ପତ୍ନୀଙ୍କ ପ୍ରତି ସମ୍ପୃକ୍ତ ଅଧିକାରୀ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ବ୍ୟକ୍ତିଜଣକ ନ୍ୟାୟ ପାଇଁ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ରୁକୁନ ଗଡ଼ନାୟକ ନାମକ ଯୁବକ ଆଜି ଢେଙ୍କାନାଳ ଏସ୍ପିଙ୍କ ଦ୍ୱାରସ୍ଥ ହୋଇ କରିଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ନାଁରେ ଅପରାଧିକ ମାମଲାର କୌଣସି ପୂର୍ବ ରେକର୍ଡ ନାହିଁ। ଏହାସତ୍ତ୍ୱେ ଗତକାଲି ରାତି ପ୍ରାୟ ସାଢେ ୧୧ଟା ବେଳେ ୨ ଜଣ ବ୍ୟକ୍ତି ସିଭିଲ ଡ୍ରେସ୍ରେ ଆସି ତାଙ୍କ ଘର କବାଟ ବାଡ଼େଇଲେ। ତାଙ୍କ ପତ୍ନୀ କିଏ ବୋଲି ପଚାରିବାରୁ ତୁମ ସ୍ୱାମୀଙ୍କ ପାଖରେ କାମ ଅଛି, କବାଟ ଖୋଲ ବୋଲି କହିଥିଲେ। ଏହାପରେ ଘର ଭିତରେ ପଶି ଉକ୍ତ ୨ ଜଣ ତାଙ୍କୁ ପ୍ରବଳ ପିଟିଥିବା ଅଭିଯୋଗ କରିଛନ୍ତି ରୁକୁନ। କିଏ ଓ କାହିଁକି ମାରୁଛ ବୋଲି ପଚାରିବାରୁ ବ୍ୟକ୍ତିଜଣକ ନିଜକୁ ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଯୋରନ୍ଦା ଫାଣ୍ଡି ଅଧିକାରୀ ବୋଲି ପରିଚୟ ଦେବା ସହ ନାଁ ସିଂଘମ ବୋଲି କହିଥିଲେ।
ଏପରିକି ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ରୁକୁଣଙ୍କ ପତ୍ନୀ ମଧ୍ୟ ସମ୍ପୃକ୍ତ ପୁଲିସ୍ ବାବୁଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଏପରିକି ସେ ତାଙ୍କୁ ଟଣାଓଟରା କରିବା ସହ ମାଡ଼ ମାରି ଠେଲି ଦେଇଥିବା ଓ ତାଙ୍କ ପ୍ରତି ଅଶାଳୀନ ବ୍ୟବହାର କରିଥିବା ଆଜି ରୁକୁନ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଯୋରନ୍ଦା ଫାଣ୍ଡି ଅଧିକାରୀ ଶିବରଂଜନ ସିଙ୍ଗାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ କରିବାକୁ ଢେଙ୍କାନାଳ ଏସ୍ପି ଅନୁପମା ଜୈନ ଗଁନ୍ଦିଆ ଥାନା ଅଧିକାରୀ ନିର୍ମଳ ଗୋଚ୍ଛାୟତଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
The post ପୁଲିସ୍ ବାବୁଙ୍କ ଦବଙ୍ଗଗିରି; ରାତି ଅଧରେ ଘରେ ପଶି ପିଟିଲେ appeared first on Odisha Reporter.
from Odisha Reporter https://ift.tt/3jLYvD2
No comments:
Post a Comment