ସ୍ୱଦେଶୀ ଆନ୍ଦୋଳନ ୨.୦ ର ନେତୃତ୍ୱ ନେବ ଅମୁଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 16, 2020

ସ୍ୱଦେଶୀ ଆନ୍ଦୋଳନ ୨.୦ ର ନେତୃତ୍ୱ ନେବ ଅମୁଲ୍‌

  • ଓମ୍ ପ୍ରିୟଦର୍ଶୀ ଛୋଟରାୟ

ବଙ୍ଗ ବିଭାଜନର ଆକ୍ରୋଶକୁ ଜାତୀୟତା କ୍ରାନ୍ତିରେ ପରିଣତ କରି ବ୍ରିଟିଶ ସାମଗ୍ରୀ ବର୍ଜ୍ଜନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ବାଲ୍ ଗଙ୍ଗାଧର ତିଳକ । ସାଥିରେ ଥିଲେ ବାବୁ ଗେଣୁ, ଲାଲା ଲଜପତ ରାୟ, ବିପିନ ଚନ୍ଦ୍ର ପାଲ୍‌, ଅରବିନ୍ଦ ଘୋଷ , ବିନାୟକ ଦାମୋଦର ସବରକର, ଭି ଚିଦାମ୍ବରମ ପିଲ୍ଲାଇ ଆଦି ଅନେକ ରାଷ୍ଟ୍ରବାଦୀ ସଂଗ୍ରାମୀ । ବିଦେଶୀ ସାମଗ୍ରୀ ବଦଳରେ ଦେଶୀୟ ଉତ୍ପାଦକୁ ଆପଣାଇ ବ୍ରିଟିଶ ଅର୍ଥନୀତିକୁ ଦୁର୍ବଳ କରିବା ଆନ୍ଦୋଳନର ମୂଳ ଲକ୍ଷ୍ୟ ଥିଲା ।

୧୯୦୯ ମସିହା ବେଳକୁ ସ୍ୱଦେଶୀ ଆନ୍ଦୋଳନ ସାରା ଭାରତରେ ବ୍ୟାପି ଯାଇଥିଲା । ଗତିବିଧିକୁ ତୀବ୍ର କରାଇବା ପାଇଁ ଶତାଧିକ ଗୁପ୍ତ ସଙ୍ଗଠନ ଗଠନ କରାଯାଇଥିଲା । ଆନ୍ଧ୍ରପ୍ରଦେଶରେ ଏହାର ନାମ ଥିଲା ବନ୍ଦେ ମାତରମ ଆନ୍ଦୋଳନ ।୧୯୧୭ ମସିହାରେ ମହାତ୍ମା ଗାନ୍ଧୀଙ୍କ ଚମ୍ପାରଣ ସତ୍ୟାଗ୍ରହର ଭିତିଭୂମି ଥିଲା ଏହି ସ୍ୱଦେଶୀ ଆନ୍ଦୋଳନ ।ପରବର୍ତୀ ସମୟରେ ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ଅସହଯୋଗ, ଆଇନ ଅମାନ୍ୟ, ଭାରତଛାଡ଼ ଆଦିଆନ୍ଦୋଳନରେ ବିଦେଶୀ ସାମଗ୍ରୀ ବର୍ଜନ କରିବାକୁ ଆହ୍ୱାନ ଥିଲେ ମଧ୍ୟ ସେଗୁଡିକର କେନ୍ଦ୍ରବିନ୍ଦୁ ରହିଲା ପୂର୍ଣ ସ୍ୱରାଜ ଆଧାରିତ । ଗାନ୍ଧୀ ସ୍ୱୟଂ ଦାଣ୍ଡି ଯାତ୍ରାର ନେତୃତ୍ୱ ନେବା ସହ କୁଟି ଖାଇ କାଟି ପିନ୍ଧିବା ପରି ଆତ୍ମନିର୍ଭରଶୀଳ ଜୀବନର ପ୍ରେରଣା ଦେଉଥିଲେ ମଧ୍‌ଯ ପ୍ରକୃତ ସ୍ୱଦେଶୀ ଆନ୍ଦୋଳନ କୋଉଠି ନା କୋଉଠି ପଛରେ ରହିଯାଇଥିଲା ।

୧୯୦୫ ମସିହାରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ସ୍ୱାଧିନତା ପ୍ରାପ୍ତି ବେଳକୁ ମୃତପ୍ରାୟ ଅବସ୍ଥାରେ ଥିଲା । ସ୍ୱରାଜ ହାସଲ କରିବାର ରାଜନୈତିକ ଝଡରେ ଉଭୟ ଭାରତୀୟ ନେତୃତ୍ୱ ଓ ଜନତା ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟ ଓଉଦେଶ୍ୟ ଠାରୁ ଦୁରେଇ ଯାଇଥିଲେ । ଅବଶ୍ୟ ତାହା ସମୟର ଆବଶ୍ୟକତା ଥିଲା । ବିନା ସ୍ୱାଧୀନତାରେ ସ୍ୱଦେଶୀ ଅବଲମ୍ବନ କଦାପି ସମ୍ଭବ ହୋଇ ନଥାନ୍ତା । ଏପରି ଏକ ଅନିଶ୍ଚିତତାର ମୁହୂର୍ତରେ ଗୁଜରାଟ କାଇରାର କିଛି ଦୁଗ୍ଧଚାଷୀ ଆସି ପହଞ୍ଚିଥିଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନିକଟରେ । ସେମାନଙ୍କ ସହିତ ଥିଲେ ବମ୍ବେ ହାଇକୋର୍ଟରୁ ଓକିଲାତି ଛାଡି କୃଷକ ନେତା ବନିଥିବା ତ୍ରିଭୂବନ ଦାଶ ପଟେଲ । ସମସ୍ତଙ୍କ ବଲ୍ଲଭଭାଇଙ୍କ ଉପରେ ପ୍ରଗାଢ ବିଶ୍ୱାସ, ସେ ନିଶ୍ଚୟ ସମାଧାନର ରାସ୍ତା ଦେଖାଇବେ । ସମସ୍ୟା ଥିଲା ବମ୍ବେର ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ ପୋଲସନର ଏକଚାଟିଆ କାରବାର । ପୋଲସନ ଆନନ୍ଦ ତଥା ତାର ଆଖପାଖ ସ୍ଥାନର ଦୁଗ୍ଧଚାଷୀଙ୍କ ଠାରୁ ଖୁବ ଶସ୍ତାରେ ଦୁଗ୍ଧ ସଂଗ୍ରହ କରି ଉଚ୍ଚା ଦାମରେ ବମ୍ବେରେ ବିକ୍ରି କରୁଥିଲା । କମ୍ପାନୀ ପ୍ରଚୁର ଲାଭବାନ ହେଉଥିବା ସତ୍ୱେ ଗରିବ ଚାଷୀମାନଙ୍କୁ ପଶୁଦାନାର କ୍ରୟମୂଲ୍ୟ ବି ମିଳୁ ନଥିଲା, ଯାହା ସେମାନଙ୍କୁ ଅଧିକ କ୍ରୋଧିତ କରିଥିଲା ।

ସର୍ଦ୍ଦାର ପଟେଲ ସବୁ ଶୁଣିବା ପରେ ଦୁଗ୍ଧଚାଷୀମାନଙ୍କୁ ଏକ ନିଜସ୍ୱ ସମବାୟ ସମିତି ଗଠନ ପାଇଁ ପରାମର୍ଶ ଦେଇଥିଲେ । ଯଦ୍ୱାରା ସେମାନେ କ୍ଷୀର ସଂଗ୍ରହ କରି ସିଧାସଳଖ ବମ୍ବେ ପଠାଇ ପାରିବେ ଆଉ ଉଚିତ ମୂଲ୍ୟ ମଧ୍ୟ ମିଳିବ । ତ୍ରିଭୂବନ ଦାଶଙ୍କୁ ଏହି ସମବାୟ ସମିତିର ନେତୃତ୍ୱ ନେବାକୁ ଅନୁରୋଧ କରାଗଲା ଓ ତାଙ୍କୁ ସାହାଯ୍ୟ କରିବା ପାଇଁ ବଲ୍ଲଭଭାଇ ମୋରାରଜୀ ଦେଶାଇଙ୍କୁ କାଇରା ପଠାଇ ଥିଲେ । ୧୯୪୬ ମସିହା ଡିସେମ୍ବର ୧୯ ତାରିଖରେ କାଇରା ଜିଲ୍ଲା ଦୁଗ୍ଧ ଉତ୍ପାଦନକାରୀ ସମବାୟ ସଙ୍ଘ ସହ ଅମୁଲ୍ (ଆନନ୍ଦ ମିଳ୍କ ୟୁନିଅନ ଲିମିଟେଡ଼)ର ଯାତ୍ରା ଆରମ୍ଭ ହୋଇଥିଲା । ତ୍ରିଭୂବନ ଦାଶ ପଟେଲ ହୋଇଥିଲେ ଏହାର ପ୍ରଥମ ଚେୟାରମ୍ୟାନ ଓ ଭର୍ଗିସ କୁରିଅନ ଟେକ୍ନିକାଲ-ମାର୍କେଟିଙ୍ଗ ମୁଖ୍ୟ ରୂପେ ଦାୟିତ୍ୱ ଗ୍ରହଣ କରିଥିଲେ । ଅମୁଲ୍ ପ୍ରଥମେ ଅଣ-ଚର୍ବିଯୁକ୍ତ କ୍ଷୀର ପ୍ରସ୍ତୁତ କରି ସାମୟିକ ଭାରତୀୟ ଦୁଗ୍ଧ ବଜାରରେ ପ୍ରମୁଖ ବ୍ରାଣ୍ଡ ରୂପେ ଉଭା ହୋଇଥିଲା । ଏହା ତାକୁ ଏକ ବୈଶ୍ୱିକ ପରିଚୟ ଦେବା ସହ ଅନ୍ତର୍ଜାତୀୟ ରପ୍ତାନୀ ପାଇଁ ମଧ୍ୟ ମାର୍ଗ ପ୍ରଶସ୍ତ କରିଥିଲା ।

ଏବେ ଫେରିଆସିବା ସ୍ୱଦେଶୀ ଆନ୍ଦୋଳନକୁ । ବହୁ ବାଦ-ବିବାଦ ପରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ ଗାନ୍ଧିଜୀଙ୍କ ପଟ୍ଟଶିଷ୍ୟ ଜବାହରଲାଲ ନେହେରୁ । ତାଙ୍କର ସ୍ୱଦେଶୀ ବସ୍ତୁ ପ୍ରତି ସେପରି ବିଶେଷ ପ୍ରୀତି ନଥିଲା । ଏମିତି ବି ନେହେରୁଙ୍କ ଭାଷା, ପୋଷାକ, ଖାଦ୍ୟପେୟ, ଚାଲି ଚଳନ ସବୁଥିରେ ୟୁରୋପୀୟ ଛାପ ସ୍ପଷ୍ଟ ଦୃଶ୍ୟମାନ ହୁଏ । ହୁଏତ ଏଥିପାଇଁ ତାଙ୍କ ଇଂଲଣ୍ଡରେ ବାଲ୍ୟ ପରିପାଳନ ଦାୟୀ । ଯାହାବି ହେଉ ନେହେରୁ ସର୍ବଦା ବୈଦେଶିକ ଆମଦାନୀଉପରେ ଅଧିକ ଗୁରୁତ୍ୱ ଦେଉଥିଲେ । ତାଙ୍କ ମତରେ ଏହା ଅନ୍ତର୍ଜାତୀୟ ସମ୍ପର୍କ ବୃଦ୍ଧି କରିବାରେ ସହାୟକ ହେବ । ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ନେତୃତ୍ୱ ନେଇ ସେ ସଭ୍ୟ ରାଷ୍ଟ୍ର ଗୁଡ଼ିକ ସହ ଏକାଧିକ ବାଣିଜ୍ୟ ରାଜିନାମା ସ୍ୱାକ୍ଷର କରିଥିଲେ ଯେଉଁଥିରେ ରପ୍ତାନୀ ଠାରୁ ଆମଦାନୀକୁ ପ୍ରାଥମିକତା ଦିଆ ଯାଇଥିଲା । ହଁ, ଏହା ମଧ୍ୟ ସାମୟିକ ଆବଶ୍ୟକତା ହୋଇଥାଇପାରେ । ନେହେରୁଙ୍କ ପରେ ଆସିଲେ ସ୍ୱଦେଶୀ ମଣିଷ ଲାଲ ବାହାଦୂର ଶାସ୍ତ୍ରୀ । ସେତେବେଳକୁଭାରତ ବିଶ୍ୱର ନିମ୍ନ ଉତ୍ପାଦନକାରୀ ରାଷ୍ଟ୍ରଙ୍କ ମଧ୍ୟରୁ ଅନ୍ୟତମ । ଆମେରିକାରୁ ପରିତ୍ୟକ୍ତ ଶସ୍ୟ ନ ଆସିଲେ ଭାରତବାସୀଙ୍କ ପେଟକୁ ମୁଠେ ଦାନା ଯିବା କଷ୍ଟକର । ବିଚାର ହେଲା ଭାରତୀୟ ଅର୍ଥନୀତିର ମେରୁଦଣ୍ଡ କୃଷିକୁ ଅଗ୍ରାଧିକାର ଦେଇ ଉତ୍ପାଦନ କ୍ଷମତା ବଢାଇବା ପାଇଁ ।

ଶାସ୍ତ୍ରୀ ନିଜର ସ୍ୱଳ୍ପ ଶାସନ କାଳରେ ଭାରତର କ୍ଷୁଦ୍ର ଓ କୁଟୀର ଶିଳ୍ପର ଦ୍ରୁତ ପରିବର୍ତନ ଆଣିବା ସହ ଜୟ କିଷାନ ନାରା ଦେଇ ସବୁଜ ବିପ୍ଳବ ଓ ଶ୍ୱେତ ବିପ୍ଳବର ଅୟମାରମ୍ଭ କରିଥିଲେ । ପରବର୍ତୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାକୁ ବିଶେଷ ଗୁରୁତ୍ୱ ଦେବା ସହ ବିଶେଷ ବଜେଟ ର ପ୍ରାବଧାନ କରିଥିଲେ । ଶ୍ୱେତ ବିପ୍ଳବ ବା ଅପରେସନ ଫ୍ଲଡ଼ର ନେତୃତ୍ୱ ନେଇଥିଲା ଅମୁଲ୍ ଓ ନାୟକ ସାଜିଥିଲେ ଏହାର ମୁଖ୍ୟ ଭର୍ଗିସ କୁରିଅନ । ମାତ୍ର ୫ ବର୍ଷ ମଧ୍ୟରେ ଭାରତ ଦୁଗ୍ଧ ତଥା ଅନ୍ୟାନ୍ୟ ଦୁଗ୍ଧ ଜାତୀୟ ସାମଗ୍ରୀର ଆମଦାନୀ ବନ୍ଦ କରିବା ସହ ୧୯୯୮ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାକୁ ପଛରେ ପକାଇ ବିଶ୍ୱର ସର୍ବାଧିକ ଦୁଗ୍ଧ ଉତ୍ପାଦନକାରୀ ରାଷ୍ଟ୍ରରେ ପରିଣତ ହୋଇଥିଲା । ବର୍ତମାନ (୨୦୧୯-୨୦ ରିପୋର୍ଟ ଅନୁଯାୟୀ) ଭାରତର ଦୁଗ୍ଧଜାତୀୟ ସାମଗ୍ରୀର ରପ୍ତାନୀ ୫୧,୪୨୧.୮୫ ମେଟ୍ରିକ ଟନରେ ପହଞ୍ଚି ଯାଇଛି ଯାହାର ମୂଲ୍ୟ ପାଖାପାଖି ୧୮୭ ମିଲିଅନ ଆମେରିକାନ ଡଲାର ହେବ । ଏସବୁର ଶ୍ରେୟ ମୁଖ୍ୟତଃ ଅମୁଲ୍‌କୁ ହିଁ ଯାଇଥାଏ ।

ଭାରତରେ ସ୍ୱଦେଶୀ ଆନ୍ଦୋଳନକୁ ଆଉ ଏକ ନୂଆ ନେତୃତ୍ୱ ମିଳିଥିଲା ଭାରତୀୟ ମଜଦୂର ସଙ୍ଘ ର ପ୍ରତିଷ୍ଠାତା ଶ୍ରୀଦତୋପନ୍ତ ଠେଙ୍ଗଡିଙ୍କ ଦ୍ୱାରା । ସେ ସ୍ୱଦେଶୀ ଜାଗରଣ ମଞ୍ଚ ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ନେବା ସହ ସାରା ଦେଶରେ ଭାରତୀୟ ବସ୍ତୁ ଆପଣାଇବା ପାଇଁ ଏକ ନୂତନ ଚିନ୍ତାଧାରା ଉଦ୍ରେକ କରାଇ ପାରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ଓ ଅଟଳ ବିହାରୀ ବାଜପେୟୀଙ୍କ ମଧ୍ୟ ସ୍ୱଦେଶୀ ଆନ୍ଦୋଳନ ପାଇଁ ବିଶେଷ ଯୋଗଦାନ ରହିଛି ।

ବାଜପେୟୀଙ୍କ ସମୟରେ ଆଇଟି ଓ ଟେଲିକମ୍ ଶିଳ୍ପରେ ସ୍ୱଦେଶୀ ଜ୍ଞାନକୌଶଳର ପ୍ରୟୋଗ କରାଯାଇ ଏକ ବିଶାଳ ପରିବର୍ତନ ଅଣାଯାଇଥିଲା। ଶ୍ରୀ ମନମୋହନ ସିଂହଙ୍କ ସମୟରେ ସ୍ୱଦେଶୀ ଆନ୍ଦୋଳନ ପୁଣି ଶିଥିଳତା ଆଡକୁ ଗତି କରିଥିଲା। ବିନା କୌଣସି ସର୍ତ୍ତରେ ଏଫଡିଆଇ (ଫରେନ ଡାଇରେକ୍ଟ ଇନଭେସ୍ଟମେଣ୍ଟକୁ ମଞ୍ଜୁରୀ ଦେବାର ନିଷ୍ପତି ଆନ୍ଦୋଳନ ପ୍ରତି ଏକ ବଡ଼ କୁଠାରଘାତ ଥିଲା ।

ତେବେ ୨୦୧୪ ମସିହାରେ ସ୍ୱଦେଶୀ ଆନ୍ଦୋଳନ ପୁଣି ଟ୍ରାକକୁ ଫେରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶୀୟ ଉତ୍ପାଦନକୁ ସର୍ବାଧିକ ଗୁରୁତ୍ୱ ଦେବା ସହ ଯୁଦ୍ଧ ବିମାନ, ଜାହାଜ ଓ ଅନ୍ୟାନ୍ୟ ପ୍ରତିରକ୍ଷା ସାମଗ୍ରୀକୁ ଭାରତରେ ନିର୍ମାଣ କରିବାକୁ ନିଷ୍ପତି ନେଇଥିଲେ। ସରକାରଙ୍କ ଦର୍ଶନୀୟ ପଦକ୍ଷେପ ହେଉଛି ଲୁପ୍ତ ହେବାକୁ ଯାଉଥିବା କୁଟୀର ଶିଳ୍ପର ପୁନରୁତଥାନ ଏବଂ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପକୁ ବିଶେଷ ସହାୟତା ପ୍ରଦାନ । ଷ୍ଟାର୍ଟ ଅପ ଇଣ୍ଡିଆ, ସ୍କିଲ ଇଣ୍ଡିଆ, ମୁଦ୍ରା, ଆଦି ଅନେକ ଯୋଜନା ସ୍ୱଦେଶୀ ଉତ୍ପାଦନ ବୃଦ୍ଧିରେ ପରିପୂରକ ସାବ୍ୟସ୍ତ ହୋଇଅଛି। ଖାଦ୍ୟସାମଗ୍ରୀ ଠାରୁ ଆରମ୍ଭ କରି ସଫ୍ଟୱେର ଟେକ୍ନୋଲୋଜି ରପ୍ତାନୀ ପର୍ଯ୍ୟନ୍ତ ସବୁଥିରେ ଭାରତ ବିଶ୍ୱରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରି ସାରିଲାଣି। ପ୍ରତିରକ୍ଷା ସାମଗ୍ରୀର ରପ୍ତାନୀ ମଧ୍ୟ ଆରମ୍ଭ ହୋଇଗଲାଣି। ଭାରତ ବୁଝି ସାରିଛି ଯେ ସ୍ମିଥ ଓ ରିକାର୍ଡୋଙ୍କ ମୁକ୍ତ ବାଣିଜ୍ୟ ଥିଓରୀ ସାମ୍ପ୍ରତିକ ବୈଶ୍ୱିକ ବ୍ୟବସ୍ଥାରେ ଆଦୌ ଉପଯୋଗୀ ନୁହେଁ । ଆମକୁ ସମସ୍ତ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ପଡିବ।

ଚୀନ ସହ ସୀମା ବିବାଦ ବଢ଼ିଥିବା ବେଳେ ଦେଶର କୋଣ ଅନୁକୋଣରେ ଚାଇନା ବସ୍ତୁ ବର୍ଜ୍ଜନକୁ ନେଇ ଏକ ବୃହତ ଜନ ଆନ୍ଦୋଳନ ମୁଣ୍ଡ ଟେକିଛି । ଅମୁଲ୍ ଏକ ଦାୟିତ୍ୱବାନ ରାଷ୍ଟ୍ରବାଦୀ ବ୍ରାଣ୍ଡ ଭାବେ ଏହି କ୍ୟାମ୍ପେନକୁ ସଫଳ କରିବାକୁ ପ୍ରୟାସ ଜାରି ରଖିଛି। ବିଭିନ୍ନ ଭାରତ ବିରୋଧୀ ତତ୍ୱଙ୍କ ବାଧାକୁ ସାମ୍ନା କରି ନିଜର ବିଜ୍ଞାପନ ମାଧ୍ୟମରେ ଅମୁଲ୍ ପିଲା ଠାରୁ ବୃଦ୍ଧ ସମସ୍ତଙ୍କୁ ବେଶ ପ୍ରଭାବିତ କରୁଅଛି । ନିକଟରେ ଅମୁଲ୍ ବିଶ୍ୱର ୧୬ତମ ସର୍ବାଧିକ ଦୁଗ୍ଧଜାତୀୟ ସାମଗ୍ରୀ ଉତ୍ପାଦନକାରୀ କମ୍ପାନୀ ରୂପେ ରାବୋବ୍ୟାଙ୍କ ଦ୍ୱାରା ମାନ୍ୟତା ଲାଭ କରିଛି । ବାର୍ଷିକ ୫.୫ ବିଲିଅନ ଆମେରିକାନ ଡଲାର ଟର୍ଣ୍ଣ ଓଭରରେ ପହଞ୍ଚି ଥିବା ଏହି କମ୍ପାନୀ ଆଗାମୀ ଦଶ ବର୍ଷରେ ୧.୨ କୋଟି ନୂତନ ଚାକିରୀ ସୃଷ୍ଟି କରିବାକୁ ଦୃଢ଼ ସଂକଳ୍ପବଦ୍ଧ । ଶେଷରେ, ସ୍ୱଦେଶୀ ଅର୍ଥନୀତିର ପ୍ରଣୟନ ତଥା ଭୋକାଲ ଫର୍ ଲୋକାଲର ନାରା ସହ ଭାରତରେ ସ୍ୱଦେଶୀ ଆନ୍ଦୋଳନ ୨.୦ ର ଶଙ୍ଖନାଦ ହୋଇସାରିଛି, ଏବେ ତ ବାସ୍ ଫଳାଫଳକୁ ହିଁ ଅପେକ୍ଷା।

ଓମ୍ ପ୍ରିୟଦର୍ଶୀ ଛୋଟରାୟ
ଟ୍ୱିଟର : iommpriyadarshi 
ମୋ : ୯୧୭୮୫୬୦୩୫୫

The post ସ୍ୱଦେଶୀ ଆନ୍ଦୋଳନ ୨.୦ ର ନେତୃତ୍ୱ ନେବ ଅମୁଲ୍‌ appeared first on Odisha Reporter.



from Odisha Reporter https://ift.tt/2ZHucpw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages