ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଫୁସ୍ଫୁସ୍ କ୍ୟାନସରରେ ପୀଡ଼ିତ ହୋଇଛନ୍ତି। ମାସେ ତଳେ ଏ ଖବର ସାମ୍ନାକୁ ଆସିଥିଲା। ଆଉ ୟା ମଧ୍ୟରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କର ପ୍ରଥମ ପର୍ଯ୍ୟାୟ କେମୋଥେରାପି ଶେଷ ହୋଇଯାଇଛି। ସଦ୍ୟ ସୂଚନା ଅନୁଯାୟୀ, ମଙ୍ଗଳବାର ସଞ୍ଜୟ ଦତ୍ତ ମୁମ୍ବାଇ ଛାଡ଼ିଛନ୍ତି।
‘ଟାଇମ୍ସ ଅଫ୍ ଇଣ୍ଡିଆ’ ୱେବ୍ସାଇଟ୍ରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଗତକାଲି ଠାରୁ ସଞ୍ଜୟ ଦତ୍ତ ଓ ତାଙ୍କ ପତ୍ନୀ ମାନ୍ୟତା ମୁମ୍ବାଇ ଛାଡ଼ି ସାରିଛନ୍ତି। ସେମାନେ ଗତକାଲି ଅପରାହ୍ଣ ୪ଟାରେ ଏକ ସ୍ୱତନ୍ତ୍ର ଚାର୍ଟର୍ଡ ଫ୍ଲାଇଟ୍ରେ ଦୁବାଇ ଯାଇଛନ୍ତି। ବଲିଉଡ୍ ଇଣ୍ଡଷ୍ଟ୍ରୀର କୌଣସି ଉତ୍ସରୁ ଏ ଖବର ମିଳିଥିବା ଏହି ରିପୋର୍ଟରେ ଲେଖାଯାଇଛି। ଏଥିରେ ଆହୁରି ବି ଲେଖାଯାଇଛି ଯେ ସଞ୍ଜୟ ଦୁବାଇରେ ରହୁଥିବା ତାଙ୍କର ପୁଅଝିଅଙ୍କୁ ଭେଟିବାକୁ ଯାଇଛନ୍ତି। ସେ ସେଠାରେ ପ୍ରାୟ ୧୦ ଦିନ ରହିବା ପରେ ମୁମ୍ବାଇ ଫେରି ଆସିବେ।
ଅନ୍ୟପକ୍ଷରେ ସଞ୍ଜୟ ମୁମ୍ବାଇ ଛାଡ଼ିଥିବା ଖବର ଜଣାପଡ଼ିବା ପରେ କେହି କେହି କହୁଛନ୍ତି ଯେ ସଞ୍ଜୟ ଦତ୍ତ ଅଧିକ ଚିକିତ୍ସା ପାଇଁ ଆମେରିକା ଯାଇଛନ୍ତି। ତେବେ ଏନେଇ ସଞ୍ଜୟ ଦତ୍ତଙ୍କ ପରିବାର ପକ୍ଷରୁ କେହି କିଛି ସ୍ପଷ୍ଟ କରି ନାହାନ୍ତି।
ସୂଚନାଯୋଗ୍ୟ, ଗତମାସ ଦ୍ୱିତୀୟ ସପ୍ତାହରେ ସଞ୍ଜୟ ପ୍ରଥମେ ଅସୁସ୍ଥ ଅନୁଭବ କରିଥିଲେ। ନିଃଶ୍ୱାସପ୍ରଶ୍ୱାସ ନେବାରେ ତାଙ୍କୁ ସମସ୍ୟା ହୋଇଥିଲା। ତେଣୁ କରୋନା ସନ୍ଦେହରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା। ଅତିରିକ୍ତ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ତାଙ୍କୁ ଫୁସ୍ଫୁସ୍ କ୍ୟାନସର ହୋଇଛି। ସେତେବେଳେ ମାନ୍ୟତା ଦୁବାଇରେ ଥିଲେ। ସେ ସେଠାରୁ ଫେରିବା ପରେ ସଞ୍ଜୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଓ ତାଙ୍କର ପ୍ରଥମ ପର୍ଯ୍ୟାୟ କେମୋଥେରାପି ଶେଷ କରାଯାଇଥିଲା। ସେତେବେଳେ ମାନ୍ୟତା କହିଥିଲେ ଯେ ପ୍ରଥମ ପର୍ଯ୍ୟାୟ କେମୋଥେରାପି ପରେ ସେମାନେ କରୋନା ସ୍ଥିତିକୁ ଦେଖି ଚିକିତ୍ସା ପାଇଁ ବିଦେଶ ଯିବାକୁ ଚିନ୍ତା କରିପାରନ୍ତି।
The post ମୁମ୍ବାଇ ଛାଡ଼ିଲେ ସଞ୍ଜୟ ଦତ୍ତ appeared first on Odisha Reporter.
from Odisha Reporter https://ift.tt/2ZHwQLG
No comments:
Post a Comment