ମୁମ୍ବାଇ: ଟିଆରପି ଜାଲିଆତି ଅଭିଯୋଗରେ ଛନ୍ଦି ହୋଇଥିବା ଜାତୀୟ ଗଣମାଧ୍ୟମ ରିପବ୍ଲିକ ଟିଭିର ଅଡ଼ୁଆ ବଢ଼ିବାରେ ଲାଗିଛି। ୪ ଜଣ ବ୍ୟକ୍ତି ଜଣେ ମାଜିଷ୍ଟ୍ରେଟଙ୍କ ଆଗରେ ସାଂଘାତିକ ଖୁଲାସା କରିଛନ୍ତି। ଦେଶର ଦୁଇଟି ଚ୍ୟାନେଲ ସେମାନଙ୍କୁ ଟଙ୍କା ଦେଇ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଟିଭି ଶୋ’କୁ ଦେଖିବା ପାଇଁ କହିଥିଲେ ବୋଲି ସେମାନେ ବୟାନ ଦେଇଛନ୍ତି। ଟିଆରପି ସ୍କାମର ତଦନ୍ତ କରୁଥିବା ମୁମ୍ବାଇ ପୁଲିସ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ଦେଇଥିବା ୪ ଜଣଙ୍କୁ ପୁଲିସ୍ ପୂରା ଘଟଣାର ସାକ୍ଷୀ ଭାବେ ନାମିତ କରିଛି।
ପୁଲିସ୍ର ସୂଚନା ଅନୁଯାୟୀ, ୪ ଜଣଙ୍କ ମଧ୍ୟରୁ ୩ ଜଣ ମାଜିଷ୍ଟ୍ରେଟଙ୍କ ଆଗରେ ରିପବ୍ଲିକ ଟିଭି ସେମାନଙ୍କୁ ଟଙ୍କା ଦେଇ ଚ୍ୟାନେଲ ଦେଖିବାକୁ କହିଥିବା କଥାର ଖୁଲାସା କରିଛନ୍ତି। ସେହିପରି ଆଉ ଜଣେ ବ୍ୟକ୍ତି ବକ୍ସ ସିନେମା ନାଁରେ ସମାନ କଥା କହିଛନ୍ତି। ମୁମ୍ବାଇ ପୁଲିସ୍ କମିଶନର ପରମବୀର ସିଂହ କହିଛନ୍ତି, ଭ୍ୟୁରଶିପ୍କୁ ପ୍ରଭାବିତ କରିବା ପାଇଁ ରିପବ୍ଲିକ ଟିଭିର ଅଧିକାରୀମାନେ ଜାଲିଆତି କରିଥିବା ୩ ଜଣ ସାକ୍ଷୀ ମାଜିଷ୍ଟ୍ରେଟଙ୍କ ଆଗରେ କହିଛନ୍ତି। ବର୍ତ୍ତମାନ ଘଟଣାର ତଦନ୍ତ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ରହିଛି। ତେଣୁ ସେ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେବାକୁ ମନା କରିଦେଇଛନ୍ତି।
ସିଆରପିସିର ୧୬୪ ଆଧାରରେ ସାକ୍ଷୀମାନଙ୍କର ବୟାନ ରେକର୍ଡ ହୋଇଛି। ମାଜିଷ୍ଟ୍ରେଟ ସାକ୍ଷୀମାନେ ବିନା ଚାପରେ ନିଜର ବୟାନ ଦେଉଛନ୍ତି ବୋଲି ହୃଦୟଙ୍ଗମ କରିବା ପରେ ହିଁ ୧୬୪ ସିଆରପିସିରେ ବୟାନ ରେକର୍ଡ କରନ୍ତି। ତେଣୁ ଏହି ମାମଲାରେ ମଧ୍ୟ ମାଜିଷ୍ଟ୍ରେଟ ସାମାନ ନୀତି ଆପଣାଇଛନ୍ତି। ଏବେ ଆଉ କେହି ପୁଲିସ୍ ସେମାନଙ୍କୁ ବାଧ୍ୟ କରି ଏଭଳି ବୟାନ ଦେବାକୁ କହିଛି ବୋଲି ଅଭିଯୋଗ ଆଣିପାରିବେ ନାହିଁ ବୋଲି ଜଣେ ପୁଲିସ୍ ଅଧିକାରୀ କହିଛନ୍ତି।
ଟିଆରପି ଜାଲିଆତି କରି ରିପବ୍ଲିକ ଟିଭ, ଫକତ ମରାଠୀ ଓ ବକ୍ସ ସିନେମା ନିଜ ନିଜ ଚ୍ୟାନେଲରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି କରି ଦେଖାଉଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ୫ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।
The post ଚ୍ୟାନେଲ ଦେଖିବାକୁ ରିପବ୍ଲିକ ଟଙ୍କା ଦେଉଥିଲା ବୋଲି ମାଜିଷ୍ଟ୍ରେଟଙ୍କ ଆଗରେ କହିଲେ ସାକ୍ଷୀ appeared first on Odisha Reporter.
from Odisha Reporter https://ift.tt/2FyGSYT
No comments:
Post a Comment