ନୂଆଦିଲ୍ଲୀ: ଦୀର୍ଘ ୬ ମାସ ପରେ ଆଜି ଖୋଲୁଛି ସିନେମା ହଲ୍ । ଦିଲ୍ଲୀ, କୋଲକାତା, ଲକ୍ଷ୍ମୌ, ଚଣ୍ଡିଗଡ଼,ବେଙ୍ଗାଲୁରୁ ସମେତ ଦେଶର କିଛି ମେଟ୍ରୋ ଏବଂ ଛୋଟ ସହରରେ ଆଜିଠୁ ସିନେମା ହଲ୍ ଖୋଲୁଛି । ମଲ୍ଟି ପ୍ଲେକ୍ସ ସହ ଅନ୍ୟ ସିଙ୍ଗଲ ସ୍କ୍ରିନ୍ ସିନେମା ଥିଏଟର ବି ଖୋଲିବାକୁ ଯାଉଛି । ଏହାଦ୍ୱାରା ଦୀର୍ଘଦିନରୁ ସିନେମା ହଲ ଯାଇ ନ ଥିବା ଦର୍ଶକ ଏବେ ପୁଣି ଥରେ ବଡ଼ ପରଦାରେ ନିଜ ମନ ପସନ୍ଦର ଫିଲ୍ମ ଦେଖିବାକୁ ସୁଯୋଗ ପାଇବେ।
ଏହି ସମୟରେ କିନ୍ତୁ ବିଶେଷ ଭାବେ କୋଭିଡ କଟକଣା ପାଳନ ନେଇ ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା, ମାସ୍କ, ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି । ସେହିଭଳି ୫୦ ପ୍ରତିଶତ ଦର୍ଶକ ବସିବା ସହ ସାନିଟାଇଜ୍ କରିବା ନେଇ ଧ୍ୟାନ ରଖିବେ ସିନେମା ହଲ୍ କର୍ତ୍ତୃପକ୍ଷ ଏହାସହ ଟଚ୍ ଫ୍ରି ଓ ଅନଲାଇନ୍ ଟିକେକ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି ।
କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ନିୟମ ଅନୁସାରେ,କୋଭିଡ କଟକଣା ପାଳନ ସହ ୫୦ ପ୍ରତିଶତ ଦର୍ଶକ ହିଁ ଏକାଥରେ ସିନେମା ହଲରେ ବସିପାରିବେ। ସିନେମା ହଲରେ ଗୋଟିଏ ସିଟ୍ରେ ଦର୍ଶକ ବସିଲେ, ତା’ ପାଖ ସିଟ୍ଟି ଖାଲି ରହିବ। ହଲ୍ରେ ପ୍ରବେଶ କରିବା ସମୟରୁ ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ। ତା’ ଭିତରେ ମଧ୍ୟ ବାୟୁ ଚଳାଚଳ ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ସହ ତାପମାତ୍ରା ୨୩ ଡିଗ୍ରୀରୁ ଅଧିକ ରଖିବାକୁ କୁହାଯାଇଛି।
ଯେଉଁ ସିଟ୍ରେ ଦର୍ଶକ ବସିବେନି ସେ ସିଟ୍ରେ କ୍ରସ୍ ଚିହ୍ନ ଲଗାଯିବ। ସିନେମା ହଲ୍ ଭିତରକୁ ଯିବାକୁ ହେଲେ ପ୍ରଥମେ ଆରୋଗ୍ୟ ସେତୁ ଡାଉନଲୋଡ କରିବାକୁ ପଡ଼ିବ। ମୁଭି ଦେଖୁଥିବା ସମୟରେ ଖାଇବା ତଥା ପାଣି ପିଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
କୋଭିଡ କଟକଣା ଭିତରେ ଆଜିଠୁ ଦେଶର ୧୦ ରାଜ୍ୟ ଓ ୪ କେନ୍ଦ୍ରଶାସିତ ପ୍ରଦେଶରେ ପୁଣି ଥରେ ବଡ ପରଦାରେ ଦର୍ଶକ ନିଜ ମନ ପସନ୍ଦର ଷ୍ଟାରଙ୍କୁ ଦେଖିପାରିବେ। ତେବେ ଓଡ଼ିଶା ସମେତ ଏକାଧିକ ରାଜ୍ୟରେ ଆଜି ଖୋଲିବନି ସିନେମା ହଲ୍ । ମହାରାଷ୍ଟ୍ର, କେରଳ, ରାଜସ୍ଥାନ, ଆସାମ ଏବଂ ଉତ୍ତର ପୂର୍ବାଞ୍ଚଳର ଏକାଧିକ ରାଜ୍ୟ ଆସନ୍ତା ୩୧ ଯାଏ ସିନେମା ହଲ୍ ନ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି ।
ଆଜିରୁ ସିନେମା ହଲ୍ ଖୋଲୁଥିଲେ ମଧ୍ୟ କୌଣସି ନୂଆ ଫିଲ୍ମ ରିଲିଜ୍ ହେବ ନାହିଁ। ଏ ନେଇ ଟ୍ରେଡ୍ ଆନାଲିଷ୍ଟ୍ ତରନ ଆଦର୍ଶ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ଟୁଇଟରେ ଲେଖିଛନ୍ତି, ଚଳିତ ସପ୍ତାହରେ ସିନେମା ହଲ୍ ଖୋଲିବାକୁ ଯାଉଛି। ଚଳିତ ସପ୍ତାହରେ ୬ ହିନ୍ଦୀ ଫିଲ୍ମର ପ୍ରି-ରିଲିଜ୍ ପାଇଁ ଘୋଷଣା କରାଯାଇଛି। ଏଥିରେ ତାନାଜୀ, ୱାର୍, ଶୁଭ ମଙ୍ଗଲ ଜ୍ୟାଦା ସାବଧାନ୍, ମଲଙ୍ଗ, ଥପ୍ପଡ ଓ କେଦାରନାଥ ସାମିଲ୍ ଅଛି। ଆଗାମୀ ଦିନରେ ଆଉ କିଛି ଫିଲ୍ମ ପାଇଁ ସିଡ୍ୟୁଲ୍ ଜାରି କରାଯିବ। ରଣବୀର ସିଂହଙ୍କ ‘୮୩ ଦି ଫିଲ୍ମ’ ଓ ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’ ମଧ୍ୟ ରିଲିଜ୍ ହେବାର ସମ୍ଭାବନା ରହିଛି।
ଏହାବ୍ୟତୀତ ୨୦୧୯ରେ ରିଲିଜ୍ ହୋଇଥିବା ଫିଲ୍ମ ‘କେଦାରନାଥ’କୁ ପୁଣିଥରେ ରିଲିଜ୍ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଜୁନ୍ ୧୪ ତାରିଖରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ଏବେବି ସସପେନ୍ସ ରହିଛି। ଯେହେତୁ ଏବେ ସୁଶାନ୍ତଙ୍କ ମାମଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି, ତେଣୁ ତାଙ୍କର ଏହି ଫିଲ୍ମର ପୁଣି ଥରେ ରିଲିଜ୍ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
The post କଟକଣା ସହ ଆଜିଠୁ ଖୋଲୁଛି ସିନେମା ହଲ; ଖାଲି ରହିବ ଅଧା ସିଟ୍ appeared first on Odisha Reporter.
from Odisha Reporter https://ift.tt/343UNzH
No comments:
Post a Comment