ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ ଆଇନ୍ ଉଲ୍ଲଘଂନ ଅଭିଯୋଗରେ ୧୫ ଦିନ ପାଇଁ ବିଏମ୍ସି ସିଲ୍ କରିଥିବା ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଫିସ୍କୁ ମାତ୍ର ୮ ଦିନରେ ଖୋଲି ଦେଇଛି। ଆଜି ପ୍ରେସ୍ମିଟ୍ କରି ସାଂସଦ ବିଏମ୍ସି ଉପରେ ବର୍ଷିବାର କିଛି ସମୟ ମଧ୍ୟରେ ତରବରିଆ ଭାବେ ଅପରାଜିତାଙ୍କ ପଳାସପଲ୍ଲୀ ଅଫିସ୍କୁ ଖୋଲି ଦିଆଯାଇଛି।
ଆଜି ପ୍ରେସ୍ମିଟ୍ କରି ସାଂସଦ ଷଡଙ୍ଗୀ ବିଏମ୍ସି ଉପରେ ଗର୍ଜିବା ସହ କୋର୍ଟ ଯିବା ନିମନ୍ତେ ଚିନ୍ତା କରୁଥିବା ସୂଚାଇ ଦେଇଥିଲେ। କ୍ଷମତା ନଥାଇ ବିଏମସି କର୍ତ୍ତୃତ୍ୱ ଜାହିର୍ କରୁଥିବା ଅଭିଯୋଗ ଆଣିଥିଲେ। ତାଙ୍କ ପଳାଶପଲ୍ଲୀ ଅଫିସକୁ ବିଏମସି ସିଲ୍ କରିବା ବେଆଇନ୍। ଏ ନେଇ ବିଏମସି କମିଶନରଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଚିଠି ଲେଖିଥିବା କହିଥିଲେ। ତାଙ୍କୁ କହିବାର ସୁଯୋଗ ନ ଦିଆଯାଇ କାର୍ଯ୍ୟାଳୟ ସିଲ୍ କରାଯାଇଛି। ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ବିଏମସି ଏପରି ପଦକ୍ଷେପ ନେଇଛି।
ତାଙ୍କ ଜନ୍ମଦିନ ଘଟଣା ଦିନ ଉପସ୍ଥିତ ତାଙ୍କର କୌଣସି ସମର୍ଥକ କିମ୍ବା ସେ ନିଜେ କୋଭିଡରେ ଆକ୍ରାନ୍ତ ହୋଇ ନାହାନ୍ତି ବୋଲି ଅପରାଜିତା କହିଥିଲେ। ଏଭଳି ସ୍ଥିତିରେ ପୂରା ଅଫିସକୁ ସିଲ୍ କରିବା ଉଚିତ୍ ନଥିଲା ବୋଲି ସେ କହିଛନ୍ତି। ଏମିତିକି ଆଗାମୀ ଦିନରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି ବୋଲି ମଧ୍ୟ ଗଣମାଧ୍ୟମକୁ କହିଥିଲେ।
ସୂଚନାଯୋଗ୍ୟ, ଅକ୍ଟୋବର ୧୦ ତାରିଖ ଦିନ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀସ୍ଥିତ କାର୍ଯ୍ୟାଳୟ ସିଲ୍ କରାଯାଇଥିଲା। ଏହାକୁ ୧୫ ଦିନ ପାଇଁ ବନ୍ଦ କରିବାକୁ ଭୁବନେଶ୍ୱର ମହାନଗର ନିଗମ ନୋଟିସ ଦେଇଥିଲା।
ବିଏମସି ପକ୍ଷରୁ ଓଡିଶା କୋଭିଡ-୧୯ ରେଜୁଲେସନ ୨୦୨୦ ଅନୁସାରେ ଦଫା ୪-ଏ, ୪-ସି ଓ ୪-ଡି ଲଗାଯାଇଛି। ଅର୍ଥାତ ମାସ୍କ ନପିନ୍ଧିବା, କଟକଣା ସତ୍ତେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ଲୋକ ଏକାଠୀ ହେବା ଏବଂ ଶାରୀରିକ ଦୂରତା ଅବଲମ୍ବନକୁ ଅବହେଳା କରିବା ଅଭିଯୋଗରେ ବିଏମସି ଏୟାରପୋର୍ଟ ପୁଲିସ୍କୁ ତାଙ୍କ କାର୍ଯାଳୟ ୧୫ ଦିନ ପାଇଁ ସିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛି।
The post ମକଦ୍ଦମା ଧମକ ପରେ ଅପରାଜିତାଙ୍କ ଅଫିସ୍ ଖୋଲିଦେଲା ବିଏମ୍ସି appeared first on Odisha Reporter.
from Odisha Reporter https://ift.tt/2T4jFks
No comments:
Post a Comment