ଭାରତ କଥା କହିଲେ ବିଶ୍ୱବାସୀ ମହାତ୍ମା ଗାନ୍ଧୀଙ୍କ ପରେ କଲାମଙ୍କୁ ମନେ ପକାନ୍ତି। କାରଣ ଭାରତକୁ ବିଶ୍ୱ ଦରବାରରେ ଯେଉଁ କିଛି ବ୍ୟକ୍ତି ପରିଚିତ କରାଇଛନ୍ତି ସେମାନଙ୍କ ମଧ୍ୟରେ ଏହି ଦୁଇ ସର୍ବାଗ୍ରେ। ଭାରତର ସବୁ ଧର୍ମର ଲୋକ କଲାମଙ୍କୁ ଭଲ ପାଆନ୍ତି, ସମ୍ମାନ କରନ୍ତି। ଆଉ ସେ କହିଥିବା କଥାକୁ ଗ୍ରହଣ ମଧ୍ୟ କରନ୍ତି।
ସେ ଅନେକ ଜ୍ଞାନର ଅଧିକାରୀ ହୋଇଥିଲେ ମଧ୍ୟ ତାଙ୍କ ନମ୍ର ବ୍ୟବହାର, ସରଳ ବ୍ୟକ୍ତିତ୍ୱ, ବିଜ୍ଞାନର ଜଟିଳ ଗଣ୍ଠିକୁ ସରଳ କରିବାକର କଳା ଯୋର୍ଗୁ ପ୍ରତିଟି ମଣିଷର ହୃଦୟରେ ଏକ ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି କଲାମ। ଆଜି ଏହି ଯୁଗ ପୁରୁଷଙ୍କ ଜନ୍ମଦିନ। ଆଜିର ଦିନକୁ ଛାତ୍ର ଦିବସ ଭାବେ ମଧ୍ୟ ପାଳନ କରାଯାଏ।
ଡକ୍ଟର ଏପିଜେ ଅବଦୁଲ କଲାମ ମିସାଇଲ୍ ମ୍ୟାନ୍ ଭାବରେ ଜଣାଶୁଣା। କଲାମ କେବଳ ବୈଜ୍ଞାନିକ ଜଗତରେ ନିଜର ପରିଚୟ ସୃଷ୍ଟି କରିନାହାନ୍ତି, ବରଂ ସେ ଭାରତର ରାଷ୍ଟ୍ରପତି ହୋଇ ତୃଣମୂଳ ସ୍ତରରେ ନିଜର ପରିଚୟ ମଧ୍ୟ ଛାଡିଛନ୍ତି।
କଲାମ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରେ ବୈଜ୍ଞାନିକ ତଥା ଇଞ୍ଜିନିୟର ଭାବରେ କାର୍ଯ୍ୟ କରିଛନ୍ତି।
‘ଯେଉଁ ସ୍ୱପ୍ନ ଶୋଇବା ବେଳେ ଦେଖୁଛ ତାହା ସ୍ୱପ୍ନ ନୁହେଁ, ସ୍ୱପ୍ନ ଯାହା ଆପଣଙ୍କୁ ଶୋଇବାକୁ ଦିଏ ନାହିଁ’। ଏଭଳି କିଛି ତାଙ୍କ ଉକ୍ତି ପାଇଁ ସେ ଖୁବ ପରିଚିତ। ଏବେ ପଢ଼ନ୍ତୁ କିଛି ତାଙ୍କର ଉକ୍ତି ଯାହା ଜଣଙ୍କୁ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିପାରିବ।
ଅବଦୁଲ କଲାମ ୧୫ ଅକ୍ଟୋବର ୧୯୩୧ରେ ତାମିଲନାଡୁର ରାମେଶ୍ୱରମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଜଣେ ମତ୍ସ୍ୟଜୀବୀ ଥିଲେ। ଡଙ୍ଗାରେ ମାଛ ଧରୁଥିଲେ। ତେବେ ଅର୍ଥ ଅଭାବରୁ ସେ ପରବର୍ତ୍ତୀ ସମୟରେ ଡଙ୍ଗାକୁ ଭଡ଼ାରେ ଲଗାଇଥିଲେ ପରିବାର ଚଳାଇବା ପାଇଁ। କଲାମଙ୍କର ପାଞ୍ଚ ଭାଇ ଓ ଭଉଣୀ ଥିଲେ। ତାଙ୍କ ବାପା ପରିବାର ଚଳାଇବା ସକ୍ଷମ ହୋଇପାରୁନଥିବାରୁ ପ୍ରାଥମିକ ପର୍ଯ୍ୟାୟରେ, କଲାମ ପାଠ ପଢ଼ିବା ସହିତ ଖବରକାଗଜ ମଧ୍ୟ ବିକ୍ରି କରୁଥିଲେ।
କଲାମଙ୍କ ପିଲାଦିନ ଆର୍ଥିକ ଅଭାବରେ କଟିଥିଲେ ମଧ୍ୟ ପାଠ ପଢ଼ିବାରେ ସେ କେବେ ହେଳା କରିନଥିଲେ। ସବୁଠୁ କୌତୁହଳର ବିଷୟ ହେଲା ସେ ଭୋର ୪ଟାରେ ଉଠି ଗାଧୋଉ ଥିଲେ। ପରେ ଗଣିତ ପଢ଼ିବାକୁ ଯାଉଥିଲେ। ତେବେ ଏତେ ସକାଳୁ କାହିଁକି ଗାଧୋଇ ପାଠ ପଢ଼ିବାକୁ ଯାଉଥିବାର କାରଣ ସେ କହିଥିଲେ ତାଙ୍କ ଶିକ୍ଷକ ପ୍ରତିବର୍ଷ ମାଗଣାରେ ୫ ଜଣଙ୍କୁ ପାଠ ପଢ଼ାନ୍ତି। ସେ ପଢ଼ାଇବା ପୂର୍ବରୁ ଗାଧୋଇ ଆସନ୍ତି। ଗାଧୋଇ ନଥିଲେ ତାଙ୍କ ସାର ପାଠ ପଢ଼ାଇବାକୁ ଆସନ୍ତି ନାହିଁ ବୋଲି କଲାମ କହିଥିଲେ। ଟ୍ୟୁସନରୁ ଆସିବା ପରେ ସେ ନମାଜ ପଢ଼ୁଥିଲେ ଏବଂ ଏହା ପରେ ସେ ସକାଳ ଆଠଟା ପର୍ଯ୍ୟନ୍ତ ଖବରକାଗଜ ବିକ୍ରି କରୁଥିଲେ।
ଯଦିଓ ସେ ଜଣେ ବୈଜ୍ଞାନିକ ଥିଲେ ହେଲେ ସେ ପାଠ ପଢ଼ାଇବାକୁ ଭଲ ପାଉଥିଲେ। ଦେଶବାସୀ ତାଙ୍କୁ ଭାରତର ଏକାଦଶ ରାଷ୍ଟ୍ରପତି ଭାବରେ ମନେ ପକାଇବା ଅପେକ୍ଷା ଜଣେ ଶିକ୍ଷକ ଭାବରେ ଯଦି ମନେ ପକାଇବେ ତାହେଲେ ସେ ବହୁତ ଖୁସି ହେବେ ବୋଲି କହିଥିଲେ।
ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବାକୁ ଯାଇ ସେ କହିଥିଲେ ନିଜ ଲକ୍ଷ୍ୟ ପାଇଁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଉଥିଲେ। ସେ କହିଥିଲେ ଯେ ଯଦି ତୁମେ ସୂର୍ଯ୍ୟ ପରି ଉଜ୍ଜ୍ୱଳ ହେବାକୁ ଚାହୁଁଛ, ତେବେ ତୁମକୁ ପ୍ରଥମେ ସୂର୍ଯ୍ୟ ପରି ଜଳିବାକୁ ହେବ। ସଫଳତା ହାସଲ କରିବା ପାଇଁ କଲାମ ଦେଇଥିବା ନୀତି ଆଜି ବି ସବୁଠୁ ଭଲ ଉଦାହରଣ ବୋଲି ବିଚାର କରାଯାଏ।
ଯଦି ତୁମେ ବିଫଳ ହୁଅ, କେବେ ଛାଡ ନାହିଁ। ଏପିଜେ ଅବଦୁଲ କଲାମ ଏଭଳି କିଛି କହିଥିଲେ। ସେ କହିଥିଲେ ଯଦି ତୁମେ ବିଫଳ ହୁଅ ତେବେ ଏହା ତୁମର ପ୍ରଥମ ପ୍ରୟାସ। ତୁମେ ତୁମର ଲକ୍ଷ୍ୟ ହାସଲ ନକରିବା ପର୍ଯ୍ୟନ୍ତ ଛାଡ ନାହିଁ। କଲାମ କହିଛନ୍ତି ଯେ ତୁମର ଲକ୍ଷ୍ୟ ହାସଲ କରିବା ପାଇଁ ତୁମ ପ୍ରତି ତୁମର କର୍ତ୍ତବ୍ୟ ଉପରେ ସଚ୍ଚୋଟ ହେବା ଆବଶ୍ୟକ। ଯାହା ସହିତ ତୁମେ ତୁମର ଅଭିଯାନରେ ସଫଳ ହେବାକୁ ସମର୍ଥ ହେବ। ସେ କହୁଥିଲେ ସମସ୍ୟା ସମାନ କିନ୍ତୁ ଏହାର ସମାଧାନର ପଦ୍ଧତି ଅଲଗା ଅଲଗା ରହିଛି। ଏହାର ଉଦାହରଣ ଦେଇ କଲାମ କହିଥିଲେ ପ୍ରବଳ ବର୍ଷା ସମୟରେ ସମସ୍ତ ପକ୍ଷୀ ସେମାନଙ୍କର ଆଶ୍ରୟ ସ୍ଥାନ ପାଇଥାନ୍ତି କିନ୍ତୁ ଇଗଲ ହେଉଛି ଏକମାତ୍ର ପକ୍ଷୀ ଯିଏ ଉଡ଼ାଣ ସହିତ ମେଘ ଉପରେ ଉଡ଼ି ବର୍ଷାକୁ ଏଡାଇଥାଏ। ଅର୍ଥାତ୍ ସମସ୍ୟା ସମାନ କିନ୍ତୁ ପନ୍ଥା ଭିନ୍ନ ଭିନ୍ନ ରହିଛି।
ସେ ରାଷ୍ଟ୍ରପତି ହୋଇ ମଧ୍ୟ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖୁଥିଲେ। ଡକ୍ଟର କଲାମ ସାଧାରଣ ଜନତାଙ୍କ ପାଇଁ ରାଷ୍ଟ୍ରପତି ଭବନର ଦ୍ୱାର ଖୋଲିଥିଲେ ଯେଉଁଠାରେ ପିଲାମାନେ ତାଙ୍କର ବିଶେଷ ଅତିଥି ଥିଲେ।
ସେ ଜଣେ ସମ୍ମାନିତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଥିଲେ, ଯିଏ ବୈଜ୍ଞାନିକ ତଥା ରାଷ୍ଟ୍ରପତି ଭାବରେ ତାଙ୍କର ଅବିଶ୍ୱସନୀୟ ଅବଦାନ ସହିତ ଦେଶ ସେବା କରିଥିଲେ। ତାଙ୍କ ଦ୍ୱାରା କୁହାଯାଇଥିବା କଥା ଲକ୍ଷ୍ୟ ହାସଲ କରିବାକୁ ପ୍ରେରଣା ଯୋଗାଉଛି।
The post ଭୋର ଟ୍ୟୁସନ ଯିବା ପୂର୍ବରୁ କାହିଁକି ଗାଧୋଉଥିଲେ କଲାମ? appeared first on Odisha Reporter.
from Odisha Reporter https://ift.tt/2Fvc9vL
No comments:
Post a Comment