ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନଭେମ୍ବର ୧୬ ତାରିଖରୁ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ୍ ଯିବେ ବୋଲି ରାଜ୍ୟ ସରକାର ଆଜି ଘୋଷଣା କରିବାର ମାତ୍ର କିଛି ସମୟ ମଧ୍ୟରେ ଏଥିରେ ପରିବର୍ତ୍ତନ କରିଛନ୍ତି। ସ୍କୁଲ୍ ଖୋଲିବା ନେଇ ସରକାର ନିଷ୍ପତ୍ତି ବଦଳାଇଥିବା ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆର୍ସି) ସୂଚନା ଦେଇଛନ୍ତି ଓ ତା’ସହିତ ସାନି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।
ଏହି ନିର୍ଦ୍ଦେଶାବଳୀ ଅନୁସାରେ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ତେବେ ନଭେମ୍ବର ୧୫ ପରେ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ନିଜ ତତ୍ତ୍ୱାବଧାନରେ ଅବା ନିରୀକ୍ଷଣରେ ସ୍କୁଲ୍ ଖୋଲିବାକୁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ତାରିଖ ଧାର୍ଯ୍ୟ କରିପାରିବ। କିନ୍ତୁ ତା’ପୂର୍ବରୁ ବିଭିନ୍ନ ଷ୍ଟେକ୍ହୋଲ୍ଡରଙ୍କ ସହ ବିଭାଗ ଆଲୋଚନା କରିବ ଏବଂ ଆବଶ୍ୟକୀୟ ଗାଇଡ୍ଲାଇନ୍ ଓ ଏସ୍ଓପି ଜାରି କରିବ।
ନଭେମ୍ବର ୩୦ ତାରିଖ ଯାଏ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହୁଥିଲେ ବି ପରୀକ୍ଷା, ମୂଲ୍ୟାୟନ ଓ ଅନ୍ୟ ପ୍ରଶାସନିକ କାର୍ଯ୍ୟ ଜାରି ରହିବ। ଅନ୍ଲାଇନ୍ ଟିଚିଂ ପାଇଁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଉଭୟ ଶିକ୍ଷକ ଓ ଅଣ-ଶିକ୍ଷକଙ୍କୁ କଣ୍ଟେନ୍ମେଣ୍ଟ ଜୋନ୍ ବାହାରେ ଥିବା ସ୍କୁଲ୍ଗୁଡ଼ିକୁ ଯିବାକୁ ଅନୁମତି ଦେଇପାରିବେ। ତେବେ ଏହି ସମୟରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ଏସ୍ଓପିକୁ ଅନୁକରଣ କରିବେ। ସେହିଭଳି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ କେବଳ ଗବେଷଣା କରୁଥିବା ଓ ବିଜ୍ଞାନ ଏବଂ ବୈଷୟିକ ପାଠ୍ୟକ୍ରମରେ ପିଜି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରହି ପାରିବ, ଯେଉଁମାନେ କି ଗବେଷଣାଗାର ଆବଶ୍ୟକ କରନ୍ତି। ସମସ୍ତ ତାଲିମ କାର୍ଯ୍ୟକ୍ରମ ଜାରି ରହିବ।
ନୂଆ ଗାଇଡ୍ଲାଇନ୍ ଜାରି ହେବା ପରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ସ୍କୁଲ୍ ଖୋଲିବା ପାଇଁ ବିଭାଗ ପ୍ରସ୍ତୁତ ହେଉଛି। ଏସ୍ଓପି ପ୍ରସ୍ତୁତି ପାଇଁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଏସ୍ଓପି ପ୍ରସ୍ତୁତ କରାଯିବ। କେଉଁ ତାରିଖରୁ ସ୍କୁଲ୍ ଖୋଲାଯିବ ସେନେଇ ଖୁବ୍ଶୀଘ୍ର ଘୋଷଣା କରାଯିବ।
The post ସ୍କୁଲ୍ ଖୋଲିବା ନିଷ୍ପତ୍ତି ବଦଳିଲା appeared first on Odisha Reporter.
from Odisha Reporter https://ift.tt/2HNhm2T
No comments:
Post a Comment