ପୁନେ: କୋଭିଡ୍-୧୯ ମହାମାରୀକୁ ଆଖି ଆଗରେ ରଖି ବୟସ୍କ ବ୍ୟକ୍ତିଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଏହାସହ ସେମାନଙ୍କୁ ଅଧିକ ସତର୍କ ରହିବାକୁ ମଧ୍ୟ କୁହାଯାଇଛି। କିନ୍ତୁ ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାର ମୁଲ ଗାଁରେ ରହୁଥିବା ଜଣେ ୮୭ ବର୍ଷୀୟ ବୃଦ୍ଧ ଚିକିତ୍ସକ ମହାମାରୀକୁ ଖାତିର୍ ନକରି ଦୂରଦୁରାନ୍ତ ଗାଁରୁ ଯାଇ ରୋଗୀଙ୍କ ଚିକିତ୍ସା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।
ଏହି ବୃଦ୍ଧ ଡାକ୍ତର ହେଉଛନ୍ତି ରାମଚନ୍ଦ୍ର ଦାଣ୍ଡେକର। ରାମଚନ୍ଦ୍ର ପେସାରେ ଜଣେ ହୋମିଓପାଥି ଓ ଆୟୁର୍ବେଦ ଡାକ୍ତର, ଯିଏ ମୁଲ୍, ପୋମ୍ଭୁର୍ନା ଓ ବଲ୍ଲାରଶା ଅଞ୍ଚଳକୁ ଦୈନିକ ରୋଗୀଙ୍କ ସେବା କରିବାକୁ ଯାଆନ୍ତି। ତେବେ ସେ ଆଜିକାଲି ନୁହନ୍ତି, ଦୀର୍ଘ ୬୦ ବର୍ଷ ଧରି ଏହିଭଳି ସାଇକେଲ୍ ଚଳାଇ ବିନା ପାଉଣାରେ ଚିକିତ୍ସା କରିବା ପାଇଁ ଲୋକଙ୍କ ଘରେ ପହଞ୍ଚିଯାଆନ୍ତି। ତେବେ ବଡ଼ କଥା ହେଉଛି ସେ ନିଜର ଯାତ୍ରା ପାଇଁ କୌଣସି ଗାଡ଼ିର ନୁହେଁ ବରଂ ସାଇକଲର ସହାୟତା ନିଅନ୍ତି। ଆଜି ବି ସେ ଏହି ବୟସରେ ସାଇକଲ୍ ଚଳାଇ ଯିବାଆସିବା କରନ୍ତି।
ଭାରତରେ ମହାମାରୀ ସମୟରେ ବି ରାମଚନ୍ଦ୍ର ଘରୁ ବାହାରିବା ବନ୍ଦ କରିନଥିଲେ। ରାମଚନ୍ଦ୍ର କହିଛନ୍ତି, ‘ପୂର୍ବଭଳି ତାଙ୍କ ଦୈନିକ କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ହୋଇନାହିଁ। ମୁଁ ନିସ୍ୱାର୍ଥ ଭାବନାରେ ଲୋକଙ୍କ ସେବା କରିବାକୁ ଚାହେଁ।’ ରାମଚନ୍ଦ୍ର ୧୯୫୭-୫୮ରେ ନାଗପୁର ହୋମିଓପାଥି କଲେଜରୁ ଡିପ୍ଲୋମା ହାସଲ କରିଥିଲେ ଏବଂ ଏହା ପରେ ସେ ବର୍ଷକ ପର୍ଯ୍ୟନ୍ତ ଚନ୍ଦ୍ରପୁର ହୋମିଓପାଥି କଲେଜରେ ଅଧ୍ୟାପକ ପଦବୀରେ ଥିଲେ। ଏହା ପରେ ସେ ଗ୍ରାମାଞ୍ଚଳରେ ଥିବା ରୋଗୀଙ୍କ ସେବା କରିବାକୁ ମନସ୍ଥ କରିଥିଲେ।
ତାଙ୍କ ବଡ଼ ପୁଅ ଜୟନ୍ତ ଦାଣ୍ଡେକର କହିଛନ୍ତି, ଗାଁକୁ ଯିବା ପାଇଁ ବାପାଙ୍କର ସପ୍ତାହାନ୍ତ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ରହୁଥିଲା ଏବଂ ସେ ନିଜ ସାଙ୍ଗରେ ଚିକିତ୍ସା ଉପକରଣ ଓ ମେଡିସିନ୍ ମଧ୍ୟ ନେଉଥିଲେ। ସେ ନିଜ ପାଖରେ ନା ମୋବାଇଲ୍ ରଖନ୍ତି ନା ଘଣ୍ଟା। ଯଦି ତାଙ୍କୁ ଦୂରଦୁରାନ୍ତକୁ ରୋଗୀଙ୍କୁ ଦେଖିବାକୁ ଯିବାକୁ ପଡ଼େ, ତାହେଲେ ସେ ବସ୍ ଯୋଗେ ଯାଆନ୍ତି, ନଚେତ୍ ସାଇକଲର ବ୍ୟବହାର କରନ୍ତି। ଯଦି ତାଙ୍କୁ ଫେରିବାରେ ବିଳମ୍ବ ହୁଏ, ତାହେଲେ ସେ କାହା ଘରେ ରହିଯାଆନ୍ତି। ମୋ ବାପାଙ୍କୁ ସମସ୍ତେ ‘ଡାକ୍ତର ସାହେବ ମୁଲ୍ ୱାଲେ’ କୁହନ୍ତି ଏବଂ ପ୍ରତି ଗାଁର ୨୦ ଘରକୁ ଯାଆନ୍ତି।
ବର୍ତ୍ତମାନ ମହାମାରୀ ସମୟରେ ବି ସେ ରୋଗୀଙ୍କ ପ୍ରତି ନିଜର ସେବା କରିବା ଭୁଲି ନାହାନ୍ତି। କିନ୍ତୁ ପୂର୍ବ ତୁଳନାରେ ସେ ଅଧିକ ରୋଗୀଙ୍କୁ ଦେଖିପାରୁନାହାନ୍ତି। ଯଦି କୌଣସି ରୋଗୀଙ୍କ ଭିତରେ କରୋନା ଲକ୍ଷଣ ଦେଖାଦିଏ, ତାହେଲେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହେବାକୁ ରାମଚନ୍ଦ୍ର ପରାମର୍ଶ ଦିଅନ୍ତି।
The post ଦୁଃସାହସୀ ଡାକ୍ତର: କୋଭିଡ୍ ଆତଙ୍କକୁ ବେଖାତିର୍ କରି ୮୭ ବର୍ଷରେ ଚାଲିଛି ରୋଗୀ ସେବା appeared first on Odisha Reporter.
from Odisha Reporter https://ift.tt/2HcJhc4
No comments:
Post a Comment