ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ ଦିନକ ପରେ ହେବ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ। ଏଥିପାଇଁ ଆଜି ପ୍ରଚାରର ଶେଷଦିନ। ଭୋଟରଙ୍କ ମନ ଜିତିବା ପାଇଁ ଆଜି ହେଉଛି ଶେଷ ସୁଯୋଗ। ତେଣୁ ମତଦାତାଙ୍କୁ ଆକୃଷ୍ଟ କରିବାକୁ କୌଣସି ବି ସୁଯୋଗ ହାତଛଡ଼ା କରିବେନି ତିନି ପ୍ରମୁଖ ଦଳ। ଆଜି ଶେଷ ଦିନରେ ବି ଦେଖିବାକୁ ମିଳିବ ହାଇଭୋଲଟେଜ କ୍ୟାମ୍ପେନ।
ଗତକାଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସହ ପ୍ରାର୍ଥୀ ମାନସ ଦତ୍ତଙ୍କୁ ଧରି ବିଶାଳ ରୋଡ୍ ଶୋ’ରେ ଯୋଗଦେଇଥିଲେ ବୈଜୟନ୍ତ। କଂଗ୍ରେସ ଶିବିରରେ ପ୍ରଚାର ଦାୟିତ୍ୱ ସମ୍ଭାଳିଥିଲେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ସେହିଭଳି ସଭା ସମିତି କରି ଦଳୀୟ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ପାଇଁ ଭୋଟ୍ ମାଗିଥିଲେ ବିଧାୟକ ତାରା ବାହିନୀପତି।
ବିଜେଡି ତା’ର ଅନ୍ତିମ ପର୍ଯ୍ୟାୟରେ ମହିଳା ଶକ୍ତିଙ୍କୁ ସାମିଲ କରିଥିଲା। ମହିଳା ନେତ୍ରୀ, କର୍ମୀ ଓ ସମର୍ଥକଙ୍କୁ ନେଇ ବାଲେଶ୍ୱର ସହରରେ ଦଳ ଆୟୋଜନ କରିଥିଲା ବିରାଟ ରାଲି। ଦଳର ପ୍ରଚାର ଅଭିଯାନରେ ଆଦୌ ଯୋଗ ଦେଇନଥିବା ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁଭାଷିନୀଙ୍କୁ ବି ଦେଖିବାକୁ ମିଳିଥିଲା।
ସେହିପରି ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଧ୍ୟ ଖୁବ୍ ଜମିଛି ତିନି ପ୍ରମୁଖ ଦଳର ପ୍ରଚାର। ବିଜେପି ପକ୍ଷରୁ ଗତକାଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ନାରୀ ନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ କ୍ୟାମ୍ପେନ୍ ସମ୍ଭାଳିଥିଲେ। ଉଭୟ ଏକ ରୋଡ ଶୋ’ରେ ଯୋଗଦେବା ସହ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ଭୋଟ୍ ଦେବାକୁ ନିବେଦନ କରିଥିଲେ।
ଅନ୍ୟପକ୍ଷରେ ବିଜେଡି ପାଇଁ ମଙ୍ଗ ଧରିଥିଲେ ଦଳର ଉପସଭାପତି ସଞ୍ଜୟ ଦାସବର୍ମା। ସେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ସହ ରୋଡ୍ ଶୋ’ରେ ସାମିଲ ହୋଇଥିଲେ। କଂଗ୍ରେସ ପକ୍ଷରୁ ଗତକାଲି ଲଗାତର ଭାବେ ଭୋଟରଙ୍କ ନିକଟକୁ ଯାଇ କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ ଦଳୀୟ ପ୍ରାର୍ଥୀ ହିମାଂଶୁ ଶେଖର ମଲ୍ଲିକଙ୍କ ପାଇଁ ଭୋଟ୍ ମାଗିଥିଲେ।
The post ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର appeared first on Odisha Reporter.
from Odisha Reporter https://ift.tt/2HSVjrN
No comments:
Post a Comment