ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପୁଅ ଆଦିତ୍ୟ ଠାକରେଙ୍କ ନାଁ ଯୋଡ଼ାଯାଉଥିବା ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏହାସହ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ବିଜେପି ଶିବସେନାର ହିନ୍ଦୁତ୍ୱ ଉପରେ ପ୍ରଶ୍ନ ଉଠାଉଛି। ମହାରାଷ୍ଟ୍ର ସରକାର ଏବଂ ମୁମ୍ବାଇ ପୁଲିସର ଛବି ମଳିନ କରିବାକୁ ବିଜେପି ଅପଚେଷ୍ଟା କରୁଛି ବୋଲି ଉଦ୍ଧବ ଅଭିଯୋଗ ଆଣିଛନ୍ତି।
ମୁମ୍ବାଇରେ ଆୟୋଜିତ ଏକ ରାଲିରେ ଯୋଗ ଦେବା ଅବସରରେ ଉଦ୍ଧବ କହିଛନ୍ତି ଯେ, ଏବେ ବର୍ଷେ ହୋଇଗଲା। ଯେଉଁ ଦିନଠାରୁ ମୁଁ ମୁଖ୍ୟମନ୍ତ୍ରୀ ହୋଇଛି, ସେହି ଦିନଠାରୁ ଲଗାତର ମୋ ସରକାର ଭାଙ୍ଗିଯିବ ବୋଲି କୁହାଯାଉଛି। ମୁଁ ଆହ୍ୱାନ ଦେଉଛି, ଯଦି ଆପଣଙ୍କ ସତସାହସ ଅଛି ମୋ ସରକାରକୁ ଭାଙ୍ଗିକି ଦେଖାନ୍ତୁ। ମହାରାଷ୍ଟ୍ରରେ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାର ଅଛି। ଆମେ ନଭେମ୍ବର 28ରେ କ୍ଷମତାକୁ ଆସିବାର ଏକ ବର୍ଷ ପୂରା କରିବୁ ବୋଲି ଉଦ୍ଧବ କହିଛନ୍ତି।
ଉଦ୍ଧବ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ନ ନେଇ କହିଛନ୍ତି ଯେ, ଆଜି ଆମେ ଅରାଜକତା ଦିଗରେ ବଢ଼ୁଛୁ। ବିଜେପି ନିଜ ସହଯୋଗୀମାନଙ୍କ ସହ ବିଶ୍ୱାସଘାତ କରୁଛି। ଏନଡିଏ ପ୍ରାୟ ସମାପ୍ତ ହୋଇସାରିଛି। ସେମାନେ ବନ୍ଧୁତ୍ୱ କଥା କୁହନ୍ତି ଏବଂ ପରବର୍ତ୍ତୀ ସମୟରେ ବନ୍ଧୁଙ୍କ ପିଠିରେ ଛୁରୀ ମାରନ୍ତି। ବିହାର ନିର୍ବାଚନ ପରେ ନୀତିଶ କୁମାରଙ୍କ ସହ ମଧ୍ୟ ଏଭଳି ବ୍ୟବହାର କରିବେ ବୋଲି କହି କଡ଼ା ସମାଲୋଚନା କରିଛନ୍ତି ଉଦ୍ଧବ।
ଉଦ୍ଧବ ପୁଣି କହିଛନ୍ତି, ଶିବସେନାର ହିନ୍ଦୁତ୍ୱ ଉପରେ ଆଙ୍ଗୁଳି ଉଠାଉଛନ୍ତି। ଆମେ ରାଜ୍ୟରେ ମନ୍ଦିର କାହିଁକି ନିର୍ମାଣ କରୁନାହୁଁ ବୋଲି ପ୍ରଶ୍ନ ପଚାରୁଛନ୍ତି। ମୋର ହିନ୍ଦୁତ୍ୱ ବାଲା ସାହେବ ଠାକରେଙ୍କଠାରୁ ଭିନ୍ନ ବୋଲି କୁହାଯାଉଛି। ହେଲେ ଆପଣଙ୍କ ହିନ୍ଦୁତ୍ୱ ଘଣ୍ଟି ଏବଂ ଥାଳି ପିଟିବା ଭଳି। ଆମର ହିନ୍ଦୁତ୍ୱ ସେମିତି ନୁହେଁ ବୋଲି ସେ କଟାକ୍ଷ କରି କହିଛନ୍ତି।
ଶେଷରେ ଉଦ୍ଧବ ନିଜ ପୁଅ ଆଦିତ୍ୟ ଠାକରେଙ୍କୁ ନେଇ ଉଠିଥିବା ବିବାଦ ଉପରେ ମତ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଆଦିତ୍ୟଙ୍କ ଉପରେ ଅଭିଯୋଗ ଅଣାଯାଉଛି। ସେମାନେ ମହାରାଷ୍ଟ୍ରର ପୁଅକୁ ନ୍ୟାୟ ଦେବାକୁ ଚିତ୍କାର କରୁଛନ୍ତି ଏବଂ ଏପଟେ ମହାରାଷ୍ଟ୍ରର ପୁଅର ଚରିତ୍ର ହନନରେ ମାତିଛନ୍ତି। ଉଦ୍ଧବ କହିଛନ୍ତି ଯେ, ଲଗାତର ପୁଅ ଆଦିତ୍ୟ ଏବଂ ତାଙ୍କ ପରିବାରର ନାଁ ନେଇ ସେମାନଙ୍କ ଚରିତ୍ର ସଂହାର କରିବାକୁ ଚେଷ୍ଟା କରାଯାଉଛି। ହେଲେ ନିଜ ପରିବାରର ସ୍ୱଚ୍ଛତା ଓ ସଚ୍ଚୋଟତା ନେଇ କୌଣସି କୈଫିୟତ ଦେବା ତାଙ୍କ ପାଇଁ ଜରୁରୀ ନୁହେଁ ବୋଲି ଉଦ୍ଧବ ଠାକରେ ରୋକଠୋକ୍ କହିଛନ୍ତି।
The post ସୁଶାନ୍ତ ମୃତ୍ୟୁ ମାମଲା: ପୁଅ ଆଦିତ୍ୟଙ୍କ ନାଁ ଯୋଡ଼ିବା ନେଇ ମୁହଁ ଖୋଲିଲେ ଉଦ୍ଧବ appeared first on Odisha Reporter.
from Odisha Reporter https://ift.tt/3jr4pbX
No comments:
Post a Comment