ୱାଶିଂଟନ: କରୋନା ମହାମାରୀରେ ଆକ୍ରାନ୍ତ ହୋଇ ୱାଲଟର ରିଡ୍ ଆର୍ମି ମେଡିକାଲ ସେଣ୍ଟରରେ ଭର୍ତ୍ତି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୁସ୍ଥ ହୋଇ ହ୍ୱାଇଟ୍ ହାଉସ୍ ଫେରିଛନ୍ତି। ତେବେ ସେ ସମ୍ପୂର୍ଣ୍ଣ କରୋନାମୁକ୍ତ ହୋଇ ନ ଥିବା ଜଣାଯାଇଛି।
୪ ଦିନର ଜରୁରୀ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ ହେବା କ୍ଷଣି ଟ୍ରମ୍ପ ହ୍ୱାଇଟ୍ ହାଉସ୍ ଅଭିମୁଖେ ବାହାରିଥିଲେ । ହେଲିକପ୍ଟରରୁ ଓହ୍ଲାଇବା କ୍ଷଣି ଟ୍ରମ୍ପ ହ୍ୱାଇଟ୍ ହାଉସ୍ରେ ପହଞ୍ଚି ଗଣମାଧ୍ୟମକୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ ମୁହଁରୁ ମାସ୍କ କାଢ଼ି ପୋଜ୍ ଦେବା ସହ କରୋନାକୁ ନେଇ ଭୟଭୀତ ନହେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ।
ହେଲେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ। ଟ୍ରମ୍ପ କରୋନାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇ ନ ଥିବା ବେଳେ ମାସ୍କ ଖୋଲିବାକୁ ନେଇ ତାଙ୍କୁ ଚାରିଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।
ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲେ ମଧ୍ୟ ସେ କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବା ଗତକାଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ତରଫରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଥିଲା । ଏଥିସହ ମେଡିକାଲରୁ ଡିସଚାର୍ଜ ହୋଇ କିଛି ଦିନ ହ୍ୱାଇଟ୍ ହାଉସ୍ରେ ଆଇସୋଲେସନରେ ରହିବାକୁ ତାଙ୍କୁ ପରାମର୍ଶ ଦିଆଯାଇଥିଲା।
ହ୍ୱାଇଟ ହାଉସ ଫେରିବା ପରେ ଟ୍ରମ୍ପ ଏକ ଭିଡିଓ ଟ୍ୱିଟ କରି ସେ ଏବେ ପୁରା ସୁସ୍ଥ ଥିବା ଓ ୨୦ ବର୍ଷ ପୂର୍ବ ପରି ଅନୁଭବ କରୁଥିବା କହିଛନ୍ତି। ଏଥିସହ କରୋନାକୁ ନେଇ ଆଦୌ ଭୟଭୀତ ନ ହେବାକୁ ଦେଶବାସୀଙ୍କୁ ଅପିଲ କରିବା ସହ ଏହି ମହାମାରୀ ବିଷୟରେ ସେ ଯଥେଷ୍ଟ ଜ୍ଞାନ ଆହରଣ କରି ସାରିଥିବା କହିଛନ୍ତି। ଏଥିସହ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସେ କ୍ୟାମ୍ପେନ୍କୁ ଫେରିବେ ବୋଲି ମଧ୍ୟ ଆଶାବାଦୀ ଥିବା କହିଛନ୍ତି।
ନଭେମ୍ବର ୩ ତାରିଖରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ତାହା ପୂର୍ବରୁ ଟ୍ରମ୍ପ କରୋନାରେ ଆକ୍ରାନ୍ତ ହେବା ତାଙ୍କ ନିର୍ବାଚନୀ ପ୍ରଚାରକୁ ଜୋରଦାର ଝଟକା ଦେଇଥିବା ଆଲୋଚନା ହେଉଛି।
ସୂଚନାଯୋଗ୍ୟ, ଆମେରିକାର ଫାଷ୍ଟ ଲେଡି ମେଲେନିଆ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେ ହ୍ୱାଇଟ୍ ହାଉସ୍ରେ ଆଇସୋଲେସନ୍ରେ ଅଛନ୍ତି। ଏହାବ୍ୟତୀତ ହ୍ୱାଇଟ୍ ହାଉସ୍ରେ ଆଉ କେତେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି ଟ୍ରମ୍ପ।
The post ହ୍ୱାଇଟ୍ ହାଉସ୍ ଫେରିଲେ ଟ୍ରମ୍ପ, ମାସ୍କ ଖୋଲି ପୋଜ୍ ବି ଦେଲେ appeared first on Odisha Reporter.
from Odisha Reporter https://ift.tt/2SrDkui
No comments:
Post a Comment