ମୋହନା (ମିହିର ଜତି): ମକା ବିକ୍ରି କରିବା ପାଇଁ ବଜାର ନାହିଁ! ତେଣୁ ଶାଗ-ମାଛ ଦରରେ ନିଜର କଷ୍ଟ ଉପାର୍ଜିତ ମକାକୁ ବିକ୍ରି କରୁଛନ୍ତି ଚାଷୀ। ଏପରି ସ୍ଥିତିରେ ସାହୁକାରଙ୍କଠାରୁ ଆଣିଥିବା ଋଣ କେମିତି ସୁଝିବେ, ସେହି ଚିନ୍ତାରେ ପଡ଼ି ଯାଇଛନ୍ତି ଚାଷୀ। ମକା ଚାଷୀଙ୍କ ଏପରି ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରୁ। ଚାଷୀଙ୍କ କହିବା ଅନୁସାରେ ଗତବର୍ଷ ଯେଉଁ ମକାକୁ ୨୨୦୦ରୁ ୨୫୦୦ ଟଙ୍କାରେ ବିକ୍ରି କରୁଥିଲେ, ଚଳିତବର୍ଷ ତାକୁ ୮୦୦ରୁ ୧୦୦୦ ଟଙ୍କାରେ ଜାଚିକି ବ୍ୟବସାୟୀଙ୍କୁ ଦେଉଛନ୍ତି।
ଗଜପତି ଜିଲ୍ଲାରେ ମକା ଏକ ଲାଭଦାୟକ ଫସଲ। ଜିଲ୍ଲାରେ ୧୧୦୦୦ ହେକ୍ଟର ଜମିରେ ମକା ଚାଷ ହେଉଛି। ସେଥିରୁ ମୋହନା ବ୍ଲକରେ ୪୮୦୦ ହେକ୍ଟର ଜମିରେ ମକା ଚାଷ ହେଉଛି। ଚାଷୀମାନେ ଋଣ ନେଇ ଚାଷ କରିଥିଲେ। ହେଲେ ଅକ୍ଟୋବର ୧୧ରୁ ୧୪ ତାରିଖ ଭିତରେ ହୋଇଥିବା ଲଘୁଚାପ ବର୍ଷାରେ ମକା ଚାଷୀ ଘୋର ପ୍ରଭାବିତ ହୋଇଛନ୍ତି। ଅମଳ ପୂର୍ବରୁ ମକା ବର୍ଷାରେ ଭିଜିଗଲା। ନଷ୍ଟ ହୋଇଗଲା ଚାଷୀଙ୍କ କଷ୍ଟ ଉପାର୍ଜିତ ଫସଲ। ଜମିରେ ପାଣି ମାଡି ଯିବାରୁ ମକା ଗଜା ହୋଇ ନଷ୍ଟ ହୋଇଯାଇଛି।
ତେବେ ବର୍ଷା ଦାଉରୁ ଯାହା ବଞ୍ଚିଗଲା, ତାକୁ ବହୁ କଷ୍ଟରେ ସାଉଣ୍ଟିଥିଲା ଚାଷୀ। ହେଲେ ସେହି ମକାକୁ ନେବ କିଏ? ସାହୁକାର ମକା ନେବାକୁ ମନାକଲା। ତେବେ କେତେକ ଅସାଧୁ ବ୍ୟବସାୟୀ କ୍ୱିଣ୍ଟାଲ୍ ପିଛା ୮୦୦ରୁ ୧୦୦୦ ଟଙ୍କାରେ ଚାଷୀଙ୍କଠାରୁ ମକା କିଣୁଛନ୍ତି। କିଛି ଉପାୟ ନପାଇ ଚାଷୀମାନେ ବାଧ୍ୟ ହୋଇ ବିକ୍ରି କରୁଛନ୍ତି।
ଗଜପତି ଜିଲ୍ଲାର ଚାଷୀମାନେ ଧାନ ଓ ମକା ଚାଷ କରନ୍ତି। କିନ୍ତୁ ମକା ଏକ ଲାଭଦାୟକ ଫସଲ ହୋଇଥିବାରୁ ଚାଷମାନେ ଏହାକୁ ଅଧିକ କରିଥାନ୍ତି। ହେଲେ ଏହି ମକାକୁ ବିକ୍ରି କରିବା ପାଇଁ ଉଚିତ ମାର୍କେଟ ନାହିଁ। ଯାହାଫଳରେ ଚାଷୀମାନେ କିଛି ଉପାୟ ନପାଇ ସାହୁକାରଙ୍କୁ ଦେଉଥିବା ଅଭିଯୋଗ ହୋଇଛି। ଯଦି ଏଠାରେ ମକା କିଣିବା ପାଇଁ ବଜାର ଥାଆନ୍ତା, ତାହାହେଲେ ଚାଷୀମାନେ ନିଜର ଉପାର୍ଜିତ ଫସଲକୁ ବିକ୍ରି କରିବାକୁ ଅସୁବିଧାରେ ପଡ଼ିନଥାନ୍ତେ।
ଚଳିତବର୍ଷ ନିୟନ୍ତ୍ରିତ ବଜର କମିଟି ଜରିଆରେ ମୋହନା ବ୍ଳକରେ ପ୍ରାୟ ୫ ହଜାର ମକା ଚାଷୀ ପଞ୍ଜିକରଣ କରିଛି। ସେମାନଙ୍କଠାରୁ ସରକାରଙ୍କ ନିର୍ଦ୍ଧାରିତ ଦର କ୍ୱିଣ୍ଟାଲ୍ ପିଛା ୧୮ଶହ ଟଙ୍କାରେ ମକା କିଣିବାକୁ ବ୍ୟବସ୍ଥା କରାଯିବ ବୋଲି ବଜାର ନିୟନ୍ତ୍ରିତ କମିଟି ପକ୍ଷରୁ କୁହାଯାଇଛି।
The post ଘାଇଲା କରିଥିଲା ବର୍ଷା, ଏବେ ଶାଗମାଛ ଦରରେ ମକା ବିକୁଛନ୍ତି ଚାଷୀ! appeared first on Odisha Reporter.
from Odisha Reporter https://ift.tt/2HRk3R5
No comments:
Post a Comment