ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ଖାଦ୍ୟ ସୁରକ୍ଷା ଓ ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ରାଜ୍ୟର ୩କୋଟି ୩୪ଲକ୍ଷ ୨୫ହଜାର ୫୮୧ଜଣ ଲୋକ ଟଙ୍କିକିଆ ଚାଉଳ ନେଉଛନ୍ତି। କେନ୍ଦ୍ର ସରକାର ଏପ୍ରିଲରୁ ନଭେମ୍ବର ମାସ ପର୍ଯ୍ୟନ୍ତ ୮ମାସ ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ୩.୨୪କୋଟି ହିତାଧିକାରୀଙ୍କ ପାଇଁ ମାଗଣା ଚାଉଳ ଓ ୧କିଲୋ ଚାଉଳ ପ୍ରତିମାସରେ ମାଗଣାରେ ଯୋଗାଇ ଦେଉଥିବାବେଳେ ପ୍ରବାସୀ ଶ୍ରମିକଙ୍କ ପାଇଁ ମେ’ ଓ ଜୁନ୍ ମାସରେ ଚାଉଳ ଓ ଡାଲି ଯୋଗାଇ ଦେଇଥିଲେ ବୋଲି ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।
ବିଧାନସଭାରେ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ରାଜ୍ୟର ମୋଟ ୯୭ଲକ୍ଷ ୭୪ହଜାର ୭୨୦ଟି ପରିବାରର ମୋଟ ୩କୋଟି ୨୪ଲକ୍ଷ ୬୭ହଜାର ୩୪୪ଜଣଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନଏଫଏସଏ) ଏବଂ ୩ଲକ୍ଷ ୧୯ହଜାର ୫୭୬ଟି ପରିବାରର ୯ଲକ୍ଷ ୫୮ହଜାର ୨୩୭ଜଣଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କରାଯାଇଛି। ଏ ସମସ୍ତ ହିତାଧିକାରୀଙ୍କ ମଧ୍ୟରୁ କିଛି ଶାରୀରିକ ଅସୁସ୍ଥ, ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଓ କୃଷ୍ଠ ରୋଗୀଙ୍କୁ ବାଦ୍ ଅନ୍ୟ ସମସ୍ତଙ୍କ ରାସନ କାର୍ଡ ସହ ଆଧାର ସଂଯୋଗ ହୋଇସାରିଛି। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାସନ କାର୍ଡ ନଥିବା ୫ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି। ଏପ୍ରିଲ, ମେ ଓ ଜୁନ୍ ମାସ ଭିତରେ ଆବେଦନ କରିଥିବା ସମସ୍ତ ଯୋଗ୍ୟ ଆବେଦନକାରୀଙ୍କ ମଧ୍ୟରୁ ୫ଲକ୍ଷ ହିତାଧିକାରୀ(୧ଲକ୍ଷ ୩୮ହଜାର ୦୪୮ଟି ପରିବାର)ର ଲୋକଙ୍କୁ ନୂଆ କାର୍ଡ ପ୍ରଦାନ ସହ ଚାଉଳ ଓ ଡାଲି ଯୋଗାଇ ଦିଆଯାଉଛି।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଜାତୀୟ ସୁରକ୍ଷା ଯୋଜନାରେ ଏପ୍ରିଲରୁ ନଭେମ୍ବର ମାସ ପର୍ଯ୍ୟନ୍ତ ସମସ୍ତ ହିତାଧିକାରୀଙ୍କୁ ମୁଣ୍ଡପିଛା ୫କିଲୋ ଚାଉଳ ବା ଗହମ ଓ ପରିବାର ପିଛା ମାସିକ ୧କିଲୋ ଡାଲି ମାଗଣାରେ ଯୋଗାଇ ଦିଆଯାଉଛି। ହିତାଧିକାରୀମାନଙ୍କୁ ଏପ୍ରିଲରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଖାଦ୍ୟସାମଗ୍ରୀ କୋଟା ବଣ୍ଟନ କରାଯାଇଥିବାବେଳେ ଅକ୍ଟୋବର ୧ରୁ ୨୫ତାରିଖ ମଧ୍ୟରେ ସେପ୍ଟେମ୍ବର ଓ ଅକ୍ଟୋବର ମାସର ଖାଦ୍ୟସାମଗ୍ରୀ ଯୋଗାଇ ଦିଆଯିବ। ସେହିପରି ନଭେମ୍ବର ମାସର କୋଟା ଉକ୍ତ ମାସ ୨୫ତାରିଖ ସୁଦ୍ଧା ବଣ୍ଟନ କରାଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।
କୋଭିଡ୍-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ମେ’ ଓ ଜୁନ୍ ଦୁଇ ମାସ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ମୁଣ୍ଡପିଛା ୫କିଲୋ ଚାଉଳ ଓ ପରିବାର ପିଛା ୧କିଲୋ ଡାଲି ମାଗଣାରେ କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି। ୯୬୧୫୦ଜଣ ପ୍ରବାସୀ ଶ୍ରମିକଙ୍କୁ ୯୬୧.୫୦୦ ମେଟ୍ରିକ ଟନ୍ ଚାଉଳ ଓ ୪୦୦୨୯ଟି ପରିବାରକୁ ୮୦.୦୫୭ ମେଟ୍ରିକ ଟନ ଡାଲି ବଣ୍ଟନ କରାଯାଇଛି।
ସୂଚନାଯୋଗ୍ୟ, ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏହା କହିଛନ୍ତି।
The post ରାଜ୍ୟର ୩.୩୪ କୋଟି ଲୋକ ନେଉଛନ୍ତି ଟଙ୍କିକିଆ ଚାଉଳ appeared first on Odisha Reporter.
from Odisha Reporter https://ift.tt/3cXz1jJ
No comments:
Post a Comment