ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା କଟକଣା ଭିତରେ ଆସନ୍ତା ନଭେମ୍ବର ୩ ତାରିଖରେ ହେବ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ। ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଏଥର କରୋନା ମହାମାରୀ ମଧ୍ୟରେ ନିର୍ବାଚନ ହେଉଥିବାରୁ କଟକଣା ମାନି ଭୋଟରମାନେ ମତାଧିକାର ସାବ୍ୟସ୍ତ କରିବେ। ତେବେ ନିୟମ ଉଲ୍ଲଙ୍ଘନକାରୀ ଦଳ କିମ୍ବା ବ୍ୟକ୍ତି ବିଶେଷଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନ ପୂର୍ବରୁ ସୂଚନା ଦେଇସାରିଛନ୍ତି।
ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ନିୟୋଜିତ ସରକାରୀ କର୍ମଚାରୀ, ୮୦ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଏବଂ କରୋନା ସଂକ୍ରମିତମାନେ ପୋଷ୍ଟାଲ ବାଲଟରେ ନିଜର ମତଦାନ କରିବେ। ଏଣୁ ପୋଷ୍ଟାଲ ବାଲଟରେ ଭୋଟ୍ ଦାନ କିପରି ସୁରୁଖୁରୁରେ କରାଯିବ ସେନେଇ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାପାଲଙ୍କ ସହ ଭିଡିଓ କନଫରେନ୍ସିଂରେ ସମୀକ୍ଷା କରିଛନ୍ତି।
ଏହାଛଡ଼ା ଆଜିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ନିର୍ବାଚନରେ ନିୟୋଜିତ କର୍ମଚାରୀ ଘର ଘର ବୁଲି ଫର୍ମ-୧୨ ଯୋଗାଇ ଦେବେ। ଯେଉଁମାନେ ଚାହିଁବେ ସେମାନେ ପୋଷ୍ଟାଲ ବାଲାଟରେ ଭୋଟ ଦେବା ଲାଗି ୧୪ ତାରିଖ ସୁଦ୍ଧା ନିର୍ବାଚନ ଅଧିକାରୀଙ୍କୁ ଆବେଦନପତ୍ର ଦେଇଦେବେ। ପୋଷ୍ଟାଲ ବାଲାଟ୍ ବ୍ୟବସ୍ଥା ଥିଲେ ବି ବରିଷ୍ଠ ନାଗରିକ ମତଦାନ କେନ୍ଦ୍ରକୁ ଯାଇ ମତଦାନ ସାବ୍ୟସ୍ତ କରିପାରିବେ। କିନ୍ତୁ କୋଭିଡ୍ ସଂକ୍ରମିତ ପୋଷ୍ଟାଲ ବାଲାଟରେ ମତଦାନ କରିବା ବାଧ୍ୟତାମୂଳକ। ଯେଉଁମାନଙ୍କର ମତଦାନ କେନ୍ଦ୍ରରେ କରୋନା ଚିହ୍ନଟ ହେବ, ସେମାନେ ଶେଷ ଘଣ୍ଟାଏ ମଧ୍ୟରେ ମତଦାନ କରିବେ।
The post ଆଜି ପ୍ରକାଶ ପାଇବ ଉପନିର୍ବାଚନ ବିଜ୍ଞପ୍ତି appeared first on Odisha Reporter.
from Odisha Reporter https://ift.tt/3nvwa6z
No comments:
Post a Comment