ରାଜ୍ୟ ଅର୍ଥନୀତି ଉପରେ କରୋନା ଇଫେକ୍ଟ: ଜିଡିପି ୨%, ରାଜସ୍ୱ ୨୫% କମିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 5, 2020

ରାଜ୍ୟ ଅର୍ଥନୀତି ଉପରେ କରୋନା ଇଫେକ୍ଟ: ଜିଡିପି ୨%, ରାଜସ୍ୱ ୨୫% କମିବ

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ମହାମାରୀ ଯୋଗୁ ରାଜ୍ୟର ଗୋଲାପୀ ଅର୍ଥନୀତି ପ୍ରଭାବିତ ହୋଇଛି ଓ ଖାସ୍ ଏଇଥିପାଇଁ ରାଜ୍ୟ ସରକାର ୨୦୨୨ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଆର୍ଥିକ କଟକଣାକୁ ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ଯୋଗୁ ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୧ରୁ ୨ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରିଥିବା ଓଡ଼ିଶା ସରକାର ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୭% ରହିବ ବୋଲି ଆଶାବ୍ୟକ୍ତ କରିଥିବା ଜଣାପଡ଼ିଛି।

ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କରୋନା ମହାମାରୀ ଯୋଗୁ ବିଶ୍ୱରୁ ରାଜ୍ୟ ପର୍ଯ୍ୟନ୍ତ ସବୁଆଡ଼େ଼ ଅର୍ଥନୀତି ବ୍ୟାପକ ପ୍ରଭାବିତ ହୋଇଛି। ଯେଉଁଥିପାଇଁ ଜୁଲାଇ ୭ତାରିଖରେ ଜାରି କରିଥିବା ଆର୍ଥିକ କଟକଣାକୁ ରାଜ୍ୟ ସରକାର ୨୦୨୨ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଅର୍ଥ ସଚିବ ଅଶୋକ କୁମାର ମୀନା ସମସ୍ତ ପ୍ରଶାସନିକ ବିଭାଗର ସଚିବଙ୍କୁ ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ ଜଣାଇବା ସହ ବଜେଟ୍ ପ୍ରସ୍ତୁତିବେଳେ କେଉଁସବୁ ଦିଗପ୍ରତି ଦୃଷ୍ଟି ରଖିବାକୁ ହେବ ତାହା ଅବଗତ କରାଇଛନ୍ତି। ଖଣି ଲିଜ୍ ନବୀକରଣ, ବିଭିନ୍ନ ବ୍ୟାଙ୍କରେ ପଡ଼ିରହିଥିବା ଅର୍ଥ ଓ ଏକକାଳୀନ ସେଟେଲମେଣ୍ଟ ମାଧ୍ୟମରେ ରାଜ୍ୟ ରାଜସ୍ୱ ବୃଦ୍ଧି ଉପରେ ସରକାର ଏବେ ଗୁରୁତ୍ୱ ଦେଇଛନ୍ତି। କେନ୍ଦ୍ରୀୟ ଅନୁଦାନ ହ୍ରାସ ଓ ନିଜସ୍ୱ ରାଜସ୍ୱକୁ ଦୃଷ୍ଟିରେ ରଖି ଚଳିତ ଆର୍ଥିକ ବର୍ଷରେ ମୋଟ ରାଜସ୍ୱ ୨୦-୨୫% କମିବ ବୋଲି ରାଜ୍ୟ ସରକାର ଆକଳନ କରିଥିବାବେଳେ ଅଧିକ ଋଣ ଉପରେ ନିର୍ଭରଶୀଳ ରହିଛନ୍ତି। ତେବେ ଚଳିତ ଆର୍ଥିକ ବର୍ଷର ସଂଶୋଧିତ ବଜେଟ୍ ତୁଳନାରେ ୨୦୨୧-୨୧ ଆର୍ଥିକ ବର୍ଷରେ ରାଜ୍ୟର ବ୍ୟୟ ଅଟକଳ ଅଧିକ ୧୨ ପ୍ରତିଶତ ରହିବ ଓ ରାଜ୍ୟର ଅଭିବୃଦ୍ଧି ହାର ୭% ରହିବ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ରାଜ୍ୟ ଜିଡିପିର ୩.୫% ଛୁଇଁଥିବାବେଳେ ୨୦୨୧-୨୨ରେ ଏହାକୁ ୩% ମଧ୍ୟରେ ସୀମିତ ରଖିବାକୁ ରଣନୀତି ପ୍ରସ୍ତୁତ ହୋଇଛି। ଯଦିଓ ଚଳିତ ଆର୍ଥିକ ବର୍ଷର ସଂଶୋଧିତ ବଜେଟ ଓ ଆସନ୍ତା ୨୦୨୧-୨୨ ଆର୍ଥିକ ବର୍ଷରେ ଜିଏସଡିପିର ସର୍ବାଧିକ ସୀମା ୨୫ ପ୍ରତିଶତ ପର୍ଯ୍ୟନ୍ତ ଋଣ ଆହରଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

କେନ୍ଦ୍ର ସରକାରଙ୍କ ଅନୁଦାନ ହ୍ରାସ ଓ ଅର୍ଥନୀତିର ପ୍ରଭାବ ଉପରେ ଜିଏସଟି କ୍ଷତିପୂରଣ ମିଳିବା ନିର୍ଭର କରୁଥିବାରୁ ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକ ବର୍ଷର ବାର୍ଷିକ ବଜେଟ ପ୍ରସ୍ତୁତିବେଳେ ଏସବୁକୁ ଗୁରୁତ୍ୱ ଦେବାକୁ ପ୍ରଶାସନିକ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ୪ଟି ସର୍ତ୍ତ ସହ ମୋଟ ରାଜ୍ୟ ଘରୋଇ ଉତ୍ପାଦ(ଜିଏସଡିପି)ର ଅତିରିକ୍ତ ୨ ପ୍ରତିଶତ ଅର୍ଥ ଋଣ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ମଧ୍ୟ ଓଡ଼ିଶା ଏହି ସର୍ତ୍ତକୁ ପାଳନ କରିବାରେ ଏପର୍ଯ୍ୟନ୍ତ ସକ୍ଷମ ହୋଇପାରିନି। ତେବେ ଏଫଆରବିଏମ୍ ଆକ୍ଟ-୨୦୦୫ ଆଧାରରେ ଓଡ଼ିଶା ନିଜର ବଜେଟ୍ ପ୍ରସ୍ତୁତି (୨୦୨୦-୨୧ ସଂଶୋଧିତ ବଜେଟ୍ ଓ ୨୦୨୧-୨୨ ବାର୍ଷିକ ବଜେଟ) କାର୍ଯ୍ୟ ଆରମ୍ଭ କରିଛି।

୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତି ପୂର୍ବରୁ ରାଜ୍ୟ ଅର୍ଥ ବିଭାଗ ଓ ଯୋଜନା ସଂଯୋଜନ ବିଭାଗ ମିଳିତ ଭାବେ ନଭେମ୍ବର ମାସ ସୁଦ୍ଧା ‘ବିତ୍ତୀୟ ରଣନୀତି ରିପୋର୍ଟ’ ପ୍ରକାଶ କରିବେ। ଯେଉଁଥିରେ ରାଜ୍ୟର ବାସ୍ତବ ରାଜସ୍ୱ ସଂଗ୍ରହ ଓ ଖର୍ଚ୍ଚର ହିସାବ ରହିବ। ଏହାସହିତ ରାଜ୍ୟ ସରକାର ବିଭିନ୍ନ ବିଭାଗ ପାଇଁ ଖର୍ଚ୍ଚର ସେଲିଂ ମଧ୍ୟ ନିର୍ଦ୍ଧାରଣ କରିବେ। ସେହି ସେଲିଂକୁ ଆଧାର କରି ପ୍ରଶାସନିକ ବିଭାଗଗୁଡ଼ିକ ନିଜର ପ୍ରଶାସନିକ ବ୍ୟୟ(ଦରମା ଓ ଆନୁସଙ୍ଗିକ ଖର୍ଚ୍ଚ), କାର୍ଯ୍ୟକ୍ରମ ବ୍ୟୟ(ରାଜ୍ୟ ନିଜସ୍ୱ ଯୋଜନା ଓ କେନ୍ଦ୍ରୀୟ ସହାୟତାପ୍ରାପ୍ତ ଯୋଜନା,କେନ୍ଦ୍ରୀୟ ଯୋଜନା) , କେନ୍ଦ୍ର ଅର୍ଥ କମିଶନ ଓ ରାଜ୍ୟ ଅର୍ଥକମିଶନକୁ ଅର୍ଥ ସ୍ଥାନାନ୍ତର ସହ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ନିମନ୍ତେ ଅର୍ଥ ବ୍ୟୟବରାଦ କରିବେ। ବିଭାଗଗୁଡ଼ିକୁ ଆର୍ଥିକ ବଜେଟ୍ ପ୍ରସ୍ତୁତିବେଳେ ନିଜର ବ୍ୟୟବରାଦ, ଯୋଜନା, କାର୍ଯ୍ୟକ୍ରମ ଆଦିର ପ୍ରାଥମିକତା ଯାଂଚ ପାଇଁ ୨-୩ମାସର ଅଧିକ ସମୟ ମିଳିପାରିବ । କେନ୍ଦ୍ରୀୟ ଅନୁଦାନ ଓ ବିଭିନ୍ନ ଯୋଜନା ପାଇଁ ଅନୁଦାନର ବାସ୍ତବତାକୁ ଦୃଷ୍ଟିରେ ରଖି ବିଭାଗଗୁଡ଼ିକ ନିଜସ୍ୱ ବଜେଟ୍ ପ୍ରସ୍ତୁତ କରିବେ।

ଅର୍ଥ ବିଭାଗର ତଥ୍ୟ ଅନୁସାରେ, ଆସନ୍ତାବର୍ଷ ଫେବୃୟାରୀ ତୃତୀୟ ସପ୍ତାହରେ ୨୦୨୧-୨୨ ବଜେଟ୍ ବିଧାନସଭାରେ ଉପସ୍ଥାପିତ ହେବ। ଫେବୃୟାରୀ ୭ରୁ ୧୦ତାରିଖ ମଧ୍ୟରେ ଏହା ରାଜ୍ୟ ମନ୍ତ୍ରିପରିଷଦର ଅନୁମୋଦନ ଲାଭ କରିବ। ଏହି ବଜେଟ୍ ପ୍ରକ୍ରିୟା ଆସନ୍ତା ଡିସେମ୍ବର ୧୫ତାରିଖରୁ ଆରମ୍ଭ ହେବ।

ସୂଚନାଯୋଗ୍ୟ, ରାଜ୍ୟ ସରକାର କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜୁଲାଇ ୭ତାରିଖରେ ଆର୍ଥିକ କଟକଣା ଜାରି କରିଥିଲେ। ଯେଉଁଥିରେ ଅଯଥା ଖର୍ଚ୍ଚ ଉପରେ ଅଙ୍କୁଶ ଲଗାଇବା ସହ ନୂଆ ଯୋଜନା ଓ କାର୍ଯ୍ୟକ୍ରମ ଉପରେ କଟକଣା, ରାଜ୍ୟରେ ସବୁପ୍ରକାରର ନୂଆ ପ୍ରକଳ୍ପ ପାଇଁ ଟେଣ୍ଡର, ନୂଆ ଅଫିସ୍ , ଗେଷ୍ଟ ହାଉସ ଓ କର୍ମଚାରୀ ବାସଭବନ ନିର୍ମାଣ ସମେତ ଗାଡ଼ିକିଣା, ବିମାନ ଓ ଟ୍ରେନରେ ଯାତାୟତ, କର୍ମଚାରୀଙ୍କୁ ଏଲଟିସି ସୁବିଧା, ସରକାରୀ କାର୍ଯ୍ୟରେ ରାଜ୍ୟରେ ହୋଟେଲରେ ରହିବା, ହୋଟେଲରେ ସରକାରୀ ବୈଠକ ଓ ଭୋଜି ଆୟୋଜନ ଆଦି କରିବା ଉପରେ କଟକଣା ଜାରି ସହ ସରକାରୀ ନିଯୁକ୍ତି ଉପରେ ଅଙ୍କୁଶ ଲାଗିଛି।

The post ରାଜ୍ୟ ଅର୍ଥନୀତି ଉପରେ କରୋନା ଇଫେକ୍ଟ: ଜିଡିପି ୨%, ରାଜସ୍ୱ ୨୫% କମିବ appeared first on Odisha Reporter.



from Odisha Reporter https://ift.tt/36cARdF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages