ଜୋହାନ୍ସବର୍ଗ: ବିଜୟରୁ ଦକ୍ଷିଣ ଆଫ୍ରିକା ଗସ୍ତ ଆରମ୍ଭ କରିଛି ଟିମ୍ ଇଂଲଣ୍ତ। ଦଳର ଷ୍ଟାର ବ୍ୟାଟସମ୍ୟାନ ଜନ୍ନି ବେୟାରଷ୍ଟୋଙ୍କ ବିସ୍ଫୋରକ ୮୬ ରନ୍ ବଳରେ ଇଂଲଣ୍ଡ ପ୍ରଥମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୫ ୱିକେଟରେ ପରାସ୍ତ କରିଛି। ଏଥିସହ ଦଳ ୩ ଟିକିଆ ଟି-୨୦ ସିରିଜ୍ରେ ୧-୦ରେ ଆଗୁଆ ହୋଇଯାଇଛି। ଆସନ୍ତାକାଲି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ।
୨୦୧୮ ଠାରୁ ଇଂଲଣ୍ଡ ପାଇଁ ଟି-୨୦ରେ ଓପନ କରୁଥିବା ବେୟାରଷ୍ଟୋ ଶୁକ୍ରବାର ମ୍ୟାଚ୍ରେ ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ଆସିଥିଲେ। ଏହି ନୂଆ ଭୂମିକାରେ ସେ ଦଳକୁ ଆଦୌ ନିରାଶ କରିନାହାନ୍ତି। ମାତ୍ର ୪୮ ବଲରେ ଅପରାଜିତ ୮୬ ରନ୍ର ଇନିଂସ୍ ଖେଳି ବେୟାରଷ୍ଟୋ ଦକ୍ଷିଣ ଆଫ୍ରିକା ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ଆଣିଛନ୍ତି।
ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭର୍ରେ ୬ ୱିକେଟ ହରାଇ ୧୭୯ ରନ୍ କରିଥିଲା। ଏହାର ଜବାବରେ ଇଂଲଣ୍ଡ ୪ଟି ବଲ ପୂର୍ବରୁ ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଥିଲା। ୧୮୦ ରନ୍ର ଟାର୍ଗେଟ ପିଛା କରୁଥିବା ଇଂଲଣ୍ଡ ପକ୍ଷରୁ ଜୋଶ ବଟଲର ଓ ଜେସନ ରୟ ଇନିଂସ୍ ଆରମ୍ଭ କରିଥିଲେ। ହେଲେ ରୟ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ବଟଲର ମଧ୍ୟ ମାତ୍ର ୭ ରନ୍ କରିଥିଲେ। ୩ନଂରେ ଆସିଥିବା ଡାୱିଡ ମଲାନ(୧୯) ବି ନିରାଶ କରିଥିଲେ।
୬ ଓଭର୍ ସୁଦ୍ଧା ଦଳ ୩ ୱିକେଟ ହରାଇ ମାତ୍ର ୩୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହି ଠାରୁ ବେୟାରଷ୍ଟୋ ଓ ବେନ୍ ଷ୍ଟୋକ୍ସ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ୪ର୍ଥ ୱିକେଟ ପାଇଁ ୮୩ ରନ୍ ଯୋଡ଼ି ଦକ୍ଷିଣ ଆଫ୍ରିକା ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ। ଦଳୀୟ ସ୍କୋର ୧୧୯ ଥିବା ବେଳେ ବ୍ୟକ୍ତିଗତ ୩୭ ରନ୍ କରି ଷ୍ଟୋକ୍ସ ପ୍ୟାଭିଲିୟନ ଫେରିଥିଲେ।
ଏହାପରେ ଇଓନ ମୋର୍ଗାନ(୧୨)ଙ୍କ ସହ ମିଶି ବେୟାରଷ୍ଟୋ ଇଂଲଣ୍ଡ ସ୍କୋରକୁ ୧୫୯ରେ ପହଞ୍ଚାଇଥିଲେ। ଏଥିସହ ସେ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ମୋର୍ଗାନ ଆଉଟ ହୋଇଯାଇଥିଲେ ହେଁ ବେୟାରଷ୍ଟୋ ଶେଷ ଯାଏ ୪୮ ବଲରେ ୮୬ ରନ୍ କରି ଇଂଲଣ୍ଡକୁ ୪ ବଲ ପୂର୍ବରୁ ବିଜୟ ଭେଟି ଦେଇଥିଲେ।
ଏହି ଇନିଂସ୍ରେ ସେ ୯ଟି ଚୌକା ୪ଟି ଛକା ମାରିଛନ୍ତି। ବେୟାରଷ୍ଟୋଙ୍କ ସହ ଶେଷ ଯାଏ ସାମ କରାନ ୩ ବଲରେ ୭ ରନ୍ କରି ଅପରାଜିତ ରହିଥିଲେ।
The post ବେୟାରଷ୍ଟୋଙ୍କ ଦମରେ ପ୍ରଥମ ଟି-୨୦ ଜିତିଲା ଇଂଲଣ୍ଡ appeared first on Odisha Reporter.
from Odisha Reporter https://ift.tt/3o82Nqt
No comments:
Post a Comment