ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସର୍ବସାଧାରଣଙ୍କ ପାଇଁ ବିଧାନସଭା ରାସ୍ତାକୁ ବନ୍ଦ କରି ଦେଇଛି କମିଶନରେଟ୍ ପୁଲିସ୍। ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏଁ ରାସ୍ତାକୁ ପୁଲିସ୍ ସିଲ୍ କରି ଦେଇଛି। ସପ୍ତାହେ ମଧ୍ୟରେ ବାରମ୍ବାର ଆତ୍ମାହୁତି ଉଦ୍ୟମ ଯୋଗୁ କମିଶନରେଟ୍ ପୁଲିସ ପକ୍ଷରୁ ଏଭଳି କଟକଣା ଲାଗୁ କରାଯାଇଛି।
ନୟାଗଡ଼ର ୫ ବର୍ଷର ଝିଅ ‘ପରୀ’ର ହତ୍ୟା ମାମଲାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ଗତ ୨୪ ତାରିଖରେ ତା’ ବାପାମା’ ବିଧାନସଭା ନିକଟରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ନ୍ୟାୟ ନପାଇବାରୁ ଶେଷରେ ନିରାଶ ହୋଇ ସେମାନେ ଆତ୍ମାହୁତି ଉଦ୍ୟମ କରିଥିଲେ। ତେବେ ସେଠାରେ ନିୟୋଜିତ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ଏହା ପରେ ଏହି ଘଟଣା ଭିନ୍ନ ମୋଡ଼ ନେଇଛି। ସରକାର ତଦନ୍ତ ପାଇଁ ଏସ୍ଆଇଟି ନିଯୁକ୍ତ କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସହିତ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପର୍କ ଥିବା ଜଣାପଡ଼ିବା ପରେ ବିରୋଧୀ ତାଙ୍କ ଇସ୍ତଫା ଦାବି କରୁଛନ୍ତି।
ସେହିପରି ଗତ ୨୭ ତାରିଖରେ ଆଠଗଡ଼ ଅଞ୍ଚଳର ୩ ଜଣ ଚାଷୀ ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଥିଲେ। ସେମାନଙ୍କ ନାଁରେ ପ୍ରଭାବଶାଳୀ ଲୋକେ ଆଠଗଡ଼ କୋ-ଅପରେଟିଭ୍ ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟଙ୍କା ହାତେଇ ଥିବା ବେଳେ ସେମାନେ ମିଛଟାରେ ଋଣ ଜାଲରେ ଛନ୍ଦି ହୋଇ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଥିଲେ। ଏନେଇ ସେମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣି ନଥିଲେ। ତେଣୁ ବାଧ୍ୟ ହୋଇ ସେମାନେ ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଥିଲେ।
ଗତକାଲି ମଧ୍ୟ ଜଗତସିଂହପୁରର କୁଜଙ୍ଗ ଅଞ୍ଚଳର ଜଣେ ମହିଳା ଓ ତାଙ୍କ ପୁଅ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହି ମହିଳାଙ୍କର ଜଣେ ପୁଅଙ୍କର ବର୍ଷେରୁ ଅଧିକ ସମୟ ହେଲାଣି ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ୍ କହୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେଣୁ ସଠିକ୍ ତଦନ୍ତ ଦାବି କରି ଜିଲ୍ଲା ଏସ୍ପି ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ନିରାଶ ହେବା ପରେ ସେମାନେ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ ବୋଲି କହିଥିଲେ।
The post ସର୍ବସାଧାରଣଙ୍କ ପାଇଁ ବନ୍ଦ ହେଲା ବିଧାନସଭା ରାସ୍ତା appeared first on Odisha Reporter.
from Odisha Reporter https://ift.tt/36hKFo3
No comments:
Post a Comment