ମୁମ୍ବାଇ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଣ୍ଟିଭାଇରାଲ ରେମଡେସିଭିରକୁ କରୋନା ଚିକିତ୍ସା ତାଲିକାରୁ ବାଦ ଦେବା ପରେ ସମସ୍ତେ ଚିନ୍ତାରେ ପଡ଼ିଥିଲେ। ଏହି ଔଷଧକୁ କରୋନା ଯୋଗୁ ଗୁରୁତର ଅସୁସ୍ଥଙ୍କ କ୍ଷେତ୍ରରେ ବ୍ୟବହାର ନ କରିବାକୁ ହୁ’ ପକ୍ଷରୁ କୁହାଯାଇଛି। ତେବେ ଏସବୁ ଭିତରେ ଆଉ ଏକ ଆଣ୍ଟିଭାଇରାଲ ଔଷଧ ଫାଭିପିରାଭିର ନୂଆ ଆଶା ସୃଷ୍ଟି କରିଛି।
ଏହି ଔଷଧ ବ୍ୟବହାର କରୁଥିବା କରୋନା ରୋଗୀ ଖୁବଶୀଘ୍ର ସୁସ୍ଥ ହୋଇଥିବା ଟ୍ରାଏଲରୁ ଜଣାପଡ଼ିଛି। ଏ ସମ୍ପର୍କରେ ମୁମ୍ବାଇର ଡାକ୍ତରମାନେ ପ୍ରକାଶ କରିଥିବା ପ୍ରଥମ ବିଜ୍ଞାନିକ ଭିତ୍ତିକ ଷ୍ଟଡି ରିପୋର୍ଟରେ କୁହାଯାଇଛି। କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ଅଳ୍ପ ଗୁରୁତର ହୋଇଥିବା ଲୋକଙ୍କୁ ଏହି ଔଷଧ ଦେବା ଦ୍ୱାରା ସେମାନେ ଅନ୍ୟ ଔଷଧ ଦ୍ୱାରା ଚିକିତ୍ସିତ ହେଉଥିବା ଲୋକଙ୍କ ତୁଳନାରେ ଶୀଘ୍ର ସୁସ୍ଥ ହୋଇଯାଉଛନ୍ତି।
ଷ୍ଟଡିର ମୁଖ୍ୟ ଡା ଜାରିର ଏଫ ଉଡୱାଡିଆ କହିଛନ୍ତି, ସାଧାରଣ ରୋଗୀଙ୍କ ତୁଳନାରେ ଫାଭିପିରାଭିର ଦ୍ୱାରା ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତମାନେ ପ୍ରାୟ ୩ ଦିନ ଆଗରୁ ସୁସ୍ଥ ହେଉଛନ୍ତି। ଯେଉଁ ଆକ୍ରାନ୍ତମାନେ ଫାଭିପିରାଭିର ଖାଉଛନ୍ତି, ସେମାନଙ୍କ ଶରୀରରୁ ଭାଇରସ ୩୦% ଶୀଘ୍ର ନଷ୍ଟ ହୋଇଯାଉଛି।
ଅବଶ୍ୟ ଏହା ଶୁଣିବାକୁ ଭଲ ଲାଗୁ ନଥିବ। କାରଣ ସାଧାରଣ ଚିକିତ୍ସା ଓ ଫାଭିପିରାଭିର ମଧ୍ୟରେ ସେମିତି କିଛି ଆକାଶ ପାତାଳର ଫରକ ନାହିଁ। କିନ୍ତୁ ଏହା କରୋନା ଚିକିତ୍ସା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। କରୋନାକୁ ମାତ ଦେଇ ପାରୁଥିବା ଔଷଧ ସାରା ବିଶ୍ୱରେ ବହୁତ କମ। ତେଣୁ ଏହା ଏକ ଭଲ ଖବର ବୋଲି ସେ କହିଛନ୍ତି।
ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୫୦ ଜଣ ଆକ୍ରାନ୍ତଙ୍କୁ ନେଇ ମେ ୩ରୁ ଜୁଲାଇ ୩ ଯାଏ ଟ୍ରାଏଲ ଆରମ୍ଭ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୭୫ ଜଣଙ୍କୁ ଫାଭିପିରାଭିର ଦିଆଯାଇଥିବା ବେଳେ ଆଉ ୭୫ ଜଣଙ୍କୁ ଅନ୍ୟ ଔଷଧ ଦିଆଯାଇଥିଲା। ଉଭୟ ଗ୍ରୁପ୍ ସୁସ୍ଥ ହୋଇଥିଲେ। କିନ୍ତୁ ଫାଭିପିରାଭିର ଖାଉଥିବା ଆକ୍ରାନ୍ତ ୫ ଦିନରେ ଭାଇରସକୁ ମାତ ଦେଇଥିବା ବେଳେ ସାଧାରଣ ଔଷଧ ଖାଉଥିବା ଲୋକମାନେ ୭ ଦିନ ଓ ଆଉ କିଛି ଲୋକ ୮ ଦିନ ପରେ ଆରୋଗ୍ୟ ଲାଭ କରିଥିଲେ। ତେଣୁ ମାଇଲ୍ଡ ଓ ମୋଡ୍ରେଟ କରୋନା ଆକ୍ରାନ୍ତ କ୍ଷେତ୍ରରେ ଏହା ଲାଭ ଦାୟକ ବୋଲି ଟ୍ରାଏଲରୁ ଜଣାପଡ଼ିଛି।
The post କରୋନା ରୋଗୀଙ୍କ ପାଇଁ ନୂଆ ଆଶା ଆଣିଲା ଫାଭିପିରାଭିର appeared first on Odisha Reporter.
from Odisha Reporter https://ift.tt/2J3JW0C
No comments:
Post a Comment