ପୁରୀ(ଓଡ଼ିଶା ରିପୋର୍ଟର): ସତରେ ଅତି ଦୁର୍ଲ୍ଲଭ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ଏହା ଏକ ସାମୟିକ ଓ ସାମରିକ ବେଶ । ଏଥିରେ ଶ୍ରୀଜଗନ୍ନାଥ ଓ ବଳଭଦ୍ର ନାଗା ବେଶରେ ଶୃଙ୍ଗାର ହୋଇଥାନ୍ତି । କାର୍ତ୍ତିକ ମାସ ପଞ୍ଚୁକର ମଳ ତିଥିରେ ହିଁ ହୁଏ ନାଗାର୍ଜୁନ ବେଶ । ପଞ୍ଚୁକ ୬ ଦିନ ପଡୁଥିବା ବର୍ଷରେ ହୁଏ ନାଗାର୍ଜୁନ ବେଶ। ଚଳିତ ବର୍ଷ ମଧ୍ୟ ପଞ୍ଚୁକ ୬ ଦିନ ପଡ଼ୁଥିବାରୁ ମହାପ୍ରଭୁ ଏହି ଦୁର୍ଲଭ ବେଶ ଧାରଣ କରିଛନ୍ତି।
ଦୀର୍ଘ ୨୫ ବର୍ଷ ପରେ ଏକବିଂଶ ଶତାଦ୍ଦିର ପ୍ରଥମ ନାଗାର୍ଜୁନ ବେଶ ପଡ଼ୁଥିବା ବେଳେ ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଲାଗି ରହିଥିଲା ବେଶ୍ ଉତ୍ସୁକତା। କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁ ପ୍ରଭୁଙ୍କ ଏହି ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ।
ନାଗାର୍ଜୁନ ବେଶ ଇତିହାସ ଉପରେ ନଜର ପକାଇଲେ ଏହା ବେଶ୍ ପୁରୁଣା ବୋଲି ବିଶ୍ୱାସ ରହିଛି । ଶେଷ ଥର ୧୯୯୩ ଓ ୧୯୯୪ ମସିହାରେ ପଡ଼ିଥିଲା ନାଗାର୍ଜୁନ ବେଶ । ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ୨୦୨୦ରେ ପୁଣି ପଡ଼ିଛି ଏହି ମନୋହର ବେଶ । ନାଗାର୍ଜୁନ ବେଶରେ ଠାକୁରଙ୍କୁ ଲାଗିହୁଏ ସ୍ୱତନ୍ତ୍ର ସାମଗ୍ରୀ । ସ୍ୱତନ୍ତ୍ର ଅଳଙ୍କାର ସହ ଅସ୍ତ୍ରରେ ବି ସଜ୍ଜିତ କରାଯାଏ । ଶ୍ରୀଭୁଜ, ଶ୍ରୀପୟର, ନାକୁଆସି, କର୍ଣ୍ଣ କୁଣ୍ଡଳ, ଓଳମାଳ, ବାଘନଖି ମାଳି, ହରିଡ଼ା ମାଳି, ପଦ୍ମ ମାଳି, ଘାଗଡ଼ା ମାଳି ଲାଗି ହୁଏ ।
ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ମୁହଁରେ ନିଶ ଓ ଦାଢ଼ି କରାଯାଏ । ବାଘଛାଲ ସମ ବସ୍ତ୍ର ପରିଧାନ କରନ୍ତି ଦୁଇ ଠାକୁର । ସେହିପରି ସୋଲ, କନା, ଜରି ଓ ବେତରେ ତିଆରି ହୋଇଥାଏ ଅସ୍ତ୍ର । ଏହି ବେଶ ତିଆରି କରିଥାନ୍ତି ଭିତର ସେବାୟତ ଭିତରଛ, ତଳୁଛ ମହାପାତ୍ର ପୁଷ୍ପାଳକ କରନ୍ତି । ବେଶ କରିଥାନ୍ତି ସିଂହାରୀ, ଖୁଣ୍ଟିଆ ଓ ମେକାପ ବି ଏଥିରେ ସହଯୋଗ କରନ୍ତି । ଚକ୍ରକୋଟ ଖୁଣ୍ଟିଆ ଯୋଗାନ୍ତି ବେଶ ସାମଗ୍ରୀ । ନାଗାର୍ଜୁନ ବେଶ ଶ୍ରୀକ୍ଷେତ୍ର ଲୋକ ସଂସ୍କୃତିର ପ୍ରତିଛବି ଅଟେ ।
The post ଜାଣନ୍ତୁ, କାହିଁକି ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ଦୁର୍ଲଭ କୁହାଯାଏ, କ’ଣ ରହିଛି ବିଶେଷତ୍ୱ appeared first on Odisha Reporter.
from Odisha Reporter https://ift.tt/3q5c2cI
No comments:
Post a Comment