ନୂଆଦିଲ୍ଲୀ: ଭାରତରେ ସୁଶାସନ ଚାଲିଥିବା କ୍ଷମତାରେ ଥିବା ସରକାରମାନେ କହୁଥିଲେ ହେଁ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ କଥା କହୁଛି। ଭାରତରେ ଲାଞ୍ଚ ନ ଦେଲେ କୌଣସି କାମ ହେଉ ନଥିବା ଏକାଧିକ ସର୍ଭେରୁ ଜଣାପଡ଼ିଛି। ସ୍ଥିତି ଏପରି ହୋଇଛି ଯେ ଏସିଆ ମହାଦେଶରେ ଲାଞ୍ଚ କାରବାର ଚାଲିଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ୧ ନଂ ସ୍ଥାନରେ ରହିଛି।
ଭାରତରେ ଲାଞ୍ଚ କାରବାର ହାର ୩୯% ରହିଥିବା ବେଳେ ସରକାରୀ ସେବା ପାଇବା ପାଇଁ ୪୬% ଲୋକ ନିଜର ବ୍ୟକ୍ତିଗତ ଯୋଗାଯୋଗକୁ ବ୍ୟବହାର କରୁଛନ୍ତି ବୋଲି ଟ୍ରାନ୍ସପ୍ୟାରେନ୍ସି ଇଣ୍ଟରନ୍ୟାଶନାଲ ପକ୍ଷରୁ ଜାରି ସର୍ଭେ ରିପୋର୍ଟରେ କୁହାଯାଇଛି।
କୌଣସି କାମ ହାସଲ କରିବା ପାଇଁ ୫୦% ଲୋକଙ୍କୁ ସିଧାସଳଖ ଲାଞ୍ଚ ଦେବାକୁ କୁହାଯାଉଥିବା ବେଳେ ଅନ୍ୟମାନେ ପରୋକ୍ଷରେ ଲାଞ୍ଚ ଦେଉଛନ୍ତି। ସେହିପରି ବ୍ୟକ୍ତିଗତ ସମ୍ପର୍କର ବ୍ୟବହାର କରି ସରକାରୀ ସେବା ପାଉଥିବା ଲୋକଙ୍କ ମଧ୍ୟରୁ ୩୨% ଲୋକ କହିଛନ୍ତି ଯେ ଯଦି ସେମାନେ ବ୍ୟକ୍ତିଗତ ସମ୍ପର୍କ ବ୍ୟବହାର ନ କଲେ, ତା’ହେଲେ ସେମାନଙ୍କୁ ସରକାରୀ ସେବା ମିଳୁନାହିଁ ବୋଲି ରିପୋର୍ଟରେ କୁହାଯାଇଛି।
ଏହାପୂର୍ବରୁ ଟ୍ରାନ୍ସପ୍ୟାରେନ୍ସି ଇଣ୍ଟରନ୍ୟାଶନାଲ ପକ୍ଷରୁ ଜାନୁଆରୀରେ ରିପୋର୍ଟ ପ୍ରକାଶ ପାଇଥିଲା। ଯେଉଁଥିରେ ଭାରତ Corruption Perception Index ତାଲିକାର ୮୦ ନମ୍ବର ସ୍ଥାନରେ ରହିଥିଲା। ଏହି ତାଲିକାରେ ମୋଟ ୧୮୦ଟି ଦେଶ ରହିଥିଲେ।
ଏଥର ଟ୍ରାନ୍ସପ୍ୟାରେନ୍ସି ଇଣ୍ଟରନ୍ୟାଶନାଲ ଗ୍ଲୋବାଲ କର୍ପସନ ବାରାମିଟର-ଏସିଆ ନାଁରେ ସର୍ଭେ କରିଥିଲା। ଏଥିରେ ୧୭ଟି ଏସିଆନ ରାଷ୍ଟ୍ରର ୨୦,୦୦୦ ଲୋକ ସାମିଲ ହୋଇଥିଲେ। ଆସନ୍ତା ୧୨ ମାସ ମଧ୍ୟରେ ଦୁର୍ନୀତି ସମ୍ପର୍କରେ ସେମାନଙ୍କ ଅଭିଜ୍ଞତା କହିବାକୁ ସର୍ଭେ ବେଳେ କୁହାଯାଇଥିଲା। ପୁଲିସ୍, କୋର୍ଟ, ସରକାରୀ ହସ୍ପିଟାଲ ଓ ସାଧାରଣ ପରିଚୟ ପତ୍ର ଭଳି ସରକାରୀ ଅଫିସରେ ସେବା ପାଇବା ପାଇଁ ସେମାନଙ୍କୁ କ’ଣ ସବୁ କରିବାକୁ ପଡ଼େ, ସେକଥା ପଚରା ଯାଇଥିଲା।
ଭାରତରେ ପୁଲିସ୍ ସେବା ପାଇବାକୁ ୪୨% ଲୋକ ଲାଞ୍ଚ ଦେଉଥିବା ସ୍ୱୀକାର କରିଛନ୍ତି। ସେହିପରି ସରକାରୀ କାଗଜପତ୍ର ହାସଲ କରିବା ପାଇଁ ୪୧% ଲୋକଙ୍କୁ ଲାଞ୍ଚ ଦେବାକୁ ପଡ଼ୁଛି। ୩୯% ଲୋକ ପୁଲିସ୍ ସେବା, ସରକାରୀ କାଗଜପତ୍ର ପତ୍ର ପାଇଁ ୪୨% ଓ କୋର୍ଟରେ ଥିବା କାମର ସମାଧାନ ପାଇଁ ୩୮% ଲୋକ ବ୍ୟକ୍ତିଗତ ସମ୍ପର୍କର ବ୍ୟବହାର କରୁଛନ୍ତି।
ସର୍ଭେରେ ସାମିଲ ଥିବା ୩୮% ଲୋକ ଗତ ୧୨ ମାସରେ ସେମାନଙ୍କ ଦେଶରେ ଦୁର୍ନୀତି ବଢ଼ିଥିବା କଥା କହିଥିବା ବେଳେ ୨୮% ଲୋକ ପୂର୍ବଭଳି ଏହା ସମାନ ଥିବା କହିଛନ୍ତି। ନେପାଳରେ ୫୮% ଓ ଥାଇଲ୍ୟାଣ୍ଡରେ ୫୫% ଲୋକ ସେମାନଙ୍କ ଦେଶରେ ଦୁର୍ନୀତି ବଢ଼ିଥିବା କହିଛନ୍ତି। ତେବେ ଚାଇନାରେ ୬୪%, ଫିଲିପାଇନ୍ସରେ ୬୪% ଓ କାମ୍ବୋଡିଆରେ ୫୫% ଲୋକ ସେମାନଙ୍କ ଦେଶରେ ଦୁର୍ନୀତି ହ୍ରାସ ପାଇଥିବା କହିଛନ୍ତି।
ଏସିଆ ମହାଦେଶରେ ଚାଲିଥିବା ଲାଞ୍ଚ କାରବାରରେ ଭାରତ ୩୯% ସହ ଏକ ନମ୍ବରେ ଥିବା ବେଳେ ୩୭% ସହ କାମ୍ବୋଡିଆ ଦ୍ୱିତୀୟ ଓ ଇଣ୍ଡୋନେସିଆ ୩୦% ସହ ତୃତୀୟ ସ୍ଥାନରେ ରହିଛି। ସବୁଠାରୁ କମ ଲାଞ୍ଚ କାରବାର ହେଉଥିବା ଦେଶ ତାଲିକାରେ ଜାପାନ ଓ ମାଳଦ୍ୱୀପ(୨%) ରହିଥିବା ବେଳେ ସେମାନଙ୍କ ପଛକୁ ଦକ୍ଷିଣ କୋରିଆ ୧୦% ରହିଛି।
The post ଲାଞ୍ଚ କାରବାର: ଏସିଆରେ ଭାରତ ପ୍ରଥମ! appeared first on Odisha Reporter.
from Odisha Reporter https://ift.tt/3l5SJMD
No comments:
Post a Comment