ଚଣ୍ଡିଗଡ଼: କଂଗ୍ରେସ ଶାସିତ ପଞ୍ଜାବର ଶତାଧିକ ଚାଷୀ ଦିଲ୍ଲୀକୁ ଶୋଭାଯାତ୍ରାରେ ଯିବା ପାଇଁ ହରିଆଣା ସୀମାନ୍ତରେ ଆଜି ଏକାଠି ହୋଇଛନ୍ତି। ବିଜେପି ଶାସିତ ହରିଆଣାରେ ପୁଲିସ୍ ସେମାନଙ୍କୁ ଅଟକାବାର ଆଶଙ୍କା ଥିବାରୁ ଏହା ବିରୋଧରେ ଲଢ଼େଇ କରିବାକୁ ସେମାନେ ମାନସିକ ସ୍ତରରେ ପ୍ରସ୍ତୁତ ମଧ୍ୟ ହୋଇଛନ୍ତି।
ଖାଲି ପଞ୍ଜାବ ନୁହେଁ, ଉତ୍ତର ପ୍ରଦେଶ, ହରିଆଣା, ଉତ୍ତରାଖଣ୍ଡ, ରାଜସ୍ଥାନ ଓ କେରଳର ଚାଷୀମାନେ ଆଜି ଓ ଆସନ୍ତାକାଲି ଦିଲ୍ଲୀ ଯାଏ ଶୋଭାଯାତ୍ରା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ସମୟରେ ନିଶ୍ଚିତ ଭାବେ ରାଜନୀତିକ ଓ ହଟଚମଟ ଦେଖାଯିବାର ଆଶଙ୍କା ମଧ୍ୟ ରହିଛି। ଚାଷୀଙ୍କୁ ଶୋଭାଯାତ୍ରାରୁ ବିରତ କରିବା ପାଇଁ ଏକାଧିକ ରାଜ୍ୟ ସରକାରମାନେ ସେମାନଙ୍କ ସୀମାକୁ ସିଲ କରିଛନ୍ତି। ଏଥସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବ୍ୟାପକ କରିଛନ୍ତି।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ନିଜ ରାଜ୍ୟରେ କୌଣସି ଶୋଭାଯାତ୍ରା କରିବାକୁ ଅନୁମତି ଦେଇ ନାହାନ୍ତି। ବିଶାଳ ସଂଖ୍ୟାରେ ଚାଷୀ ଦିଲ୍ଲୀ ଆସିବାକୁ ଥିବାରୁ ଦିଲ୍ଲୀ ସୀମାକୁ ସିଲ କରିଦିଆଯାଇଛି। ଗୁରୁଗ୍ରାମ ଓ ଫରିଦାବାଦ ବର୍ଡରେ ବ୍ୟାପକ ସୁରକ୍ଷାକର୍ମୀଙ୍କୁ ମୁତୟନ ମଧ୍ୟ କରାଯାଇଛି।
ସେହିପରି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟରଙ୍କ ନିର୍ଦ୍ଦେଶକ୍ରମେ ଆଜି ଓ ଆସନ୍ତାକାଲି ରାଜ୍ୟର ସୀମାକୁ ସିଲ କରାଯାଇଛି। ପଞ୍ଜାବକୁ ଲାଗିଥିବା ସୀମାରେ ବ୍ୟାରିକେଡ୍ ସହ ପାଣି ଟ୍ୟାଙ୍କର ଓ ଦଙ୍ଗାକୁ ପ୍ରତିହିତ କକରିବା ପାଇଁ ଗାଡ଼ି ମୁତୟନ କରାଯାଇଛି। ରାଜ୍ୟରେ କୌଣସି ପ୍ରକାରର ସମାବେଶ ମଧ୍ୟ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି। ହରିଆଣାରୁ ପଞ୍ଜାବକୁ ଯିବାକୁ ଓ ଆସିବାକୁ ଥିବା ବସ୍ ସେବାକୁ ଦୁଇ ଦିନ ପାଇଁ ବନ୍ଦ ରଖାଯାଇଛି।
ଗତକାଲି ରାତିରୁ ହରିଆଣା ସୀମାରେ ଚାଷୀମାନେ ଏକାଠି ହେବାରେ ଲାଗିଛନ୍ତି। ହରିଆଣାର ଯେଉଁ ସ୍ଥାନରେ ସେମାନଙ୍କୁ ଅଟକା ଯିବ, ସେମାନେ ସେହିଠାରେ ହିଁ ଆନ୍ଦୋଳନ କରିବେ ବୋଲି କହିଛନ୍ତି। ଭାରତୀୟ କିଷାନ ୟୁନିଅନ କହିଛି ଯେ ପ୍ରାୟ ୨ ଲକ୍ଷ ଚାଷୀ ନିଜର ହକ ପାଇଁ ହରିଆଣାରେ ପ୍ରବେଶ କରିବେ। ଚାଷୀମାନେ ଶୋଭାଯାତ୍ରା ପାଇଁ ନିଜ ସହ ରାସନ ସାମଗ୍ରୀ, ପରିବାର ଓ କାଠ ଆଣିଛନ୍ତି।
ସେମାନେ କହିଛନ୍ତି, ଆମେ ଲଢ଼େଇ ପାଇଁ ପ୍ରସ୍ତୁତ। ଏହା ଦୀର୍ଘ ଦିନ ଧରି ଚାଲିବ ବୋଲି ଆମର ଆଶଙ୍କା ରହିଛି। ତେଣୁ ଆମେ ସବୁ ପ୍ରକାରର ଜିନିଷ ନିଜ ସହ ଆଣିଛୁ। ସମସ୍ୟା ସମାଧାନ ନ ହେବା ଯାଏ, ଆମେ ପଛକୁ ହଟିବୁ ନାହିଁ ବୋଲି ସେମାନେ ସରକାରଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି।
ଅନ୍ୟପକ୍ଷରେ ଗତକାଲି ହରିଆଣା ସରକାର ନିଜ ରାଜ୍ୟର ଚାଷୀଙ୍କ ଶୋଭାଯାତ୍ରାକୁ ମଧ୍ୟ ଅଟକାଇ ପାରି ନଥିଲେ। ଶୋଭାଯାତ୍ରାରେ ଥିବା ଚାଷୀମାନେ ବ୍ୟାରିକେଡ୍ ଓ ପାଣି ଟାଙ୍କରକୁ ବେଖାତିର କରି କର୍ଣ୍ଣାଲ ଏବଂ ସୋନିପତରେ ପହଞ୍ଚିଥିଲେ। ରାତି ଏଠାରେ ବିତାଇବା ପରେ ଆଜି ସେମାନେ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି।
ସାମାଜିକ କର୍ମୀ ମେଧା ପାଠକରଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶରୁ ମଧ୍ୟ ଚାଷୀମାନେ ଶୋଭାଯାତ୍ରାରେ ଦିଲ୍ଲୀ ଆସୁଛନ୍ତି। ସେମାନେ ଦିଲ୍ଲୀ ଆସୁଥିବା ବେଳେ ଉତ୍ତର ପ୍ରଦେଶ ପ୍ରଶାସନ ସେମାନଙ୍କୁ ଆଗ୍ରା ନିକଟରେ ଅଟକାଇଥିଲା। ଏଠାରେ ମେଧା ପାଠକରଙ୍କୁ ଗିରଫ ମଧ୍ୟ କରାଯାଇଛି।
The post ଚାଷୀଙ୍କ ପାଇଁ ସିଲ୍ ହେଲା ସୀମା, ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ appeared first on Odisha Reporter.
from Odisha Reporter https://ift.tt/3fATOLb
No comments:
Post a Comment