ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ଭିତରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର ୩୧ ପର୍ଯ୍ୟନ୍ତ ଅଧିବେଶନ ଚାଲିବାକୁ ଧାର୍ଯ୍ୟ ହୋଇଛି । ଆଜି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଏଥିରେ ପ୍ରାୟ ୧୧ ହଜାର ୨ଶହ କୋଟିର ବ୍ୟୟବରାଦ ହୋଇଥିବା ସୂଚନା ମିଳିଛି ।
ଆଜି ବିଧାନସଭା ପ୍ରଥମ ଦିନର ପ୍ରଥମ ସେସନ୍ରେ ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦିଆଯିବ । ପୂର୍ବତନ ବାଚସ୍ପତି ଶରତ କର, ପୂର୍ବତନ ଶାସକ ଦଳ ମୁଖ୍ୟ ସଚେତକ ଗୁରୁପଦ ନନ୍ଦ, ପୂର୍ବତନ ସଭ୍ୟ ସ୍ୱର୍ଗତ କାର୍ତ୍ତିକେଶ୍ୱର ପାତ୍ର ଏବଂ ରାଜ୍ୟର ଯେଉଁ କରୋନା ଯୋଦ୍ଧା କୋଭିଡ୍ ମହାମାରୀରେ ପ୍ରାଣ ହରାଇଛନ୍ତି, ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । ଅପରାହ୍ନ ସେସନ୍ରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଗତ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ କରିବେ।
ମୌସୁମୀ ଅଧିବେଶନ ଭଳି ଏଥର ବି ପ୍ରଶ୍ନକାଳ ରହିବ ନାହିଁ । ଅନ୍ୟପକ୍ଷରେ ଏଥର ତାରକା ପ୍ରଶ୍ନ ବି ରହିବ ନାହିଁ । ଗୃହ ପ୍ରତିଦିନ ୧୦.୩୦ରୁ ଗୋଟାଏ ଓ ଅପରାହ୍ଣ ୩ଟାରୁ ୫ଟା ଏଭଳି ପ୍ରାୟ ସାଢେ ଚାରି ଘଣ୍ଟା ଚାଲିବ । ରବିବାର ବି ଗୃହକାର୍ଯ୍ୟ ଚାଲିବ । ୪୦ ଦିନର ଏହି ଲମ୍ବା ଅଧିବେଶନରେ ବିଧାନସଭାରେ ଶାସକ ଦଳକୁ ଘେରିବାକୁ ଉଭୟ ବିଜେପି ଓ କଂଗ୍ରେସ ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ ।
ଧାନ କିଣାରେ ଅବ୍ୟବସ୍ଥା, ବଗଲା ଧର୍ମଶାଳା ଜମି ଦୁର୍ନୀତି, ସୀମା ବିବାଦ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି, ବିଦ୍ୟୁତ୍ ଦର ବୃଦ୍ଧି ପ୍ରମୁଖ ପ୍ରସଙ୍ଗକୁ ଅସ୍ତ୍ର କରିବ ବିଜେପି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ସେପଟେ ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଶାସକ ଦଳ । ବିରୋଧୀଙ୍କୁ ମୁକାବିଲା କରିବାକୁ ରଣନୀତି ପ୍ରସ୍ତୁତ ହୋଇଛି । ଏଥର ଗୃହ ଭିତରେ ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ।
The post ଆଜିଠୁ ଶୀତ ଅଧିବେଶନ, ଶାସକ ଦଳକୁ ଘେରିବା ପାଇଁ ବିରୋଧୀଙ୍କ ବ୍ଲୁ ପ୍ରିଣ୍ଟ appeared first on Odisha Reporter.
from Odisha Reporter https://ift.tt/35Oyxuu
No comments:
Post a Comment